ବୋଉ କଥା ମନେ ପଡ଼େ

Odia Poem Bou Katha Mane Pade (ବୋଉ କଥା ମନେ ପଡ଼େ) by Debabrata Barik

ମୋ ବୋଉ ପଣତ ଶ୍ରୀ ମନ୍ଦିର ନେତ
ଦିଏ ସେ ଶୀତଳ ଛାୟା
ସେ ପଣତ ତଳେ ନଥାଏ ତ ଡର
ଆସୁ ଯେତେ ଝାଞ୍ଜି ବାଆ ।।

ରାତିରେ ବେଶି ସେ ପାରେ ନାହିଁ ଶୋଇ
ରହିଯାଏ କାମେ ବାନ୍ଧି
ଆମ ସଭିଙ୍କ ମନ ଜିତି ନିଏ ପରା
ନାନା ପ୍ରକାରର ରାନ୍ଧି ।।

ମୋ ବୋଉ ମମତା ହୃଦ ନୀରବତା
ହୃଦୟ ପବିତ୍ର ଗୀତା
ତା’ ସ୍ନେହ ପରଶ ମୋ ପାଇଁ ଚନ୍ଦନ
ହୃଦେ ଭରେ ଶୀତଳତା ।।

ଦିନ ରାତି ନାହିଁ କାମ କରୁଥାଇ
ସକାଳରୁ ସଞ୍ଜ ଯାଏ
ଦୁଃଖ ଓ କଷ୍ଟକୁ ଭୁଲାଇ ଦିଏ ସେ
ଓଠେ ହସ ଭରି ଥାଏ ।।

ସମୟର ଶେଷ ପରିଶ୍ରମ ପରେ
ଥକେ ନାହିଁ କେବେହେଲେ
ଅଭାବ ସାଥୀରେ ଯୁଦ୍ଧ କରୁଥାଏ
ଚାଲେ ତା’ କର୍ମ ପଥରେ ।।

କେତେ କେତେ ଥର ଦେଖେ ମୁଁ ଯେ ତାକୁ
ସବୁ ବେଳେ ଲାଗେ ନୂଆ
ମନେପଡ଼େ ଆଜି ବୋଉ କଥା ମୋର
ତା’ର ସେ ଅମୃତ ଛୁଆଁ ।।

– ଦେବବ୍ରତ ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...