ଭୈରବ ଚନ୍ଦ୍ର ମହାନ୍ତିଙ୍କୁ ଓଡ଼ିଶାର କ୍ରୀଡ଼ା ଜଗତ୍ର ‘ଧର୍ମପିତା’ କହାଯାଏ । ଆମ ରାଜ୍ୟର ଖେଳ ଦୁନିଆରେ ତାଙ୍କୁ ଜଣେ ବ୍ୟକ୍ତି ନୁହେଁ, ଅନୁଷ୍ଠାନ ରୂପେ ବିଚାର କରାଯାଏ । ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ସେ ଆନ୍ତରିକ ଭାବେ ଉଦ୍ୟମ କରିଥିଲେ । ତାଙ୍କର ସାଙ୍ଗଠନିକ ଦକ୍ଷତା ବଳରେ କ୍ରୀଡ଼ାର ଉନ୍ନତି ଓ ଅଗ୍ରଗତି ହୋଇଥିଲା । ସେ ଥିଲେ ଏକଧାରରେ ରାଜନୀତିଜ୍ଞ, ସାମ୍ବାଦିକ, ଖେଳାଳି ଓ ଖେଳ ସଂଗଠକ । ଆଜୀବନ ଖେଳର ବିକାଶ ଓ ପ୍ରଚାର-ପ୍ରସାର ପାଇଁ କାର୍ଯ୍ୟ କରିଥିଲେ । ସେ ‘ପ୍ରଜାତନ୍ତ୍ର’ ତଥା ‘ଇଷ୍ଟର୍ନ୍ ଟାଇମ୍ସ’ର ପ୍ରଥମ ସଂପାଦକ ।
୧୯୪୯ ମସିହାରେ କଲକାତାର ଭବାନୀପୁର କ୍ଲବ୍ ଓ କଟକ ଏକାଦଶ ମଧ୍ୟରେ କଟକ କିଲା ପଡ଼ିଆରେ ତାଟି ଘେରା ମଧ୍ୟରେ ଫୁଟ୍ବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ସେତେ ବେଳେ ଆମ ରାଜ୍ୟରେ ଷ୍ଟାଡିଅମ୍ ନ ଥିଲା । ତାଟି-ଘେର ଭିତରେ ହଜାର ହଜାର ଦର୍ଶକ ଛିଡ଼ାହୋଇ ବଡ଼ କଷ୍ଟରେ ଖେଳ ଦେଖୁଥିଲେ । ତାଟି ବାହାରେ ମଧ୍ୟ ହଜାର ହଜାର ଦର୍ଶକ । ମୁଖ୍ୟ ଅତିଥି ଥିଲେ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ । ଦର୍ଶକଙ୍କ ଦୁର୍ଦଶା ଦେଖି ଅତ୍ୟାଧୁନିକ ଷ୍ଟାଡ଼ିଅମ୍ ନିର୍ମାଣ ପାଇଁ ସେହି ଦିନ ହିଁ ସେ ଘୋଷଣା କରିଥିଲେ । ଏହା ମଧ୍ୟ ଥିଲା ଭୈରବଙ୍କ ସ୍ୱପ୍ନ । ଡ. ମହତାବ, ଭିତ୍ତିଭୂମି ବିକାଶର ଦାୟିତ୍ୱ ତାଙ୍କୁ ଦେଇଥିଲେ । ପର ବର୍ଷ ଭିତ୍ତି ପଡ଼ିଥିଲା । ଷ୍ଟାଡ଼ିଅମ୍କୁ ‘ବାରବାଟୀ’ ନାମ ଦେଇଥିଲେ ସ୍ୱୟଂ ଭୈରବ । ଓଡ଼ିଶାର ଗୌରବମୟ ଦୁର୍ଗ ବାରବାଟୀର ସ୍ମୃତିକୁ ଯୁଗ ଯୁଗ ଅଭୁଲା ରଖିବା ଥିଲା ଏହାର ଅଭିପ୍ରାୟ । ସେ ସର୍ବଦା ଦଳଗତ କାର୍ଯ୍ୟରେ ବିଶ୍ୱାସ କରୁଥିଲେ । ଷ୍ଟାଡ଼ିଅମ୍ ନିର୍ମାଣ ବେଳେ ଜେଏଫ୍ ହାଇଡ଼୍, ଶୈଲେନ ରାୟ, ଡା. ଜର୍ଜ୍ ପଟ୍ଟନାୟକ, ସୁବୋଧ କୁମାର ବିଶ୍ୱାସ, ମିହିର କୁମାର ରାଓ ପ୍ରମୁଖଙ୍କ ସହଯୋଗ ନେଇଥିଲେ । ପୁଣି ଷ୍ଟାଡ଼ିଅମ୍ ନିର୍ମାଣରେ ସର୍ବସାଧାରଣଙ୍କ ସଂପୃକ୍ତି ପାଇଁ ବାରବାଟୀ ରାଫଲ୍ ଜରିଆରେ ଅର୍ଥ ସଂଗ୍ରହ କରାଇଥିଲେ । ପ୍ରତିଟି ରାଫଲ୍ ଏକ ଟଙ୍କାରେ ବିକ୍ରି ହୋଇଥିଲା । ଫଳରେ ଆମ ଟଙ୍କାରେ ହିଁ ଷ୍ଟାଡ଼ିଅମ୍ ତିଆରିହେଉଛି ଭଳି ଧାରଣା ଜନତା ମଧ୍ୟରେ ସୃଷ୍ଟି ହୋଇଥିଲା । ଭୈରବଙ୍କ ମାନସ ସନ୍ତାନ ରୂପେ ସଗର୍ବେ ଛିଡ଼ାହୋଇଛି ‘ବାରବାଟୀ ଷ୍ଟାଡ଼ିଅମ୍’ ଏବଂ ତାଙ୍କ ସ୍ମୃତି ବହନ କରିଚାଲିଛି । ତେବେ, ଦୁର୍ଭାଗ୍ୟର ବିଷୟ ଏହିକିଯେ, ଏହି ଷ୍ଟାଡ଼ିଅମ୍ ଆଉ ସାଧାରଣ ଜନତାର ହୋଇରହିନାହିଁ । କିଛି ଲୋକଙ୍କର ଅବୈଧ ବ୍ୟକ୍ତିଗତ ସଂପତ୍ତିରେ ପରିଣତ ହୋଇଛି ।
ଭୈରବ ଶୈଶବରୁ ଥିଲେ କ୍ରୀଡ଼ାପ୍ରିୟ । ଫୁଟ୍ବଲ୍, କ୍ରିକେଟ୍, ହକି ଆଦି ଖେଳରେ ତାଙ୍କର ଦକ୍ଷତା ଥିଲା । ପକେଟ୍ରେ ସବୁ ବେଳେ କ୍ରିକେଟ୍ ବଲ୍ଟିଏ ରଖୁଥିଲେ । ସର୍ବଦା ଖେଳୁଆଡ଼ ମନୋବୃତ୍ତି ରଖି ଖେଳୁଥିଲେ । ତାଙ୍କ ଜୀବନ ଦର୍ଶନ ଥିଲା- ‘ଶରୀର ସୁସ୍ଥ ରହିଲେ ମନ ସୁସ୍ଥ ରହିବ; ସୁସ୍ଥ ମନ ହିଁ ଦେଶକୁ ସୁସ୍ଥ-ସବଳ ନାଗରିକ ଦେଇପାରିବ । ଆଉ ଖେଳ ଶରୀରକୁ ସୁସ୍ଥ ରଖିବାର ଏକ ମାଧ୍ୟମ ।’ ତାଙ୍କର ଏହି ଦୃଷ୍ଟିଭଙ୍ଗୀ ଓଡ଼ିଆଙ୍କୁ ଖେଳିବା ପାଇଁ ପ୍ରୋତ୍ସାହିତ କରିଥିଲା । ଓଡ଼ିଶାର କ୍ରୀଡ଼ା ଜଗତ୍ରେ ଭୈରବ ମହାନ୍ତି ଜଣେ ବ୍ୟକ୍ତି ନୁହନ୍ତି, ଏକ ଅନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବନାହିଁ । ଓଡ଼ିଶାରେ କ୍ରୀଡ଼ାର ଯାହା ବିକାଶ ହୋଇଛି, ତାହା, ତାଙ୍କର ଐକାନ୍ତିକ ପ୍ରଚେଷ୍ଟା ଓ ସାଙ୍ଗଠନିକ ଉଦ୍ୟମର ଫଳ । ଉଲ୍ଲେଖଯୋଗ୍ୟ ଯେ, ହକିର ବିକାଶ ପାଇଁ ସେ ଧ୍ୟାନଚନ୍ଦଙ୍କ ପରି ପ୍ରସିଦ୍ଧ ଖେଳାଳିଙ୍କୁ କଟକ ଆଣି ବାରବାଟୀରେ ଦୁଇ ବର୍ଷ ରଖାଇଥିଲେ । ୧୯୫୮ ଓ ୧୯୭୦ରେ ଭୈରବଙ୍କ ପ୍ରଚେଷ୍ଟାରେ ବାରବାଟୀ ଷ୍ଟାଡ଼ିଅମ୍ରେ ଜାତୀୟ କ୍ରୀଡ଼ା ଶାନ୍ତି-ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା । ସେ ସବୁ ଦିଗ ପ୍ରତି ଦୃଷ୍ଟି ଦେଇ ଜାତୀୟ କ୍ରୀଡ଼ା ସୁଚାରୁ ଭାବେ ପରିଚାଳନା କରିଥିଲେ । ସେ ଓଡ଼ିଶାରେ ପ୍ରଥମ ମାରାଥନ୍ର ଆୟୋଜନ କରାଇଥିଲେ । ଫୁଟ୍ବଲ୍ଠାରୁ ଆରମ୍ଭ କରି କ୍ରିକେଟ୍ ପର୍ଯ୍ୟନ୍ତ ଅନେକ ଖେଳ ତାଙ୍କ ଉଦ୍ୟମରେ ପ୍ରଥମ ଥର ପାଇଁ ବାରବାଟୀରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ ସହ ସଂପୃକ୍ତ ଥିଲେ । ୧୯୫୪ରେ ମାନିଲାରେ ଅନୁଷ୍ଠିତ ଦ୍ୱିତୀୟ ଏସୀୟ କ୍ରୀଡ଼ା ବେଳେ ଭାରତୀୟ ଫୁଟ୍ବଲ୍ ଦଳର ମାନେଜର୍ ଥିଲେ ।
୧୯୧୩ ଜୁଲାଇ ୧୩ରେ ବାଲିସୁକୁରୀ ଗ୍ରାମରେ ଜନ୍ମ ହୋଇଥିଲେ କ୍ରୀଡ଼ା ଦୁନିଆର ଏହି ମଉଡ଼ମଣି । ସ୍ନାତକ ଶିକ୍ଷା ସାରି, ବ୍ରିଟିସ୍ ସରକାରରେ କିରାଣି ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ଭୈରବ । ପରେ ଇସ୍ତଫା ଦେଇ, କଂଗ୍ରେସ୍ରେ ଯୋଗଦେଇଥିଲେ । ସ୍ୱାଧୀନତା ସଂଗ୍ରାମ ଲଢ଼ିଥିଲେ; ପ୍ରାୟ ଚାରି ବର୍ଷ କାରାଦଣ୍ଡ ଭୋଗିଥିଲେ । ଏକାଧିକ ବାର ବିଧାନ ସଭାକୁ ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଥିଲେ । ୧୯୮୦ ଜୁଲାଇ ୨୩ରେ କଟକରେ ତାଙ୍କର ପରଲୋକ ହୋଇଥିଲା ।
– ସିନ୍ଧୁଜ୍ୟୋତି ତ୍ରିପାଠୀ
Comments
ସିନ୍ଧୁଜ୍ୟୋତି ତ୍ରିପାଠୀ ଜଣେ ଓଡ଼ିଆ ସ୍ତମ୍ଭକାର । ସେ ଓଡ଼ିଆ ସମ୍ବାଦପତ୍ର “ସମ୍ବାଦ” ସଂସ୍ଥାର ଜଣେ ବେତନଭୋଗୀ କର୍ମଚାରୀ ।