✍ ଦଶମ ସମ୍ପାଦକୀୟ

Editorial Page of Shubhapallaba 10th Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାଲର ପ୍ଲାଟଫର୍ମ ନଂ-୧ରେ ମୁଁ ପ୍ରତୀକ୍ଷା କରିଥାଏ ମୋ ଟ୍ରେନକୁ । ହେଲେ ତା’ ପୂର୍ବରୁ ପ୍ଲାଟଫର୍ମରେ ଆସି ପହଞ୍ଚିଲା ଏକ ପସେଞ୍ଜର । ଲୋକାରଣ୍ୟ ପ୍ଲାଟଫର୍ମଟିରେ ଯିଏ ମୋର ଦୃଷ୍ଟି ଆକର୍ଷଣ କଲା ତାହାଥିଲା ଗୋଟେ ବୁଲା କୁକୁର । ଭୋକିଲା କୁକୁରଟି ଭୋକ ବିକଳରେ ଖାଦ୍ୟ ଅନୁସରଣରେ ୟା’ ତା’ ପାଖରେ ମୁହଁ ମାରୁଥିଲା, ହେଲେ ସବୁଠି ତାକୁ ଖାଦ୍ୟ ପରିବର୍ତ୍ତେ ମିଳୁଥିଲା ଗୋଇଠା ମାଡ଼ । କେହି କେହି ପାଣି ଫିଙ୍ଗି ତାକୁ ଦୂରକୁ ଘଉଡ଼ଉ ଥିଲେ ମଧ୍ୟ ! ତଥାପି ସେ ଚିପ୍ସ ଖାଉଥିବା କାହା ମୁହଁକୁ ଚାହିଁ ରହୁଥିଲା ତ ବିସ୍କୁଟ ଖିଆ ଲୋକ ପାଖରେ ଟିକେ ଠିଆ ହେଉଥିଲା । ଦୁର୍ଭାଗ୍ୟକୁ ମୋ ପାଖରେ ସେମିତି କିଛି ନ ଥିଲା ଯାହା ତା’ କ୍ଷୁଧା ନିବାରଣ କରି ପାରିବ । ମନ ମୋର କାନ୍ଦି ଉଠିଲା କିଛି କ୍ଷଣ ପାଇଁ । ଠିକ ସେହି ସମୟରେ ପସେଞ୍ଜରରୁ ଓହ୍ଲାଇଲେ ଜଣେ ସୁଠାମ ଯୁବକ । କାନ୍ଧରେ ଛୋଟ ବ୍ୟାଗ ତଥା ଦେହ ଓ ମୁଣ୍ଡରେ ଗୋଟେ ଗାମୁଛାକୁ ଚାଦର କରି ଘୋଡ଼ି ହୋଇଥିବା ଉକ୍ତ ଯୁବକକୁ ଦେଖିଲେ ଲାଗୁଥିଲା ସେ ନିଶ୍ଚେ କୌଣସି ଗାଁରୁ ସହରକୁ ଆସିଥାଏ ରୋଜଗାର ଅନ୍ୱେଷଣରେ । କୁକୁରଟି ତା’ ପାଖକୁ ଯାଆନ୍ତେ ସେ ଅଟକିଗଲା ସେଇଠି । ତାକୁ ଟିକେ ଆଉଁସି ଦେଲା ସ୍ନେହରେ- ସତେ ଯେପରି ଅନେକ ଦିନର ପରିଚୟ ଦୁହିଁଙ୍କର ! ତା’ପରେ ବ୍ୟାଗରୁ ଗୋଟେ ବିସ୍କୁଟ କାଢ଼ି ଖାଇବାକୁ ଦେଲା ତାକୁ ଆଉ ସେ ଖାଇ ସାରିବା ପରେ କିଛି ସମୟ ତା’ କାନକୁ ଧରି, ମୁଣ୍ଡକୁ ଆଉଁସି ଗେଲ ହେଲା ଆଉ ଚାଲିଗଲା ତା’ ଗନ୍ତବ୍ୟ ପଥରେ । ମୋ ଆଖିରୁ ଖୁସିର ଲୁହ ଟୋପେ ଝରିପଡ଼ିଲା ଅଜାଣତରେ । ସେ ଗଲାପରେ ଭାବିଲି, ଆଧୁନିକତାର ମାୟା ପଛରେ ଧାଉଁଥିବା ଏ ସହରି ଲୋକମାନଙ୍କ ତୁଳନାରେ ଗାଉଁଲି ଲାଗୁଥିବା ସେ ଯୁବକଟି କେତେ ଦୟାଳୁ ସତେ !

“ନ ସା ଦୀକ୍ଷା ନ ସା ଶିକ୍ଷା ନ ତତ୍ଦାନଂ ନ ତତ୍ତପ ।
ନ ତଦଧ୍ୟାନଂ ନ ତଦ ମୌନଂ ଦୟା ଯତ୍ର ନ ବିଦ୍ୟତେ ।।”

ବୋଧହୁଏ ଏହାକୁ ସେ ଯୁବକ ହିଁ ଅନୁଭବ କରିଥିଲା ମର୍ମେ ମର୍ମେ ।
ମୋ ଟ୍ରେନ ମୋ ଗନ୍ତବ୍ୟ ଆଡ଼କୁ ଗଡି ଚାଲିଥିଲା ବେଳେ ମୁଁ ବସି ଭାବୁଥିଲି ରାସ୍ତାକଡ଼ ବା ପ୍ଲାଟଫର୍ମ ବା ବସଷ୍ଟାଣ୍ଡ ଆଦିରେ ଅବହେଳିତ ତଥା ନିଷ୍ପେସିତ ଜୀବନ କାଟୁଥିବା ଶହ ଶହ ବୁଲା କୁକୁର ବିଲେଇମାନଙ୍କ କଥା । କିଛି ଦିନ ତଳେ ରାଜଧାନୀର କୌଣସି ଏକ ସ୍ଥାନରେ ଅତି ନିର୍ମମ ଭାବେ ଗାଡ଼ି ଚଢ଼େଇ ଛୋଟ ଛୋଟ କୁକୁର ଛୁଆଙ୍କୁ ହତ୍ୟା(!?) କରିଥିବା ଚାଳକଙ୍କୁ ମାନନୀୟ ଅଦାଲତ ଦୋଷୀ ସ୍ୱୀକାର କରି ଦଣ୍ଡ ବିଧାନ କରିବା ଥିଲା ଉଲ୍ଲେଖନୀୟ ଘଟଣା । ଯୁଗେ ଯୁଗେ ଆମ ବେଦ, ପୁରାଣ ତଥା ଉପନିଷଦ ଦୟା ଭାବକୁ ଶ୍ରେଷ୍ଠ ବିବେଚନା କରି ଆସିଛି । ସକଳ ଘଟରେ ସମାନ ଜୀବକୁ ଅନୁଭବ କରିବାକୁ ଉପଦେଶ ଦେଇ ଆସିଛି । ହେଲେ ସେ ସବୁ ମାନୁଛି କିଏ? ମନେପଡ଼େ ଆଜି ଶ୍ରୀକୃଷ୍ଣଙ୍କର ସେ ଗୁରୁ ବାଣୀ,

“ସର୍ବେ ବେଦା ନ ତତ୍ କୁର୍ୟୁଃ ସର୍ବେ ଯଜ୍ଞାଶ୍ଚ ଭାରତ ।
ସର୍ବେ ତିର୍ଥୀଭିଷେକାଶ୍ଚ ତତ୍ କୁର୍ଯ୍ୟାତ ପ୍ରାଣୀନାଂ ଦୟା ।।”

ଆସନ୍ତା ନବବର୍ଷରେ ସବୁରି ହୃଦୟରେ ଦୟା ତଥା କରୁଣାର ନିର୍ଝରିଣୀ କୁଳୁକୁଳୁ ନାଦ କରି ପ୍ରବାହିତ ହେଉଥାଉ, ଏହା ହିଁ କାମନା ।
ଆମର ଅଗଣିତ ପାଠକ, ଲେଖକ, ଲେଖିକା ତଥା ସମାଲୋଚକମାନଙ୍କୁ ନବବର୍ଷର ଶୁଭେଚ୍ଛା ସହ

ଜୟ ଜଗନ୍ନାଥ ॥

Tapas Ranjan Signature

 

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...