ଆସିବି ବୋଲି କଥା ଦେଇଥିଲି ସେଥିପାଇଁ ତୁ କହିଥିବା ସବୁ ଜିନିଷ ଆଣିଛି, ଦେଖ ଶଙ୍ଖା, ନୂଆ ଶାଢ଼ୀ, ସିନ୍ଦୁର, ତୋ’ ମନ ପସନ୍ଦର ପାଉଁଜି ସବୁ ଆଣିଛି । ଏ ସବୁ ତୁ କେତେ ଭଲ ପାଉ, ସେକଥା ମୁଁ ଭଲ ଭାବରେ ଜାଣେ; ସେଥିପାଇଁ କେତେ ଯତ୍ନରେ ଏସବୁ କିଣି ଆଣିଛି । ବାପା ଗଲେ ଯେ ଗଲେ ତୋ’ ବାହାଘର ଦାୟିତ୍ୱ ଦେଇ ଗଲେ, “ତୁ ଆଜିଠୁ ତା’ ବାପା ଆଉ ଭାଇ ଦୁଇଟା ସମ୍ପର୍କ ତୁଲେଇବୁ ।”
ଏ ପାଗିଳି କୁଆଡ଼େ ଗଲୁ? ଆରେ ଆଜି ରାକ୍ଷୀ ପରା ତୋ’ ଭାଇ ଆସିଛି । କେତେ ଫୋନ୍ କରିଛୁ, ଭାଇ ମୋ’ ବାହାଘରରେ ଏ’ଟା ଆଣିବୁ ସେ’ଟା ଆଣିବୁ, ଦେଖ ନେଇ ଆସିଛି ତୁ କହିଥିବା ସବୁ ଜିନଷ । ତାକୁ ହିଁ ତ ଖୋଜୁ ଖୋଜୁ ସମୟ ବିତିଗଲା; ଟ୍ରେନ ଧରି ଆସିଛି । କେତେ ଖୁସି ଆଜି କେତେ ବର୍ଷ ପରେ ତୋ’ ହାତରୁ ରାଖୀ ବାନ୍ଧିବି, ନହେଲେ ଆଜି ଯାଏଁ ତୁ ପଠେଇଥିବା ରାକ୍ଷୀ କେତେବେଳେ ପାଖ ଘର ଭାଉଜ ବାନ୍ଧି ଦିଏ ତ କେତେବେଳେ ରୁମ୍ରେ ଥିବା ବନ୍ଧୁ । ସୁରତ ସିନା ପେଟ ପାଇଁ ଯାଇଥିଲି ମନ ସବୁବେଳେ ତୋ’ରି ପାଖରେ ।
ହେ ଘରେ ପାଟି କରି କରି ଥକି ଗଲିଣି କେହି କୁଆଡ଼େ ଦୁଶୁ ନାହାନ୍ତି ଗଲେ କୁଆଡ଼େ ଆଉ ବୋଉ ଧୀରେ ଧୀରେ ରୁମ ଭିତରକୁ ପାଦ ବଢ଼େଇଲା ରାଜୀବ । “ବୋଉ… ଏ ବୋଉ…” ପାଦରେ ବାସନ ଗୁଡ଼ା ବାଜିଲା, “ଏ ବୋଉ ଅନ୍ଧାର କାଇଁ କରିଛୁ? ରାତି ଅଧରେ ଆସି ପହଞ୍ଚିଲି ବୋଲି ରାଗିଲା କି ଫୁଲେଇ? ଆଉରି ରାତି ବାକି ଅଛି ତାକୁ କହ ଆସୁ ତ ଆଗେ ।”
ଲାଇଟ ଅନ୍ କରିଦେଲା ରାଜେଶ; ତା’ ଆଖି ଆଗରୁ ଯେମିତି ଜ୍ୟୋତି କିଏ ଛଡ଼େଇ ନେଲା, ତଳେ ଅଚେତ ହୋଇ ପଡ଼ିଥିବା ବୋଉ ଆଉ ବିଛଣାରେ ଅର୍ଦ୍ଧନଗ୍ନ ଶରୀର, ଯାହାର ଦେହସାରା ରକ୍ତ ଜୁଡ଼ୁବୁଡ଼ୁ, ଦେହରେ କଉଠି ରାଞ୍ଚୁଡ଼ା ଦାଗ ତ କଉଠି ହରାଇଥିବା ଇଜତର ଚିହ୍ନ ଜଳ ଜଳ ହେଇ ଦିଶୁଥାଏ ରାଜୀବକୁ । ତା’ ହାତରୁ ଖସି ପଡ଼ିଲା ସେ ଉପହାରର ବାକ୍ସଟି; ଚୁର୍ମାର୍ ହେଇ ଭାଙ୍ଗି ଯାଉଥିବା ଶଙ୍ଖାର ଶବ୍ଦ ତା’ କର୍ଣ୍ଣ ଭେଦ କରିପାରୁ ନଥିଲା । ପାଦ ଥରୁଥିଲା ତା’ର । କେମିତି ଆଗକୁ ଯିବ? ତା’ ଭଉଣୀକୁ କଥା ଦେଇଥିଲା ତା’ ରକ୍ଷା କରିବ, ତାକୁ ଜୀବନ ସାରା ଖୁସି ଦବ, ଝିଅ ପରି ପାଳିଥିବା ଆଜି ତା’ ଭଉଣୀର ଅବସ୍ଥା ଦେଖି ସେ ହତବାକ । ବୋଉର ଅଙ୍ଗ ଅଚଳ ପଡ଼ି ଯାଇଛି; କଉ ମାଆ ତା’ ଆଖି ଆଗରେ ତା’ ଝିଅର ଧର୍ଷଣ ଦେଖି ତୁନି ରହିପାରିବ ।
“କିଏ ବାହାହବ”, ସେ ଚିନ୍ତା ନଥିଲା ରାଜେଶକୁ; ବାସ୍ ତା’ ଭଉଣୀକୁ ସେ କେତେ ସୁରକ୍ଷା ଦେଇ ପାରିଲା ସେ ପ୍ରଶ୍ନ ତା’ ମନକୁ ଦୋହଲାଉଥାଏ । ସକାଳ ପାହିଲା, ରାକ୍ଷୀ ସବୁ ବିଛୁରି ହେଇ ପଡ଼ିଛି ବିଛଣାରେ ରକ୍ତରେ ଜୁଡ଼ୁବୁଡ଼ୁ ହୋଇ । ବୋଉ ଧୀରେ ଧୀରେ ସ୍ୱାଭାବିକ ହଉଥାଏ, ଡାକ୍ତରଖାନାରେ ପଡ଼ିଥିବା ରାଜେଶର ଭଉଣୀ ରାଣୀ ଜୀବନ ସାଙ୍ଗରେ ସଂଗ୍ରାମ କରୁଥାଏ ।
ରାଜେଶ ଦେଖି ପାରୁନଥାଏ ରାଣୀର ଅବସ୍ଥା । “ଏ ବୋଉ… କିଏ ଏ ଅବସ୍ଥା କଲା ତୁ କହ, ମୁଁ ଟିକ୍ଟିକ୍ କରି ହାଣି ଦେବି ସେ ରାକ୍ଷସଗୁଡ଼ାଙ୍କୁ ।” ବୋଉ ଧୀର କଣ୍ଠରେ କହିଲା, “ତୁ ଆସିବୁ ବୋଲି ଦିନରେ ପୂଜା ଭୋଗ କରି ତୋ’ ବାଟ ଚାହିଁ ବସିଥିଲା, ତା’ପରେ ତୁ ଫୋନ କଲୁ ରାତି ଅଧା ହେଇଯିବ ପହଞ୍ଚୁ ପହଞ୍ଚୁ, ହେଲେ ସେ ପାଗିଲି ସେମିତି ଭୋକ ଉପାସରେ ତୋ’ ବାଟ ଚାହିଁ ବସିଥାଏ । ରାତି ଅଧା ଆଗରୁ ଗୋଟିଏ କବାଟ ପାଖରେ ଶବ୍ଦ ହେଲା; ମୁଁ ଶୋଇଥାଏ, ଏ ପାଗିଲି ତୁ ବୋଲି ଭାବି କିଛି ଚିନ୍ତା ନକରି ଦୁଆର କବାଟ ଖୋଲିଦେଲା । ଦୁଆର ପାଖରେ କିଏ ଥିଲା, କ’ଣ ଥିଲା କିଛି ବୁଝିବା ଆଗରୁ ରାଣୀକୁ ଟାଣି ନେଇଗଲା । ମୋ’ ନିଦ ଭାଙ୍ଗିବା ଆଗରୁ ସବୁ ଶେଷ । ଦୁଆର ମୁହଁରୁ ଘୋଷାଡ଼ି ଘୋଷାଡ଼ି ହେଇ ଆସି ମୋ ପାଦତଳେ ପଡ଼ିଗଲା, ମୁଁ ଦେଖିଲା ବେଳକୁ ଏଇ ଅବସ୍ଥା । ରାକ୍ଷୀ ଦି’ଟା ହାତରେ ଧରି ଏତିକି କହିଲା, “ବୋଉ ଭାଇ କାଇଁ ଆସିଲାନି?” ମୁଁ ମୁକ ପାଲଟିଗଲି । ତା’ର କିଛି ସମୟ ପରେ ତୁ ଆସିଲୁରେ ପୁଅ, ଟିକିଏ ସଅଳ ଅସିଥାନ୍ତୁ ସିନା । ତୋ’ ଭଉଣୀଟା ବାଡ଼ୁଅ ହବା ଆଗରୁ ଲୋକହଂସା ହେଇଗଲା ।”
“ଏ ବୋଉ ମତେ କ୍ଷମା କରେ, ହେଲେ ମୁଁ ସେମାନଙ୍କୁ ଛାଡ଼ିବିନି ହାଣି ଦେବି ।” “ଆଉ ତା’ପରେ ତୁ ଜେଲ ଯିବୁ; ଆମ ମାଆଝୁଅ ଦି’ଟାଙ୍କୁ ଲୋକ ବାଟ ଚଲେଇ ଦେବେନି । ରାକ୍ଷୀ ବାନ୍ଧୁ ପରା ! ଆଜି ସେ ହାତରେ ତୋ’ ଭଉଣୀକୁ ସାହା ହେବୁ । ସେ ତୋ’ ଉନ୍ନତି, ଆୟୁଷ, ସୁଖ କାମନା କରି ଦି’ଖିଅ ସୁତା ବାନ୍ଧି ଦିଏ; ସେ ତୋ’ ଅମଙ୍ଗଳ ଚାହିଁବନି ବରଂ ତା’ ପାଖେ ପାଖେ ରହ ।” “ବୋଉ ତୁ କ’ଣ ଭାବୁଛୁ ଏ ଭାଇ ତା’ ଭଉଣୀର ହାତ ଛାଡ଼ି ଦବ ! କଥା ଦେଉଛି ଯେ ଯାଏ ତାକୁ ତା’ର ସବୁକିଛି ଫେରେଇ ନ ଦେଇଛି ମୁଁ ଏ ଜୀବନରେ କାହାକୁ ସାଥି କରିବିନି ।”
ସମୟ ବିତି ଯାଇଛି, ଆଜି ସେଦିନ ଭଳି ପୁଣି ରାକ୍ଷୀ ଆସିଛି ରାଜେଶ ହାତରେ ମାଳ ମାଳ ରାକ୍ଷୀ, ହେଲେ ତାକୁ ଆଜି ବି ଅପେକ୍ଷା ରାଣୀ କୋମାରୁ ଉଠିବ ଆଉ ତା’ ହାତରେ ରାଖୀ ବାନ୍ଧିବ । ଆଜିବି ତା’ର ଆଶା ଆଉ ବିଶ୍ୱାସ ଅଛି ଯେ, ସବୁ ଠିକ୍ ହବ ।
ସେ କଷ୍ଟକୁ ଭୁଲିବା ପାଇଁ ଏବେ ରାଜେଶ ଗୋଟିଏ ସମୟ ବିତେଇବାର ଭଲ ଉପାୟ ବାଛି ନେଇଛି । ରାତିରେ ଫେରୁଥିବା ଝିଅମାନଙ୍କୁ ସୁରକ୍ଷା ଦେବାର ଦାୟିତ୍ୱ । ପ୍ରତିଦିନ ଷ୍ଟେସନ, ଅଫିସ ଆଉ ଏମିତି କିଛି ନିଛାଟିଆ ଜାଗାରେ ଏକୁଟିଆ ହେଇଯାଇଥିବ ଝିଅମାନଙ୍କ ପାଇଁ ସେ ସାଜିଛି ରାଜେଶ ଭାଇ । ଦାୟିତ୍ୱ ନେଇଛି ଅନେକ ଭାଇମାନଙ୍କର, ତାଙ୍କ ଭଉଣୀମାନଙ୍କୁ ସୁରକ୍ଷା ଦେବାପାଇଁ, ଯେମିତି ଆଉ କୌଣସି ଭାଇ ତା’ ଭଉଣୀର ଏଭଳି ଦଶା ନ ଦେଖୁ । କାରଣ ସେ ଜାଣିଛି ଏବେ ବି ଦୁନିଆରେ ଏମିତି ଲୋକ ଅଛନ୍ତି ଯେ ନିଜ ଭଉଣୀକୁ ସମ୍ମାନ ଆଉ ଅନ୍ୟର ଭଉଣୀମାନଙ୍କୁ ଧର୍ଷଣ କରିବାକୁ ପଛାନ୍ତି ନାହିଁ । ଦିନସାରା ରାଣୀର ସେବା ପରେ ରାତିରେ ରାଣୀ ପରି ଅନେକ ଝିଅଙ୍କୁ ସୁରକ୍ଷା ତା’ର କର୍ତ୍ତବ୍ୟ ପାଲଟି ଯାଇଥିଲା । ରାକ୍ଷୀ କେବଳ ସମ୍ପର୍କ ନୁହେଁ ଗୋଟିଏ ଦାୟିତ୍ୱ ।
– ମୀନାକ୍ଷୀ ଦାଶ
Comments
ମୀନାକ୍ଷୀ ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗପ ଓ କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି ।