ପ୍ରେମ – ହୃଦୟ ପେଡ଼ିର କେଉଁ ନିଭୃତ କୋଣରେ କାହାପାଇଁ ସାଇତା ହୋଇ ମହ ମହ ବାସୁଥିବା ପବିତ୍ରତମ ଏକ ଅପ୍ରକାଶ୍ୟ ଭାବନା । କେବେ ସେ କଜ୍ଜ୍ୱଳର ଗାଢ଼ ପରଦାକୁ ଆଡ଼େଇ ଲାଜେଇ ଚାହେଁ, କେବେ ଥର ଥର ପ୍ରକମ୍ପିତ ଓଠରେ ଦୁଷ୍ଟାମିର ହସହୋଇ ଲୁଚିଯାଏ ତ ଆଉ କେବେ ଚିକ୍ ମିକ୍ ତାରାଫୁଲ ହୋଇ ଚମକୁଥାଏ ଘନକୃଷ୍ଣ କୁନ୍ତଳରେ । କେବେ ସେ ବସନ୍ତର ପହିଲି ଛୁଆଁ ହୋଇ ମନରେ ଅଜଣା ପୁଲକ ଖେଳାଏ ତ ପୁଣି କେବେ ଦିଏ ଝାଞ୍ଜିର ସନ୍ତାପିତ ବିରହ ବେଦନା । ପ୍ରତିବେଶୀ ମନ ଯେବେ ଝୁରିହୁଏ କାହାର ଉନ୍ମେଷ, କାହାର ଅନୁପସ୍ଥିତିରେ ଖୋଜୁଥାଏ ସାନ୍ନିଧ୍ୟର ନିବିଡ଼ ଆଶ୍ଳେଷ, ଅନାବନା ଖିଆଲରେ ସାଉଁଟୁଥାଏ ଶୋରିଷ କ୍ଷେତର ମହକ, କେବେ ଚେନାଏ ହସର ତରଙ୍ଗରେ ଭାସୁଥାଏ, କେବେ ଅସରାଏ ଲୁହରେ ଭିଜୁଥାଏ ତ ପୁଣି କେବେ ଆନମନା ଭାବନା ହୋଇ ଡେଇଁଯାଏ ଦୂର ଦିଗ୍ବଳୟ, ସେବେ କଳ୍ପନା ବୀଜର ଅଙ୍କୁରୋଦ୍ଗମ ଆଲୋକର ପ୍ରତୀକ୍ଷାରେ ଥାଏ – ପ୍ରେମ ହେଇଯାଏ !!
ମିଳନର ମହାର୍ଘ୍ୟ ମୁହୂର୍ତ୍ତକୁ ତିଳ ତିଳ ପ୍ରତୀକ୍ଷା କରୁଥିବା ପ୍ରେମ, କେବେ ଘୁରିବୁଲେ ପରୀ ରାଇଜରେ ତ କେବେ ଅନାବନା ସ୍ୱପ୍ନ ବୁଣେ ପ୍ରେମ ପାରାବାରେ । ପ୍ରିୟତମର ନିକଟତର ହେବାପାଇଁ କେବେ ଲଙ୍ଘିଯାଏ କଣ୍ଟକିତ ଗିରିପଥ, କେବେ ଅତିକ୍ରମୀ ଯାଏ ସାତ ସମୁଦ୍ରର ନୀଳ ଜଳରାଶି ତ କେବେ ପ୍ରେରଣ କରେ କାଳିଦାସର ଶୁଭ୍ର ମେଘଦୂତ ଶରତ ଆକାଶରେ । ତା’ ପାଇଁ କେବେ ନିରୋଳା ସ୍ନପ୍ନ ଟିକକ ପାଲଟିଯାଏ ବଞ୍ଚିବାର ଉପଜିବ୍ୟ ତ କେବେ ପ୍ରିୟତମ ସରାଗରେ ଭେଟି ଦେଇଥିବା କେଉଁ ପ୍ରେମ ସନ୍ତକ ! ଯେମିତି ଦିନେ ରାଜା ଦୁଷ୍ମନ୍ତ ପ୍ରଦତ୍ତ ରତ୍ନ ମୁଦି ସାଜିଥିଲା ଉପଜିବ୍ୟ ପ୍ରେମ ପାଗଳିନୀ ମେନକା ତନୟା ଶକୁନ୍ତଳା ପାଇଁ । ପ୍ରେମ ଆଶା ଭରେ, ଶୁଦ୍ଧ କରେ ମନକୁ, ହୃଦୟକୁ । କରୁଣାର ନିର୍ଝରିଣୀ ହୋଇ କୁଳୁ କୁଳୁ ବୋହୁଥାଏ ପ୍ରେମପୂର୍ଣ୍ଣ ହୃଦୟ ବିଥିକାରେ । ଫଗୁଣର ଫଲ୍ଗୁ ବିଛେଇ ରଙ୍ଗ ଭରେ ଜୀବନରେ ।
ପ୍ରେମ ହେବାକୁ ଦିଅନ୍ତୁ; ତାହାର କୌଣସି ନାଁ ଦିଅନ୍ତୁ ନାହିଁ । ନାମକରଣ କରି ପ୍ରେମକୁ ସମ୍ପର୍କରେ ବାନ୍ଧିରଖନ୍ତୁ ନାହିଁ । ଏହା ଏକ ମିଠା ଅନୁଭବ; ହୃଦୟ ଦେଇ ଏହାକୁ ଅନୁଭବ କରନ୍ତୁ । ପ୍ରେମକୁ ପ୍ରେମ ହିଁ ରହିବାକୁ ଦିଅନ୍ତୁ, କୌଣସି ନାଁ ଦିଅନ୍ତୁ ନାହିଁ…
ବିଗତ ବର୍ଷରେ ଆପଣମାନଙ୍କ ଅକୁଣ୍ଠିତ ସହଯୋଗ ପାଇଁ ଆମେ ଏ ବର୍ଷ ଏକ ସଂକଳ୍ପ ନେଇଥିଲୁ ଆଉ ସେହି ସଂକଳ୍ପ ଅନୁସାରେ ପ୍ରତି ମାସରେ ପ୍ରକାଶ କରିବାର ପ୍ରତିବଦ୍ଧତାକୁ ଆମେ ଦୋହରାଉଛୁ ଏ ବର୍ଷର ଏହି ଦ୍ଵିତୀୟ ସଂସ୍କରଣ ମାଧ୍ୟମରେ ।
ପ୍ରେମର ଏହି ଋତୁରେ ଆମର ଅଗଣିତ ପାଠକ ପାଠିକାମାନଙ୍କୁ ଅଶେଷ ଅଶେଷ ଭଲପାଇବା ସହ…
Comments
ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।