✍ ଅଷ୍ଟାବିଂଶ ସମ୍ପାଦକୀୟ

Editorial Page of Shubhapallaba 28th Edition

ଆଷାଢ଼ ଶୁକ୍ଳ ଦ୍ଵିତୀୟା, ମହାପ୍ରଭୁଙ୍କର ନବ ଦିନାତ୍ମକ ଗୁଣ୍ଡିଚା ଯାତ୍ରା ପାଇଁ ବଡ଼ ଦାଣ୍ଡ ଚଳଚଞ୍ଚଳ, ଉତ୍ସବ ମୁଖର । ଚାରିଆଡ଼େ ଭକ୍ତିମୟ ପରିବେଶ । ବତାବରଣରେ ସତେ ଯେମିତି ଫେଣ୍ଟି ହୋଇଛି ବିଭୁକୃପାର ସୂକ୍ଷ୍ମ କଣାମାନ ! ପବିତ୍ର ଭାବଟିଏ ଆବୋରି ବସିଥାଏ ସବୁକିଛି । ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଭାଇ ଭଉଣୀଙ୍କସହ ରଥାରୋହଣ କରି ମହାପ୍ରଭୁ ପହଞ୍ଚିଛନ୍ତି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ । ଘଣ୍ଟ-ଘଣ୍ଟା, ଶଙ୍ଖ, ମୃଦଙ୍ଗ, କାହାଳୀ ସହ ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲି । ମହାପ୍ରଭୁଙ୍କର ଆଗମନରେ ସବୁ ଯେପରି ଜଗନ୍ନାଥମୟ ! ଭକ୍ତ ଭଗବାନ ସବୁ ଯେପରି ଏକାକାର ! ସତେ ଯେପରି ସେଇ ମୁହୂର୍ତ୍ତରେ କୋଟି ବ୍ରହ୍ମାଣ୍ଡ କ୍ଷଣିକ ମଧ୍ୟରେ ସମାହିତ ହେଇଯାଇଛି ଶରଧାବାଲିରେ !! ବିଶାଳ ଜନସମୁଦ୍ରର ଉତ୍ତାଳ ପରେ ଉତ୍ତାଳ ଆସି ବିଲୀନ ହେଉଥାନ୍ତି ରଥ ସମ୍ମୁଖରେ । ରଥ ଉପରେ ମହାପ୍ରଭୁଙ୍କର ଦୁର୍ଲ୍ଲଭ ଦର୍ଶନ ନିମିତ୍ତ ବ୍ୟାକୁଳ କୀଟ ପତଙ୍ଗଠାରୁ ଆରମ୍ଭ କରି ଅବାଳ ବୃଦ୍ଧ ବନିତା ଯାଏ । ଏ ସବୁ ପ୍ରତି ଧ୍ୟାନ ନ ଦେଇ ମହାପ୍ରଭୁଙ୍କ ଝଲକାଏ ମାତ୍ର ଦର୍ଶନ ନିମିତ୍ତ ବ୍ୟାକୁଳ ବୟସର ସନ୍ଧ୍ୟାରେ ଉପନୀତ ଜନୈକ ମାଉସୀ । ସତ ଚେଷ୍ଟା ସତ୍ତ୍ୱେ ମାଡ଼ି ଆସୁଥିବା ଜନ ସମୁଦ୍ରର ଦଲକା ଦଲକା ଲହଡ଼ିକୁ ପ୍ରତିହତ କରି ନପାରି ବଡ଼ କରୁଣ ଆଉ ବିକଳ ଦିଶୁଥାଏ ତାଙ୍କ ମୁହଁ । ଏ ସବୁକୁ ଖଣ୍ଡେ ଦୂରରୁ ଥାଇ ଲକ୍ଷ୍ୟ କରୁଥାଏ ମୁଁ । ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀକୁ ବିଜେ କରିବା ପରେ ଚାରମାଳ ଖୋଲା ଚାଲିଥାଏ । ରଥ ସାମ୍ନାରେ ଖୋଲାଯାଇ ରଖାଯାଇଥିବା ରଥ ଦଉଡ଼ି । ଏଇ ତ ସମୟ ! ତାଙ୍କୁ ରଥ ପାଖକୁ ନେଇଯିବାର !! ହାତଧରି ଆଗକୁ ଆଗକୁ ଟାଣିନେଲି ତାଙ୍କୁ । ରଥ ଦଉଡ଼ି ସମ୍ମୁଖରେ ସେ କହିଲେ, “ବାପ ! ଆଉ ଆଗକୁ ଯାଇ ପାରିବିନି । ଏଇ ରଥ ଦଉଡ଼ିକୁ ଟିକେ ମଥାରେ ଲାଗେଇଦିଏ, ମୋର ଦର୍ଶନ ହେଇଯିବ । ମହାପ୍ରଭୁ କିଏ, ଏ ରଥ କିଏ ଆଉ ଏ ରଥ ଦଉଡ଼ି କିଏ !? ସବୁ ତ ସେଇ ଜଗନ୍ନାଥ; ମୋ କାଳିଆ ସାଆନ୍ତ !!!” ଆଖିରେ ତାଙ୍କର ଲୁହ, ଆଖିରେ ମୋର ଲୁହ । ଚାହିଁଲି ଥରେ ଶୂନ୍ୟକୁ, ଶୂନ୍ୟରେ ଥାଇ ସତେ ଯେପରି ସେ ମୁରୁକି ମୁରୁକି ହସୁଥାଏ ଆଉ କହୁଥାଏ, “ବନ୍ଧୁ ! ଭୁଲିଗଲ ନା ବ୍ରହ୍ମ କଥା !? ବ୍ରହ୍ମ ସତ୍ୟଂ ଜଗନ୍ମିଥ୍ୟା ଜୀବେ ବ୍ରହ୍ମୈବ ନାପରଃ…”

ସତେ ତ ! ଏ ଜଗତରେ ବ୍ରହ୍ମ ବ୍ୟତୀତ ଆଉ କଣ ବା ସତ୍ୟ !? ସେଇ ବ୍ରହ୍ମ ଯାହାକୁ ସ୍ପର୍ଶ କରିଦିଏ, ଯାହା ଭିତରେ ଥରେ ସଞ୍ଚାରିତ ହୁଏ; ସିଏ ଜଡ଼ ହେଉ ବା ଜୀବ; ବ୍ରହ୍ମରେ ତ ପରିଣତ ହୋଇଯାଏ ! ତା’ହେଲେ ରଥାରୂଢ଼ ସେ ଠାକୁର କିଏ ଆଉ ସେ ବସିଥିବା ଏ ରଥ କିଏ? ଏ ଶରଧାବାଲି କିଏ ଆଉ ଏ ରଥ ଦଉଡ଼ି କିଏ?? ସବୁ ତ ସେହି ବ୍ରହ୍ମ ! ରଥ ଉପରେ ଥିବା ସେ କାଳିଆ ଠାକୁର ଯିଏ, ରଥ ବି ତ ସିଏ ଆଉ ଏ ରଥ ଦଉଡ଼ି ବି ତ ସିଏ !! ସ୍ୱୟଂ ବ୍ରହ୍ମ ସ୍ୱରୂପ ମହାପ୍ରଭୁ ଜଗନ୍ନାଥ !!! ତେଣୁ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରିବା ଯାହା, ମହାପ୍ରଭୁ ଆରୋହଣ କରିଥିବା ଏ ରଥକୁ ଆଉ ରଥ ଦଉଡ଼ିକୁ ବି ମୁଣ୍ଡିଆ ମାରିବା ସେଇଆ । ଆଖି ଫେରାଇ ଚାହିଁଲା ବେଳକୁ ମାଉସୀ ନଥିଲା ପାଖରେ, ମୋ ଆଖିରୁ କିନ୍ତୁ ନିରବଚ୍ଛିନ୍ନ ପ୍ରବାହଟିଏ ବୋହି ଚାଲିଥିଲା ସେମିତି…

ଜୟ ଜଗନ୍ନାଥ

Tapas Ranjan Signature

 

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...