You are currently viewing ଏମିତି କାହିଁକି ହୁଏ?
ଏମିତି କାହିଁକି ହୁଏ?

ଏମିତି କାହିଁକି ହୁଏ?

ଆଶ୍ରା ନେଇଥିବା ବାଇ ଚଢ଼େଇଟି ନୀଡ଼ ଭାଙ୍ଗି ଉଡ଼ି ଯାଏ
ଜମା ହେଇଥିବା ବରଫ ଖଣ୍ଡଟି ପାଣି ପରି ବୋହି ଯାଏ
ଏମିତି କାହିଁକି ହୁଏ?

ଅଚିହ୍ନା ଲୋକଟେ ଭିଡ଼ ଭିତରୁ ଆପଣାର ମନେ ହୁଏ
ନିଜର ଲୋକଟି ପାଖରେ ଥାଇ ବି ନିଜଠୁ ଦୂରେଇ ଯାଏ
ଏମିତି କାହିଁକି ହୁଏ?

ବେଳାଭୂମିରୁ ବାଲି ଘରଟିକୁ ସମୁଦ୍ର ଭସେଇ ନିଏ
କାହିଁ କେତେ ଦୂରୁ ଶାମୁକା ଗର୍ଭରୁ ମୁକୁତା ଫେରେଇ ଦିଏ
ଏମିତି…. କାହିଁକି ହୁଏ ?

ମନ ଖୋଜୁଥିବା ଆପଣା ଲୋକଟି ଦୂରେ ଥାଇ ମନେ ପଡ଼େ
ଦେଖା ଯାଉନାହିଁ ଆଉ କେହି କାଇଁ ଏତେ ଭିଡ଼ ଚାରି ଆଡ଼େ
ଏମିତି କାହିଁକି ହୁଏ?

ଘୃଣା କରୁଥିବା ଲୋକଟିକୁ କାଇଁ ମନ ଭଲ ପାଇଯାଏ
ଭଲ ପାଉଥିବା ମଣିଷଟିକୁ ମନରୁ ଦୂରେଇ ଦିଏ
ଏମିତି କାହିଁକି ହୁଏ?

ଭୁଲିବାକୁ ଚାହେଁ ଯୋଉ ସ୍ମୃତିଟିକୁ ବାରମ୍ବାର ମନେ ପଡ଼େ
ଭାଙ୍ଗିଯିବ ବୋଲି ଜାଣିବା ପରେ ବି ବାଲି ଘର କାଇଁ ଗଢ଼େ
ଏମିତି କାଇଁକି ହୁଏ?

କଥା ଦେଇଥିବା ମଣିଷଟି କାଇଁ ମୁହଁ ମୋଡ଼ି ଚାଲିଯାଏ
ଅଜଣା ବାଟୋଇ ଯାତ୍ରା ମଧ୍ୟେ ଆସି ଶେଷ ଯାଏ ସାଥି ହୁଏ
ଏମିତି କାଇଁକି ହୁଏ?

ଦୋଷ ନ ଥାଇ ବ ଦୋଷୀ ହବା ପାଇଁ ପରିସ୍ଥିତି ବାଧ୍ୟ କରେ
ସବୁ ବୁଝି ସୁଝି ଅବୁଝା ହେଲେ ଏ ମନ ବା କି କରି ପାରେ
ଏମିତି କାହିଁକି ହୁଏ?

ସଞ୍ଜ ନଇଁ ଗଲେ ଯେତେ ଦୂରେ ଥିଲେ ପକ୍ଷୀଟି ବସାକୁ ଫେରେ
ଯେତେ ରାଗ ରୁଷା ଅଭିମାନ ଥିଲେ ଆପଣା କି ପର କରେ
ଏମିତି କାହିଁକି ହୁଏ?

ଝଡ଼ ବତାସରେ କାଗଜ ଡଙ୍ଗାଟି ନାଚି ନାଚି ଭାସି ଯାଏ
ବଜ୍ର ପରି ଶକ୍ତ ପାଣି ଜାହାଜଟି ଅକାରଣେ ବୁଡ଼ି ଯାଏ
ସତରେ ଏମିତି କାହିଁକି ହୁଏ??

ଚିନ୍ମୟ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚିନ୍ମୟ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।