ବିନତୀ

Binati

ଏବେ ବି ଝୁରୁଛି ରାଧା
ଦେଖିବୁ ଆ’ କାହ୍ନା
ଖୋଜୁଅଛି ତୋତେ ଏକା
ତୋ’ ପ୍ରିୟ ଯମୁନା ।

ଫୁଟୁଛି ଶତେକ ପଦ୍ମ
କାଳିନ୍ଦୀର ଜଳେ
ହେଲେ ତୋ’ ବଂଶୀ ସ୍ୱନ
ଶୁଭୁନି ସେ କୂଳେ ।

ଲୀଳା ତୋ’ ଲଗାଇ ଥିଲୁ
ଗୋପୀଗଣ ଧରି
ତୋ’ ନାମ ଶୁଣିଲେ କଂସ
ଯାଉଥିଲା ଡରି ।

କେତେ ଦିନ କହ ଆଉ
ଝୁରିବ ଯମୁନା
କଂସର କଷଣ ଏବେ
ସହି ଯେ ହୁଏନା ।

ଆ’ ଥରେ କାହ୍ନା ପୁଣି
ଫୁଙ୍କିଦେ ତୋ’ ବଂଶୀ
ତୋ’ ପରଶ ପାଇ ନାଚି-
ଉଠୁ ତୋ ମାନସୀ ।

ଅନାଇ ବସିଛି ଭକ୍ତ
ତୋତେ ଦିବା ନିଶି
ଦରଶନ ପାଇ ତୋ’ର
ହେବ ମହାଖୁସି ।

କଳିଯୁଗେ ନ ହୋଇ
ଆଉ ଆନମନା
ଥରେ ଆସି ବୁଝି ଯା’
ଭକ୍ତର ବେଦନା ।

ମାଣିକ ବସିଛି ରଖି
କ୍ଷୀର, ଦହି, ଛେନା
ନିତି କରେ କଦମ୍ବଟା
ଦିନ ଯେ ଗଣନା ।

କେଉଁଦିନ ଆସିବ ତା’
ପରିଚିତ କାହ୍ନା
ତା’ଉପରେ ହସିଖେଳି
ହେବ କେତେ ଆନମନା ।

ଗୋପାଳଗଣ ଝୁରନ୍ତି
କାହ୍ନୁ ତୋ’ର ବିନା
ଥରେ ଆସି ଦେଖିଯା’
ନିରାଶ କରନା ।

ଶ୍ରୀନିବାସ ସାମଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...