ବାପା ତୁମେ ଗଲା ପରେ…
(ମୁଁ) ଜୀଅନ୍ତା ଶବଟିଏ ପାଲଟି ଯାଇଛି
ମନର ମନ୍ଦିର ଭୁଶୁଡ଼ି ପଡ଼ିଛି
କାନ୍ଥ, ବାଡ଼, ସାହି ପଡ଼ିଶା
ନିରବ, ନିସ୍ତବ୍ଧ
ଖାଲି ତୁମ ପ୍ରତିଛବି
ତୁମ ସ୍ମୃତି ମନେପଡ଼ୁଛି
ଅଧୁରା ଲାଗୁଛି ଘରଟି
ବାପା ତୁମେ ଗଲାପରେ…
ବିରହ ନିଆଁରେ ଜଳୁଛି
ହୃଦୟରେ ସ୍ମୃତି ସବୁ ଚାପି ହୋଇଛି
ଅଶାର କିରଣ ଝାଉଁଳି ଯାଇଛି
କାହାରି ମୁଖରେ
ହସ ଟିକେ ମିଳୁନି
ଆଖିର ଲୁହକୁ
ଓଠର ଦୁଇ ଧାର ପିଇ ଯାଉଛି
ବାପା ତୁମେ ଗଲାପରେ…
ବାଡ଼ି ବଗିଚାରେ ଶୁଭୁନାହିଁ
କିଚିରି ମିଚିରି ଶବ୍ଦ ପକ୍ଷୀର
କୋକିଳର ମଧୁର ସ୍ୱର ବି
ବେସୁରା ଲାଗୁଛି
ଆକାଶରେ ମେଘ ନାହିଁ
ଜହ୍ନରେ ଜୋଛନା ନାହିଁ
ଲାଗୁଛି ଦୁନିଆଟା ସବୁକିଛି
ହରାଇ ଦେଇଛି
ଭାଙ୍ଗି ଯାଇଛି ମୋ ଜୀବନର
ଭାସମାନ ପୋଲଟି
ବାପା ତୁମେ ଗଲାପରେ…
ସବୁଆଡ଼େ ଖାଲି ଅନ୍ଧାର
ଅଧୁରା ଲାଗୁଛି ଘରଟି
ଶୀତ ସକାଳର କଅଁଳ ଖରା ବି
ଲାଗୁଛି ନିଦାଘ ଗ୍ରୀଷ୍ମ ପରି
ସମସ୍ତ ପଥରେ ବନ୍ଧ ପଡ଼ିଛି ମୋ ପାଇଁ
ସରିଗଲା ଆମ ସୁଖ ସମୃଦ୍ଧିର ପଥ
ତଥାପି ମୁଁ ଗର୍ବ କରିବି
ତୁମକୁ, ତୁମ ଆଦର୍ଶକୁ
ତୁମ ମହତପଣିଆ, ପାରଦର୍ଶିତାକୁ
ସାତ ଜନମକୁ ଭୁଲି ପରିବିନି ବାପା ।
– ରମେଶ ଚନ୍ଦ୍ର ବେହେରା
Comments
ରମେଶ ଚନ୍ଦ୍ର ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।