ଚନ୍ଦ୍ରକାନ୍ତିଙ୍କ ଦିନଲିପିରୁ…

Book Review Galpakanti (ଗଳ୍ପକାନ୍ତି) by Himanshu Bhushan Sahoo

ଗଳ୍ପ ଲେଖିବା ଶୈଳୀ ମୁଖ୍ୟତଃ ଶବ୍ଦସଜା, ଅଭିଜ୍ଞତା, କଳ୍ପନାଜଳ୍ପନା ଓ ପ୍ରତ୍ୟକ୍ଷତା ଉପରେ ଅଧିକ ନିର୍ଭର କରେ । ବେଳେବେଳେ ଶେଷ ଦୁଇଟି ଶୈଳୀରେ ଚାଳିଯାଏ । କିନ୍ତୁ, ଯଦି ଗଳ୍ପରେ ଏ ସବୁ ଉପାଦାନ ରହେ ! ତେବେ ?

ମୋ ମତରେ ତାହା ଜୀବନ୍ତରୁ ଜୀବନ୍ତକ ହୋଇଉଠେ ପାଠକଙ୍କ ପାଇଁ । ଲାଗେ ଗଳ୍ପ ନୁହେଁ, ଲାଗେ କେହିଜଣେ ଝରକା ସେପାଖେ ମୁହଁଟି ଗଳେଇ ଦେଖୁଛି ସୁଖଦୁଃଖର ସଂସାର ଏବଂ ଆମେ ବୁଝିପାରୁଥିବା ଭାଷା ଓ ଶୈଳୀରେ ବୁଝେଇଚାଲିଛି ।

ଏଇ ନିକଟ ଅତୀତରେ ଏପରି ଏକ ବହି ପ୍ରକାଶ ପାଇସାରିଛି ଯାହା ଉପରେ ଆଲୋଚନା କିମ୍ବା ସମୀକ୍ଷାର ପ୍ରକାଶ ପଡ଼ିବା ଅତ୍ୟନ୍ତ ଆବଶ୍ୟକ । ବାରଗୋଟି ପ୍ରତ୍ୟକ୍ଷ କାହାଣୀକୁ ନେଇ ପ୍ରକାଶନୀ ସଂସ୍ଥା ଶୁଭପଲ୍ଲବ ଆଣିଦେଇଛି ଗଳ୍ପକାନ୍ତି। ଗଳ୍ପକାନ୍ତିକୁ ଲେଖିଛନ୍ତି ସୁଶ୍ରୀ ଚନ୍ଦ୍ରକାନ୍ତି ପ୍ରଧାନ ଓ ସମ୍ପାଦନା କରିଛନ୍ତି ଶ୍ରୀଯୁକ୍ତ ତାପସ ରଞ୍ଜନ । ପ୍ରଚ୍ଛଦପଟ ଓ ପୃଷ୍ଠା ପୃଷ୍ଠାରେ ଦେଖିବାକୁ ମିଳେ ଶ୍ରୀଯୁକ୍ତ ସମ୍ବିତ ଦାସଙ୍କ କାରିଗରୀ । ଅଳଙ୍କର ଦେଇଛନ୍ତି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସେନାପତି ।

ବି.ଏସ.ସି ନର୍ସିଂର ସ୍ନାତକୋତ୍ତର ପରେ ଜୀବିକାରେ ଜଣେ ସରକାରୀ ନର୍ସିଂ ଅଫିସର ଭାବେ କାର୍ଯ୍ୟରତ ଚନ୍ଦ୍ରକାନ୍ତି ପ୍ରଧାନ । ଓଡ଼ିଆ ସାହିତ୍ୟ ପ୍ରତି ଦୁର୍ବଳତା ହିଁ ତାଙ୍କ ସହିତ୍ୟନ୍ମୁଖୀ ପ୍ରତିଭା ପ୍ରକାଶର ଅନ୍ୟଏକ କାରଣ । ଶବ୍ଦସଜା ଓ ପ୍ରତ୍ୟକ ଚରିତ୍ରର ହୃଦୟକୁ ଚିହ୍ନିପାରି ତାଙ୍କୁ ଅବିକଳ ଲେଖା ମାଧ୍ୟମରେ ଅବତରଣ କରିବାରେ ସେ ଧୁରୀ । ସେବା ସହିତ ସୁଖଦୁଃଖକୁ ଚିହ୍ନିବା, କାହା ହସରେ ହସ, ଲୁହରେ ଲୁହ ଝରାଇବା ହିଁ ତ ଜଣକୁ ମହାନ କରାଏ । ଗାଳ୍ପିକାଙ୍କ ପ୍ରଥମ ଗଳ୍ପ ସଙ୍କଳନ ପ୍ରକାଶିତ ହୋଇସାରିଛି ଶୁଭପଲ୍ଲବ ପ୍ରକାଶନୀ ସଂସ୍ଥା ଦ୍ୱାରା । ସଙ୍କଳନଟି ଆମାଜନ ଓ ଶୁଭପଲ୍ଲବରେ ଉପଲବ୍ଧ ।

ହଁ, ପ୍ରଥମ ଗଳ୍ପରୂପୀ ତାଙ୍କ ଅନୁଭୂତି ! ଗୋଟିଏ ଅମାଅନ୍ଧାରର କ୍ଷୀଣ ଅସରନ୍ତି ଜ୍ୟୋତି । ଆଖିରୁ କେଇଠୋପା ଲୁହ ନିଗାଡ଼ି ନଦେବ କି ଅର୍ଦ୍ଧାଙ୍ଗିନୀ ! ସେଇଥିପାଇଁ ତ ଏହା ମୋପାଇଁ ଗଳ୍ପ ନୁହେଁ, ତାଙ୍କ ଦିନଲିପିରୁ ଫର୍ଦ୍ଧଫର୍ଦ୍ଧ ଜୀବନ୍ତ ଅନୁଭୂତି । ସେଇ ଅନୁଭୂତି ଅବ୍ୟାହତ ଦେଖିଲି ଦ୍ଵିତୀୟ ଓ ତୃତୀୟ ଗଳ୍ପରେ । ଜଣେ ଦେଶ ସେବକ ସୈନିକର ଶେଷ ଦିନଗୁଡ଼ିକୁ ଯେପରି ସେ ନିଜେ ବଞ୍ଚିଗଲେ କିଛିକ୍ଷଣ । ବଞ୍ଚିବା ମରିବା ଓ ଜୀବନ ଉପଭୋଗ/ଅଭୋଗ କରିବାର ସମୟ ମଧ୍ୟରେ ଯେଉଁ ସାମ୍ୟକ ପରିବର୍ତ୍ତନ ଠିଆହୋଇପଡ଼ିଥାଏ ତାହା ହୁଏତ କୌଣସି ଡାକ୍ତରଖାନା ! ପରେ କିଛି ଏମିତି କାହାଣୀ ମଧ୍ୟ ଅଛି ଯାହା ସମାଜରେ ଗୋଟିଏ ଅନ୍ଧାର କୋଣରେ ରହିଯାଏ ତାହା ମଧ୍ୟରେ ଲେଖିକା ନିଜ ଲିଖନୀ ମାଧ୍ୟମରେ ଆଲୋକର ପ୍ରକାଶ ଦେଇଛନ୍ତି । ଯେବେ ନିଜ ଲୋକ ଦୂରେଇ ଯାଆନ୍ତି କିଛିଦିନ ପାଇଁ, ନାରୀଟିଏ ଅଷ୍ପୃଶ୍ୟ ହୋଇଯାଏ ସେତେବେଳେ କେହିଜଣେ ଯେପରି କୋଳେଇ ନେଇ କହେ ତୁ ମୋ ଅମୃତ ସନ୍ତାନ । ତୁ ନୁହେଁ ବରଂ ସେମାନେ ଅଷ୍ପୃଶ୍ୟ !ସେଇଥିପାଇଁ ମୋ ମତରେ ଜୀବନରେ ଅନେକ ସୁଖଦୁଃଖ ସମ୍ଭାଳୁଥିବା ଲିଖିକା ଜଣେ ଦ୍ଵିତୀୟ ଉପଈଶ୍ୱରୀ ।

ପ୍ରତ୍ୟେକ କାହାଣୀ ନିଜପାଇଁ ଗୋଟିଏ ଭିନ୍ନ ପୃଥିବୀକୁ ଚିହ୍ନାଇଥାଏ, ହା ହୁତାଶର ଗାଥା ଦେଖାଏ ତ ପ୍ରେମସ୍ନେହକୁ ଅଦାରିନେଇଥାଏ । କେଉଁଠି ଗଳ୍ପ ଶୁଦ୍ଧଶବ୍ଦରେ ଅଶୁଦ୍ଧତାକୁ ଉଦ୍ଧାର କରାଇଛନ୍ତି ତ କେଉଁଠି ରଙ୍ଗଆକାରରେ ରଙ୍ଗୀନ ଏ ଦୁନିଆରେ ପ୍ରଶ୍ନ କରିଛନ୍ତି ଯଦି ଆମ ଈଶ୍ୱର କଳା ତେବେ ଆମେ କେଉଁ କଳା କୁ ଘୃଣା କରୁଛେ ?ନିଜ ଆଖି ଓ ବିବେକରେ ଥିବା କାଳୀମାକୁ ଚିହ୍ନେଇ ଦେବାରେ ଖୁବ୍ ପ୍ରୟାସ କରାଇଛନ୍ତି । ଗଲେଇ ମାଉସୀରେ ସେ ଅସହାୟା ବୃଦ୍ଧାଙ୍କ ଆସନ୍ନ ଦୁଃଖ ନା ନିଜେ ଲେଖିକା କଳନା କରିପାରିବେ ନା କୌଣସି ଏକ ପାଠକ । ଏମିତି ପ୍ରତ୍ୟକ ଗଳ୍ପର ଛାତିରେ ନିଜନିଜ ପୃଥିବୀ ଗୋଟିଏ ଗଢ଼ି ଉଠିଛି । ତାହା ନପଢ଼ିଲେ ଜାଣିବେ କେମିତି ? କେମିତି ଜାଣିବେ କୋରନା ବେଳେ କେବଳ ଆମେ ନୁହେଁ ଡାକ୍ତରଖାନାରେ ନିଜ ଦାୟିତ୍ବ ତୁଲାଉଥିବା ପ୍ରତ୍ୟେକ କର୍ମଚାରୀ ମଧ୍ୟ କଷଣ ସହିଛନ୍ତି ! ପଢ଼ିଲେ ଜାଣିବେ ଯାହାଙ୍କୁ ଆମେ ଦ୍ଵିତୀୟ ଈଶ୍ୱରର ଆଖ୍ୟା ଦେଉଛେ ସେମାନେ ମଧ୍ୟ ଆମଭଳି ଲୁହ ଝରେଇ ପାରନ୍ତି । ଅନ୍ୟଙ୍କ ପାଇଁ କାନ୍ଦି ପାରନ୍ତି ।

ଅନେକ ଲୋକଙ୍କର ଗୋଟିଏ ଭ୍ରମ ଧାରଣା ଅଛି କି ଡାକ୍ତର, ନର୍ସ, କମ୍ପାଉଣ୍ଡର କିମ୍ବା ଡାକ୍ତରଖାନା ଆମକୁ ବୁଝନ୍ତି ନାହିଁ । ଆମ ଦୁଃଖରେ ସେମାନେ ଦୁଖୀ ନୁହଁନ୍ତି ।

ଏକଥା ସତ୍ୟ ନୁହେଁ, ସେମାନେ ବୁଝନ୍ତି ବୋଲି ଆମେ ନିରୋଗ ହଉ, ସେମାନେ ବୁଝନ୍ତି ବୋଲି ଆମକୁ ପୁନର୍ଜନ୍ମ ମିଳେ, ସେମାନେ ବୁଝନ୍ତି ବୋଲି ଆମ ଓଠରେ ହସ ଟିକିଏ ରହେ । ବିଶ୍ୱାସ ହେଉନି ? ତେବେ ଏ ପୁସ୍ତକଟି ପଢ଼ନ୍ତୁ, ଦେଖିବେ ଆପଣଙ୍କ ଦୁଃଖ ସୁଖରେ କେମିତି ଚନ୍ଦ୍ରକାନ୍ତି କାନ୍ଦେ, ହସେ, ନିଜକୁ ଖୋଜିପାଏ !

ଆସନ୍ତୁ ସେଇ ସୁଖଦୁଃଖର ଚକ୍ରରେ ଖୋଜି ବାହାର କରିବା ଗଳ୍ପକାନ୍ତିରେ ଥିବା ନିଜ ନିଜର ଚରିତ୍ର ।

ସୁଶ୍ରୀ ଚନ୍ଦ୍ରକାନ୍ତି ପ୍ରଧାନଙ୍କ ଅନେକ କବିତା ଓ ଗଳ୍ପ ଭିନ୍ନ ଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇସାରିଛି । ସେ କେବଳ ଯେ ଜଣେ ଗାଳ୍ପିକା ତାହା ନୁହେଁ, ସେ ଜଣେ ସମାଜସେବୀ ସହିତ ଜଣେ ଦକ୍ଷ ଚିତ୍ରଶିଳ୍ପୀ ମଧ୍ୟ । ତାଙ୍କ ସୂକ୍ଷ୍ମଚିତ୍ର ଅନେକବାର ଦେଖିବାକୁ ମିଳେ ସାମାଜିକ ଗଣମାଧ୍ୟମରେ ।

ବିଭିନ୍ନ ପତ୍ର ପତ୍ରିକାରେ ଲେଖିକାଙ୍କ ଗଳ୍ପ ଓ କବିତାମାନ..

– ହିମାଂଶୁ ଭୂଷଣ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply