You are currently viewing କାନିକା
Kanika Recipe (କାନିକା ପ୍ରସ୍ତୁତି) by Puspita Bhutia

କାନିକା

ମହାପ୍ରଭୁ ଜଗନ୍ନାଥଙ୍କ ଲୀଳା ଅପାର । ସେ ପରା ବଡ଼ଖିଆ କାଳିଆ ଠାକୁର, ସେଇଥିପାଇଁ ତାଙ୍କ ପାଖରେ ୬୦ ପଉଟି ଭୋଗ ଲାଗିହୁଏ । ମହାବାହୁଙ୍କ ୫୬ ଭୋଗ ଭିତରୁ କାନିକା ହେଉଛି ଅନ୍ୟତମ । ଜଗନ୍ନାଥଙ୍କର ତିନି ଭୋଗ ମଧ୍ୟରୁ ବଡ଼ସଙ୍ଖୁଡ଼ି ଭୋଗରେ କାନିକା ଲାଗି କରାଯାଏ । ଯଦିଓ ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ହେଉଥିବା କାନିକାର ପ୍ରସ୍ତୁତି ଶୈଳୀ ଭିନ୍ନ, ତଥାପି ମୁଁ ଚେଷ୍ଟା କରିଛି କାନିକା ପ୍ରସ୍ତୁତ କରିବାକୁ ।

ଆବଶ୍ୟକୀୟ ସାମଗ୍ରୀ:

୧. ଗାଟେ କପ୍ ବାସୁମତୀ ଚାଉଳ
୨. ପାଣି – ୨.୫ କପ୍
୩. ଚିନି – ଅଧା କପ୍‌ରୁ କମ୍
୪. ଘିଅ – ୨ ଚାମଚ
୫. କାଜୁ – ୮/୧୦ଟା କିମ୍ବା ଅଧିକ
୬. କିସ୍‌ମିସ୍ – ୭/୮ଟା କିମ୍ବା ଅଧିକ
୭. ତେଜପତ୍ର – ୨ଟା
୮. ଗୁଜୁରାତି – ୨ଟା
୯. ଡାଲଚିନି – ଖଣ୍ଡେ
୧୦. ଲବଙ୍ଗ – ୩/୪ଟା
୧୧. ହଳଦୀଗୁଣ୍ଡ – ୧ ଚାମଚ
୧୨. ଲୁଣ – ସ୍ୱାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚାଉଳକୁ ଅଧାଘଣ୍ଟା ପାଣିରେ ଭିଜାଇ ରଖନ୍ତୁ । ପାଣିରୁ ଛାଣି କିଛି ସମୟ ପ୍ଲେଟ୍‌ରେ କାଢ଼ି ଦିଅନ୍ତୁ ।

ଏହା ପରେ କଢ଼େଇରେ ଘିଅ ଗରମ କରି କାଜୁ ଓ କିସ୍‌ମିସ୍‌କୁ ଭାଜିକରି କାଢ଼ି ରାଖନ୍ତୁ । ସେହି ଘିଅରେ ସବୁ ଗୋଟା ମସଲାକୁ ଭାଜନ୍ତୁ । ସେଥିରେ ବାସୁମତି ଚାଉଳ ପକାଇ ୨ ମିନିଟ୍ ଭାଜନ୍ତୁ । ଏବେ ଚାଉଳରେ ହଳଦୀଗୁଣ୍ଡ, ଲୁଣ ଓ ଚିନି ଦେଇ ଭଲ ଭାବରେ ମିଶାନ୍ତୁ ।

ଏହାପରେ ଚାଉଳ ଓ ଭଜା ହୋଇଥିବା ସମସ୍ତ ଖଣ୍ଡ ମସଲା, କାଜୁ, କିସ୍‌ମିସ୍ ଆଦିକୁ ୨ କପ୍ ପାଣି ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ ଏବଂ ଢାଙ୍କୁଣି ଦେଇ ୧୦/୧୫ ମିନିଟ୍ ଧିମା ଆଞ୍ଚରେ ରାନ୍ଧନ୍ତୁ ।

ରାନ୍ଧିବାବେଳେ ମଝିରେ ଥରେ ଗୋଳେଇ ଦିଅନ୍ତୁ, ନଚେତ୍ କାନିକା ଲାଗିଯାଇପାରେ । ଏବେ କାନିକା ପ୍ରସ୍ତୁତ ହେଇଗଲା । ଏହାକୁ ଡାଲମା, ଖଟା ଓ ଶାଗ ସହିତ ପରସନ୍ତୁ । କେବେ ଯଦିଓ ଘରେ କାନିକା ପ୍ରସ୍ତୁତ କରନ୍ତି, ତେବେ ମୋତେ ମୋର ଇନ୍‌ଷ୍ଟାଗ୍ରାମ୍ @puspita_ki_rasoiରେ ଟ୍ୟାଗ୍ କରିବାକୁ ଭୁଲିବେନାହିଁ ।

ପୁଷ୍ପିତା ଭୁତିଆ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଖାଇବାକୁ ଏବଂ ଖୁଆଇବାକୁ ଭଲ ପାଉଥିବା ମଣିଷଟିଏ ହେଉଛନ୍ତି ପୁଷ୍ପିତା ଭୁତିଆ ।