You are currently viewing ✍ ଷୋଡ଼ଶ ସମ୍ପାଦକୀୟ
Editorial Page of Shubhapallaba 16th Edition

✍ ଷୋଡ଼ଶ ସମ୍ପାଦକୀୟ

ସେ ଲୀଳାମୟ ! ଯୁଗେ ଯୁଗେ ତାଙ୍କରି ଲୀଳା ହିଁ ସଂଗଠିତ ହୋଇଆସୁଛି ଏ ସଚରାଚାର ବିଶ୍ୱ ବ୍ରହ୍ମାଣ୍ଡରେ । କେବେ ଅନ୍ତରୀକ୍ଷର ମହାଜାଗତିକ କାର୍ଯ୍ୟ ରୂପେ ତ କେବେ ଧରାପୃଷ୍ଠରେ ମାନବୀୟ ରୂପରେ । ସେ ଅବତାରୀ ! ମାନବୀୟ ଲୀଳାଖେଳାକୁ ସମ୍ପାଦିତ କରିବା ପାଇଁ ସେ ଅବତାର ନିଅନ୍ତି ଯୁଗେ ଯୁଗେ, କେବେ ରାମ ତ କେବେ କୃଷ୍ଣ ହୋଇ । ସମସ୍ତ ଜଡ଼ ଓ ଚେତନାରେ ପୂର୍ଣ୍ଣ ଗୁଣର ସେ ସାକାର ରୂପ, ପୁଣି ପରଂବ୍ରହ୍ମ ମହାଶୂନ୍ୟରେ ସେ ହିଁ ନିର୍ଗୁଣ ନିରାକାର ରୂପ । କଳିଯୁଗରେ ସେ ହିଁ ତ ନୀଳକନ୍ଦର ନିବାସୀ ଶୂନ୍ୟସ୍ୱରୂପ ଦାରୁବ୍ରହ୍ମ ଜଗନ୍ନାଥ । ସେ ଭାବ, ସେ ଭକ୍ତି । ସେ କାମ୍ୟ ସେ ହିଁ କାମନା । ସେ ଆଦିଯୋଗୀ ପୁଣି ସେ ମହାଭୋଗୀ । ସେ ସୀମିତ ପୁଣି ସେ ପରିବ୍ୟାପ୍ତ । ସେ ଅତ୍ର, ତତ୍ର ସର୍ବତ୍ର । ସେ ହିଁ ତ କୋଟି ହୃଦୟର ମଉଡ଼ମଣି ଓଡ଼ିଆ ହୃଦୟ ରାଜା । ତାଙ୍କ ସହ ଜଡ଼ିତ ପ୍ରତ୍ୟେକ ଓଡ଼ିଆର ଭାବ ଓ ଭାବନା । ସେଥିପାଇଁ ତ ସେ ତା’ ପରିବାରର ଜଣେ । ତାଙ୍କର ସବୁ ଲୀଳା ଈଶ୍ୱରୀୟ ପୁଣି ମାନବୀୟ । ଜଗତ କଲ୍ୟାଣ ନିମିତ୍ତ ତାଙ୍କର ସବୁ ପର୍ବ, ସବୁ ଯାତ୍ରା । ସ୍କନ୍ଧ ପୁରାଣ ଅନୁସାରେ, ବ୍ରହ୍ମା ତଥା ତେତ୍ରୀଶ କୋଟି ଦେବତାଙ୍କ ଉପସ୍ଥିତିରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ସେ ହିଁ ନିର୍ଦେଶ ଦେଇଥିଲେ ତାଙ୍କପାଇଁ ବାର ମାସରେ ତେର ପର୍ବ କରିବା ପାଇଁ । ଆଉ ସେହି ପରମ୍ପରା ଆଜି ବି ଅକ୍ଷୁର୍ଣ୍ଣ ରହିଛି । ଦାରୁବ୍ରହ୍ମ ଶ୍ରୀମନ୍ଦିରର ରତ୍ନ ସିଂହାସନରେ ବିରାଜମାନ ଥିବା ଅବସ୍ଥାରେ ଏହା କେବେ ବି ବନ୍ଦ ହୋଇନାହିଁ । ରଥଯାତ୍ରା ତ ତା’ରି ଭିତରୁ ଗୋଟେ ! ଏହା ସହ ଜଡ଼ିତ ସ୍ୱୟଂ ନାରାୟଣଙ୍କ ବଚନ । ଶବର ରାଜା ବିଶ୍ୱାବସୁର ଦାୟାଦମାନଙ୍କୁ ତାଙ୍କର ସେବା କରିବାର ସୁଯୋଗ ପାଇଁ ଦେଇଥିବା ବଚନ । ସେମାନଙ୍କ ଭାବ ଓ ଭକ୍ତିର ମହାସମୁଦ୍ରରେ ଭାସିଯିବାର ବଚନ । ତାକୁ ଅବମାନନା କରିବାକୁ ଆମ ଭଳି ସାଧାରଣ ମନୁଷ୍ୟର ସାଧ୍ୟ ବା କାହିଁ?

ସାମ୍ପ୍ରତିକ ପରିସ୍ଥିତିରେ ଲକ୍ଷ ଲକ୍ଷ ଜନତାଙ୍କ ସ୍ୱାସ୍ଥ୍ୟ ତଥା ଜୀବନ ପ୍ରତି ଥିବା ବିପଦକୁ ଆଖିଆଗରେ ରଖି ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶମାନେ ଯେତେବେଳେ ରଥଯାତ୍ରା ବନ୍ଦ ପାଇଁ ନିର୍ଦେଶ ଦେଲେ, କାନ୍ଦି ଉଠିଲା କୋଟି କୋଟି ଭକ୍ତଙ୍କ ହୃଦୟ । ସ୍ଥାନୀୟ ସରକାରୀ କଳର ସ୍ଥାଣୁତା ତଥା ଯାତ୍ରା ସଂଗଠିତ ନ କରିବାର ମାନସିକତା ବିରୁଦ୍ଧରେ ଜନ ଆକ୍ରୋଶ ତେଜିଲା । ଲାଗିଲା ସତେ ଯେପରି ମହାପ୍ରଭୁ ହିଁ ଏ ସବୁର ଗୁପ୍ତ ନିର୍ଦ୍ଦେଶକ ! ଆଉ ତାଙ୍କରି ନିର୍ଦେଶରେ ସଙ୍ଗଠିତ ହେଇ ଚାଲୁଛି ଏ ସବୁ । ରଥଯାତ୍ରାର କିଛି ଘଣ୍ଟା ପୂର୍ବରୁ ଯେତେବେଳେ ନିର୍ଦ୍ଧିଷ୍ଟ ସର୍ତ୍ତାବଳୀ ସହ ରଥ ଟଣାଯିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଲେ, ଭାଙ୍ଗି ପଡ଼ିଲା କୋଟି କୋଟି ଭକ୍ତଙ୍କ ଭକ୍ତି ଆଉ ଭାବର ବନ୍ଧ । ଏକ ଅଜଣା ଖୁସିର ଲହରୀ ପ୍ରବାହିତ ହେଇଗଲା ସମସ୍ତ ଜଡ଼ ଓ ଚେତନାରେ । ଏବେ କାହାକୁ ଦୋଷ ଦେବାକୁ ନଥିଲା । ଥିଲା ଏକାତ୍ମ ହୋଇ ମହାପ୍ରଭୁଙ୍କ ଶ୍ରୀ ଚରଣାରବିନ୍ଦରେ ନିଜକୁ ହଜାଇ ଦେବାର । କୋଟି କଣ୍ଠରୁ ଝରି ପଡ଼ୁଥିଲା- “ଧନ୍ୟ ଲୀଳାମୟ ! ଧନ୍ୟ ତୁମରି ଲୀଳା” । ସତରେ ଧନ୍ୟ ତାଙ୍କର ଲୀଳା; ଯାହା ଦେବ, ଦାନବ, ଯକ୍ଷ, କିନ୍ନର ସମସ୍ତଙ୍କୁ ଅଗୋଚର; ଆଉ ଏ ଲୀଳା ମଧ୍ୟ ଅନ୍ୟ ଲୀଳାମାନଙ୍କ ଭଳି ଯୁଗ ଯୁଗକୁ ଲିପିବଦ୍ଧ ହୋଇ ରହିଗଲା !

“ସେ ତ ଭକତ ଭାବରେ ବନ୍ଧାରେ
ସେ ତ ଭକତ ଜୀବନ ଧନ….”

ଜୟ ଜଗନ୍ନାଥ

Tapas Ranjan Signature

 

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।