You are currently viewing ବରବାଦ୍
Odia Story Barbad (ବରବାଦ୍) by Dr. Rashmi Ranjan Sahoo

ବରବାଦ୍

ରାତି ଆଠଟା ବାଜିଲାଣି, ଅଥଚ ଏଯାଏଁ ରମେଶ ଅଫିସ୍‌ରୁ ଆସିଲେ ନାହିଁ, ଏଇ କଥା ଭାବୁ ଭାବୁ କଲିଙ୍ଗ୍ ବେଲଟି ବାଜିଲା ଉଠିଲା । କବାଟ ଖୋଲିଲା ଗୀତା, ରମେଶର କ୍ଳାନ୍ତ ଚେହେରାଟି ପୁରା କଳାକାଠ ପଡ଼ି ଶୁଖିଲା ଶୁଖିଲା ଦିଶୁଥିଲା । ରମେଶ ଘରେ ପଶୁ ପଶୁ ଘର ଭିତରର ନୀରବତା ଶୁଣି ଓ ଗୀତାର ଚେହେରା ଦେଖି ଜାଣିନେଲେ ଘରେ ଛୁଆମାନେ କିଛି ଗୋଟେ ମହାକାଣ୍ଡ କରିଛନ୍ତି । ଜାଣିଶୁଣି ଗୀତାକୁ କିଛି ନ ପଚାରି ବାଥ୍‌ରୁମ୍ ଚାଲିଗଲେ ରମେଶ ।

ବାଥ୍‌ରୁମ୍‌ରୁ ଫ୍ରେଶ୍ ହେଇ ବାହାରି, କପେ ଚା’ ଓ ବିସ୍କୁଟ୍ ପୁଞ୍ଜେ ଧରି ପେଟ ଥଣ୍ଡା କରି, ଆସ୍ତେ କିନା ଗୀତାକୁ ପଚାରିଲେ, “କ’ଣ ହେଇଛି??” ଗୀତା କିଛି ନ କହି ବଡ଼ ବଡ଼ ଆଖି କରି ରମେଶକୁ ଅନେଇଲା । “ଆରେ କ’ଣ ହେଇଛି କହୁନ?”, ରମେଶ ପୁଣି ପଚାରିଲେ । “କ’ଣ ହେବ, ତମେ ତ ଛୁଆ ଦି’ଟାକୁ ନଷ୍ଟ କରି ସାରିଲଣି । ଛଣାଛଣି, ମସଲା ମସଲି ସିଟିମିଟିକା ଖାଇବା ନ ହେଲେ ତମ ଛୁଆଙ୍କ ଭାତ ଗଳୁନି”, ଏକା ନିଶ୍ୱାସରେ ଗୀତା କହିଗଲା । “ସକାଳେ ପୁରି ଛାଣିଥିଲି, ଖରାବେଳେ କସାକସି ତରକାରୀ କରିଥିଲି । ଏବେ ସନ୍ଧ୍ୟାରେ ଭୋକ ଭୋକ ହେଲେ ଯେ, ମୁଁ କହିଲି, ମୁଢ଼ି ମିକ୍ସର ଖାଇଦିଅ । ହେଲେ ନା !! ଏକା ଜିଦ୍, ପକୁଡ଼ି କର ଆମେ ଖାଇବୁ । କେତେ ଜିଦିଆ ଛୁଆ, ସେମିତି କିଛି ନ ଖାଇ ନ ପିଇ ବସିଛନ୍ତି । ବସିଥାନ୍ତୁ !!! ତମେ ବି ତ ସେହି ଦି’ଚାରିଟା ପରିବା ଧରିକି ସବୁବେଳେ ପଳେଇ ଆସୁଛ । ମୁଁ ଆଉ କୁଆଡ଼ୁ କ’ଣ କରିବି ଯେ ।” ରମେଶ ଯାଇ ଛୁଆ ଦିଟାଙ୍କୁ ଅନେଇଲେ । ଦି’ ଜଣଯାକ ପାଠ ବହିଟାକୁ ନାଁକୁ ଖାଲି ଧରି କଣେଇ କଣେଇ ଦେଖୁଥାନ୍ତି ।

“ଏତେ ରାତିରେ ପୁଣି ପ୍ୟାଣ୍ଟ ସାର୍ଟ ପିନ୍ଧି କୁଆଡ଼େ ବାହାରଲଣି?” ଗୀତା ଆଶ୍ଚର୍ଯ୍ୟ ହେଇ ପଚାରିଲା । ରମେଶ କହିଲେ, “ଯାଇ ଦେଖେ । ଯଦି ଏଇ ଛକ ଦୋକାନଟି ଖୋଲାଥିବ ତା’ ହେଲେ ପନୀର ଟିକେ ନେଇ ଆସିବି ।” “ହଁ, ଦୋକାନୀ ତ ରାତି ଅଧଯାଏଁ ତମକୁ ଅନେଇ ଦୋକାନ ଖୋଲା ରଖିଥିବ ନା”, ଗୀତା ରାଗିଯାଇ କହିଲା । “ହଁ, ହେଲା ଯେ, ଦେଖି ଦେଇ ଥରେ ଆସିଲେ କ’ଣ ଅସୁବିଧାଟା ହେଇ ଯିବ ଯେ”, କହିଲା ରମେଶ । ଏତିକି ବେଳକୁ ଛୁଆ ଦି’ଟା ଦଉଡି ଆସି ରମେଶକୁ କୁଣ୍ଢେଇ ଧରି କହିଲେ, “ହଁ ପାପା, ଯାଅ ନା, ପନୀର ନେଇକି ଆସିବ !!!”

“ବାପା ଯେମିତି, ଏ ଛୁଆଗୁଡ଼ାକ ବି ସେମିତି । ଥାଉ, କୁଆଡ଼େ ଯିବା ଦରକାର ନାହିଁ !! ମୁଁ ଛୋଲେ ବତୁରେଇଛି । ମଇଦା ବି ଚକଟିକି ରଖିଛି । ଭଟୁରେ କରିବା ପାଇଁ, ରାତିରେ ଖାଇଦେବ ।” ଏକଥା ଶୁଣି ଛୁଆଙ୍କ ସେ ନିରବତା କ୍ଷଣିକରେ ଗାଏବ ହେଇଗଲା । ଦୁହେଁ ମିଶି ଚିଲେଇବା ଆରମ୍ଭ କରିଦେଲେ । ରମେଶ ବି ଚାଲିଲେ ଭିତରକୁ ପ୍ୟାଣ୍ଟ ସାର୍ଟ ବଦଳିବା ପାଇଁ । ଆଉ ମନେ ମନେ ଭାବିକି ହସୁଥାନ୍ତି କି ସିଏ କୁଆଡ଼େ ଛୁଆଙ୍କୁ ବରବାଦ୍ କରିଦେଇଛନ୍ତି !!!

– ରଶ୍ମି ରଞ୍ଜନ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ରଶ୍ମିରଞ୍ଜନ ସାହୁ ଜଣେ ରସାୟନ ବିଜ୍ଞାନର ଗବେଷକ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।