ଭାରି ବଦମାସ ଏ ଇଛାଗୁଡ଼ାକ !
ମସ୍ତିଷ୍କରୁ ଆରମ୍ଭ ହୁଅନ୍ତି,
ଆଉ ଖୁବ ଓସ୍ତାଦ ଭଳି ହୃଦୟକୁ ଚିପୁଡ଼ି ଦିଅନ୍ତି
ଏଇ ଯେମିତି,
ଇଚ୍ଛା ହୁଏ କେବେ ଉଡ଼ିଆସନ୍ତି କି ମିଶରର ସେଇ ଐତିହାସିକ ମରୁଭୂମିର ଉତ୍ତପ୍ତ ବାଲୁକା ରାଶି ଉପରକୁ,
ଯେଉଁଠି ପିରାମିଡ୍ରେ ଶୋଇଛନ୍ତି ଆଦିମ ମମ୍ମି ସବୁ ଚିରନ୍ତନ ମୁକ୍ତିର ଅପେକ୍ଷାରେ,
ପୁଣି ଇଚ୍ଛା ହୁଏ,
ବିହଙ୍ଗ ହୋଇ ଉଡୁଥାନ୍ତି କି ନୀଳ ଭୂମଧ୍ୟ ସାଗର ଉପରେ
ସିଗଲମାନଙ୍କ ସାଥିରେ
ଛୁଇଁଯା’ନ୍ତି ଆକାଶର ସୀମାହୀନ ଦିଗବଳୟକୁ ହଜିଯାଇ ତା’ ଗାଢ଼ ନିଳିମାରେ ।
କାଇଁ କେତେ ଇଚ୍ଛା ପୁଣି ମୋର,
ଫୁଟିଉଠନ୍ତି ନେଇ ପଳାଶର ରକ୍ତଲୋହିତ ବର୍ଣ୍ଣବିଭା
ଆଉ ପାଆନ୍ତି ଖୋଜି ନିଜକୁ ଗଙ୍ଗଶିଉଳିର ଭୁରୁଭୂରୁ ବାସ୍ନାରେ
ତ ଆଉ କେବେ ଝଟକୁଥାନ୍ତି ହୋଇ
ପାହାନ୍ତି ପହର ଅରୁଣିମାର ଶୁଭ୍ର-ପବିତ୍ର-ଶୋଭା ହୋଇ
ମୋ ସକାଳର ସ୍ୱପ୍ନରେ ।
ବୁଲୁଥାନ୍ତି କି ଗ୍ରୀସର ପାର୍ଥେନନରେ
ସହସ୍ର ସ୍ତମ୍ଭର ସମ୍ମିଳନୀରେ ଖୋଜନ୍ତି ମୁଁ ଦେବୀ ମିନର୍ଭାଙ୍କୁ
ମାଗନ୍ତି ଜ୍ଞାନର ଜ୍ୟୋତିରୁ କିଛି,
ସାଉଁଟି ଆଣନ୍ତି ମାନବିକତାର ଆଞ୍ଜୁଳାଏ ରଶ୍ମି ମୋ ଛୋଟ ପାପୁଲିରେ ।
କେବେ ନିଜକୁ ଦେଖିଛି ମୁଁ,
ତାଜମହଲର ଶଙ୍ଖ ମଲମଲ ମାର୍ବଲ ମୁକୁରରେ
ଆଉ କେବେ ପାଇଛି ନିଜକୁ ଅଜନ୍ତା ଏଲୋରାର ଗୁମ୍ଫା ଚିତ୍ରରେ
ସ୍ମୃତି କୋଷରେ ଆଜି ବି ବଞ୍ଚିଛି ଈଭ୍
ସେଇ ଆଡମର ପ୍ରେମିକା ନିଷିଦ୍ଧ ଫଳ ଖାଇ
ପାପର ମୂଳଦୁଆ ପକେଇଥିବା ମାୟାବିନୀ ନାୟିକା ।
ଇଚ୍ଛାର ଭିନ୍ନ ରୂପ ଭିନ୍ନ କେତେ ଚିତ୍ରପଟରେ ଜୀବନ କାନଭାସ
ତଥାପି ବଞ୍ଚିଛି ମୁଁ ନାରୀଟିଏ ହୋଇ
ସୃଷ୍ଟିର ସର୍ଜନାକୁ ସାର୍ଥକ କରିବାପାଇଁ ।
ଇଚ୍ଛାରୁ ସୃଷ୍ଟ ସ୍ଵପ୍ନକୁ ନିଜ ଛାତିରେ ଜଡ଼େଇ ଧରି
ଜୀବନ ଦାନ ଦେବାପାଇଁ ।
ଘଟାନ୍ତରର ଘନ ଅନ୍ଧକାର ପରେ,
ଆଲୋକର ପ୍ରାଜ୍ଞ ଆଭାସରେ
ଆଲୋକର ପ୍ରାଜ୍ଞ ଆଭାସରେ…
– ସୋନାଲି ସୁଚରିତା
Comments
ସୋନାଲି ସୁଚରିତା ଓ.ୟୁ.ଏ.ଟି ରୁ ପଢ଼ା ଶେଷ କରି ଓଡ଼ିଶା ସରକାରଙ୍କ ଅଧିନରେ ସହକାରୀ ମତ୍ସ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଆରେ ମଧ୍ୟ ଲେଖାଲେଖି କରନ୍ତି ଯିଏକି ସାମାଜିକ ଏବଂ ପାରିବାରିକ ଘଟଣାକୁ ଗଳ୍ପର ରୂପ ଦେଇଥାନ୍ତି ।