ବୁଝି ଗଲିଣି ମୁଁ ଦୁନିଆଁ ହାଟରେ
ବାଣ୍ଟିଦେଲି ଯେତେ
ସେତିକି ମୋ ଭାଗେ ଆସିବ ନାହିଁ,
ଦେଲାବେଳେ କେବେ ଭାବି ମୁଁ ନ ଥିଲି
ପ୍ରତିଦାନ କିଛି ମିଳିବ ବୋଲି ।
ତଥାପି କେମିତି କହିଦେବି ଆଜି
ମିଛ କଥାଟିଏ,
ମୋହେ ବୁଡ଼ିରହି ନିଷ୍କାମ ଥିଲା ମନ,
ମନ ଗହନରେ ଶୁପ୍ତ କାମନା
ଜାଗି ନାହିଁ କେବେ
ପାଇବାକୁ ପ୍ରତିଦାନ?
ସେନେହ ଯତନ ବାତ୍ସଲ୍ୟ ମମତା
ଯେତେ ଯାହା କଲି
ସେ ସବୁ ଯେ ମୋର ଧରମ ଥିଲା,
ଦେଇଅଛି ବୋଲି ଭାବି ନାହିଁ ମନେ
ସେ ସବୁ ଯେ ତାଙ୍କ ପ୍ରାପ୍ୟ ଥିଲା ।
ପ୍ରେମ ଧନ ସିନା ବାଣ୍ଟିଦେଇ ହୁଏ
ପ୍ରତିଦାନେ କେବେ କାହାକୁ କେମିତି
ସେନେହ ଟିକିଏ ମାଗି କି ହୁଏ?
ଆକାଶର ପରି ସବୁକିଛି ମୋର
ବାଣ୍ଟିଦେଲା ପରେ,
ଜୀର୍ଣ୍ଣ ହୃଦୟ ଶୂନ୍ୟ ହାତରେ
ଅନାଇ ରହିଛି ଆକାଶେ ଆଜି,
ମିଳିଲାନି ବୋଲି ମୋ ଭାଗର ପ୍ରେମ
ଅଭିମାନ କେବେ କରିନି କା’ପରେ
ଜୀବନରେ କେବେ ପଡ଼ିନି ଭାଙ୍ଗି ।
ଶିଖି ଗଲିଣି ମୁଁ ଦୁନିଆଁର ଯେତେ
ନୂଆ ନୂଆ ରୀତି ନିୟମ ନୀତି
ଶିଖି ସାରିଲିଣି ଭଙ୍ଗା ହୃଦୟେ
ଏଇ ଦୁନିଆଁରେ
ନିସ୍ୱ ମଣିଷ ଜିଏଁ କେମିତି ।
– ବିନୟ ମହାପାତ୍ର
Comments

ବିନୟ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ତାଙ୍କ ନିଜ ବ୍ଲଗ୍ରେ ଆପଣମାନେ ପ୍ରତ୍ୟେକଦିନ ମଧ୍ୟ ପଢ଼ିପାରିବେ ।