ଥରେ ବଜାରକୁ ବୁଲି ଯାଇଥିଲି ଦେଖିଲି ଗୋଟିଏ ବାଘ,
ବିଲୁଆ ସହିତ ବୁଲି ଆସିଥିଲା ଖାଉଥିଲା ବସି ଶାଗ !
ନିଶକୁ ସଳଖି ଦାନ୍ତକୁ ରକଟି ମାରୁଥିଲା ବଡ଼ ହାଇ,
ସାମନାରେ ଦେଖି ବୁଦ୍ଧି ହଜିଗଲା କ’ଣ କରିବି ଭାଇ !
ନଖଟା ତାହାର ପନିକି ଭଳିଆ ଦାନ୍ତଟା ପୁରା ମୁନିଆଁ,
ମଝିରେ ମଝିରେ ଉପରକୁ ଚାହିଁ କରୁଥିଲା ବଡ଼ ଆଁ ।
ବିଲୁଆ ନନା ତ ବହୁତ ଚତୁର ଜଗି ବସିଥିଲା ପାଖରେ,
କଣେଇ କଣେଇ ମାମୁଁକୁ ଅନେଇ ହାତ ମାରୁଥିଲା କାନରେ ।
ଡରିଡରି ଯାଇ ପହଞ୍ଚିଲି ପାଶେ ଚୁପିଚୁପି ପାଦ ପକେଇ,
ପଚାରିଲି ମାମୁଁ କଅଣ ଖବର ବସିଛ ମୁହଁକୁ ଶୁଖେଇ ।
ଖୋଜିଖୋଜି ସାଥୀ ବୁଢ଼ା ହେଇଗଲି ଦେଲଯେ ଜଙ୍ଗଲ କାଟି,
ହରିଣ ମାଉଁସ ଲାଗେ ବେସୁଆଦ ଜୀବନଟା ଲାଗେ ମାଟି ।
ବିଲୁଆକୁ ଧରି ଆଣିଛି ସାଙ୍ଗରେ ଖୋଜିଦେବ ଗୋଟେ ସୁନ୍ଦରୀ,
ହାତଧରି ତା’ର ଜୀବନ କାଟିବି ହେଇଯିବି ମୁଁ ସଂସାରୀ ।
ମାମୁଁର ହାତରେ ଦେଲି ଆଣ୍ଡ୍ରଏଡେ ଇନିଷ୍ଟଲ କଲି ଟୁଇଟର,
କେମିତି ପୋଷ୍ଟିଲେ ଝିଅ ପଟିଯିବେ ଫୁଙ୍କିଦେଲି କାନେ ମନ୍ତର ।
ଦିଲ୍ ହେଇଗଲା ଗାର୍ଡେନ ଗାର୍ଡେନ ଅଜାଣତେ ମନେ ହସି,
ମୁଣ୍ଡକୁ ଆଉଁସି ପିଠି ଥାପୁଡେଇ ଦେଲା ମୋତେ ସାବାସି ।
ମାମୁଁକୁ ମିଳିଲା ମନଲାଖି ମାଇଁ ସଂସାର ପ୍ରେମରେ ରସେ,
ଏକୋଇଶା ପାଇଁ ଡାକ ପଠେଇଛି ଭୋଜି ଖାଇଦେଇ ଆସେ ।
– ସୌମ୍ୟରଞ୍ଜନ ଦାଶ
Comments
ସୌମ୍ୟରଞ୍ଜନ ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।