ବାସ୍ତବତା

Odia Poem Bastabata (ବାସ୍ତବତା) by Sarmistha Malla

ଶୀତୁଆ ସନ୍ଧ୍ୟା… ଅଳସ ଅପରାହ୍ନର ସମୟ ପ୍ରାୟ ୪ଟା । ବାଲକୋନୀର ଦୋଳିରେ ଝୁଲି ଝୁଲି ସ୍ମୃତି ରୋମନ୍ଥନ କରୁଛି ଶିଳ୍ପା । ସରି ସରି ଯାଉଛି ଏକ ବର୍ଷ । ଆସୁଛି ଆଉ ଏକ ନୂତନ ଅଧ୍ୟାୟ । କିଛି ବର୍ଷ ତଳର ଘଟଣା । ନବବର୍ଷରେ ତା’ ପାଖକୁ ଆସିଥିଲା ଏକ ଲଫାଫା । ଯେଉଁଥିରେ ଥିଲା ନବବର୍ଷର ଏକ ଅଭିନନ୍ଦନ ପତ୍ର । ଅପ୍ରତ୍ୟାଶିତ ଏ ପତ୍ର ଥିଲା ତା’ ଜୀବନରେ ଏକ ନୂତନ ଅଧ୍ୟାୟର ସୂଚନା । ଯେତେବେଳେ ଶିଳ୍ପା ଜୀବନର ଦୋଛକିରେ ଥିଲା ସେତେବେଳେ ଏ ପତ୍ର ତାକୁ ଆଶା ଦେଖାଇ ଥିଲା ଏକ ମଣିଷର ଯିଏ ତାକୁ ସ୍ୱପ୍ନ ଦେଖାଇ ଥିଲା ଏକ ସୁନେଲି ଭବିଷ୍ୟତର । ଦୁହେଁ ମିଶି ଶପଥ ନେଇଥିଲେ ସାଥିରେ ସବୁ କିଛି କରିବାର । ଜନ୍ମ ଜନ୍ମାନ୍ତର ସମ୍ପର୍କରେ ବାନ୍ଧି ହୋଇ ରହିବାର । କିନ୍ତୁ ବାସ୍ତବତା କିଛି ଅଲଗା ପ୍ରକାରର । ଏ ଭିତରେ ବିତି ଯାଇଛି ଅନେକ ବର୍ଷ । ସ୍ୱାମୀ ତା’ର ସୁଦୂର ଲଣ୍ଡନରେ । ଶିଳ୍ପା ହାତରେ ଅର୍ପଣ କରି ଯାଇଛନ୍ତି ନିଜ ବାପା, ମା’ ଏବଂ ପିଲାଛୁଆଙ୍କ ସଂସାର । ଶିଳ୍ପା ଯେ କି ସ୍ୱାମୀଙ୍କ ସାନିଧ୍ୟ ପ୍ରତି ମୁହୂର୍ତ୍ତରେ ପାଇବାର ସ୍ୱପ୍ନ ଦେଖିଥିଲା ତାକୁ ଭୁଲି ତା’ର କର୍ତ୍ତବ୍ୟ କରି ଚାଲିଛି ନିଃଶବ୍ଦରେ । ସମୟର ଚକ୍ରରେ ତା’ ଝିଅ ଆଜି କରାଟେ ରାଣୀ, ସୁପ୍ରସିଦ୍ଧ ଓଡ଼ିଶୀ ନୃତ୍ୟାଙ୍ଗନା, କୋକିଳ କଣ୍ଠି ଗାୟିକା । ପୁଅ ତା’ର ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜ୍ଜନ କରିଛି ଚେସ୍ ଓ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ । ସମସ୍ତେ ନିଜ ନିଜ କ୍ଷେତ୍ରରେ ଲବ୍ଧ ପ୍ରତିଷ୍ଠିତ । କିନ୍ତୁ ଶିଳ୍ପା ପାଇଛି କ’ଣ? ସ୍ଵାମୀଙ୍କ ଭଲ ପାଇବା ତା’ ପାଇଁ ଦିବା ସ୍ୱପ୍ନ ହୋଇ ଯାଇଛି । ଯିଏ ତାକୁ ଦିନେ ନିଜ ଜୀବନ ବୋଲି ଭାବୁ ଥିଲେ, ଏବେ ସେ ନିଜ ବୃତ୍ତିଗତ ଜୀବନର ଶୀର୍ଷରେ ପହଞ୍ଚିବା ପାଇଁ ସବୁ କିଛି ବାଜିରେ ଲଗେଇ ଦେଇଛନ୍ତି । ପିଲାମାନେ ନା ପାଇଛନ୍ତି ବାପାଙ୍କର ଭଲପାଇବା ନା ଶିଳ୍ପା ତାହା ପାଇଛି ଯାହା ପ୍ରତ୍ୟେକ ନାରୀର କାମ୍ୟ ! ଏପରିକି ନିଜ ପିତାମାତାଙ୍କ ବାତ୍ସଲ୍ୟ ମମତା ବି ଟାଣି ପାରିନି ସମୀରଙ୍କୁ ।

ସମୀର ମଧ୍ୟ ନିଜ ସ୍ୱପ୍ନକୁ ବାସ୍ତବରେ ପରିଣତ କରି ପାରିଛନ୍ତି । ଏକ ଲବ୍ଧ ପ୍ରତିଷ୍ଠିତ ଅନୁଷ୍ଠାନରେ ସେ ଏକ ଉଚ୍ଚ ପଦବୀରେ ପ୍ରତିଷ୍ଠିତ । ଜାତୀୟ ଏବଂ ଆନ୍ତର୍ଜାତୀୟ ପତ୍ର ପତ୍ରିକାର ପୃଷ୍ଠା ମଣ୍ଡନ କରନ୍ତି ସେ । ନିଜ ସଫଳତାର ଶ୍ରେୟ ଶିଳ୍ପାର ତ୍ୟାଗକୁ ଦିଅନ୍ତି ସେ । ସମୀରଙ୍କ ପ୍ରଶଂସାରେ ଶତମୁଖ ବନ୍ଧୁ, ପରିଜନ ସମସ୍ତେ । ଏ ସବୁ ଭିତରେ ବି ପୁଅ ଶିତିଜ ଓ ଝିଅ ସମୀକ୍ଷା ଖୋଜନ୍ତି ନିଜ ବାପାଙ୍କୁ । ସବୁ ସାଙ୍ଗଙ୍କ ପରି ବାପାଙ୍କ କୋଳରେ ବସି ଗେହ୍ଲା ହେବାକୁ । ବାପାଙ୍କ ହାତ ଧରି ବଜାରରେ ବୁଲିବାକୁ । ଉତ୍ସବ ଅନୁଷ୍ଠାନରେ ପୁରସ୍କୃତ ହେଲାବେଳେ ବାପାଙ୍କ କର ତାଳିକୁ । ଶିଳ୍ପା ବି ଅପେକ୍ଷାରେ କେବେ ସେ ସ୍ଵାମୀଙ୍କ ସହ ଏକାଠି ଯିବ ବିଭିନ୍ନ ପାରିବାରିକ ଉତ୍ସବକୁ, ପିଲାଙ୍କ ସଫଳତାକୁ ପାଳନ କରିବାକୁ । ହେଲେ ନା ସରେ ତା’ର ପ୍ରତୀକ୍ଷା, ନା ସେମାନଙ୍କ ପିଲାଙ୍କ ଅପେକ୍ଷା ।

ଆଧୁନିକ ଯୁଗରେ ପରିବାରର ସଂଜ୍ଞା ଏ । କ’ଣ ହେବ ଆମର ଭବିଷ୍ୟତ? ଏ ପ୍ରଶ୍ନର ଉତ୍ତର କାହା ପାଖରେ ଅଛି? ନା ଶିଳ୍ପା ପାଖରେ, ନା ଶିତିଜ ପାଖରେ ନା ସମୀକ୍ଷା ପାଖରେ…

– ଶର୍ମିଷ୍ଠା ମଲ୍ଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...