ବାପା

Bapa Odia Poem

ନାଲି ଆଖି କରି ଶାସନ କରନ୍ତି
ସପନ ଦେଖେଇ ସାହସ ବଢ଼ାନ୍ତି
ବୁଝନ୍ତି ସମସ୍ତ ଅଳି ।

ଲୁହ ପି’ ପୁଣି ହସିବା ଶିଖାନ୍ତି
ଦୁଃଖ କଷ୍ଟ ସହି ଆଗକୁ ବଢ଼ାନ୍ତି
କରନ୍ତୁ ପଛକେ ଗାଳି ।

ପଡ଼ି ଛିଡ଼ା ହବା ଶିକ୍ଷା ସେ ଦିଅନ୍ତି
ଜୀବନ ଜିଇଁବା ସୂତ୍ର ବି ଶିଖାନ୍ତି
କଷଣେ ନ ଯାଇ ଡରି ।

ନିଜ ହସ ଭୁଲି ସଭିଙ୍କୁ ହସାନ୍ତି
ନିଜ ଭୋକ ଭୁଲି ଆହାର ଯୋଗାନ୍ତି
ନାହିଁ କେହି ତାଙ୍କ ପରି ।

ବିପଦ ପଡ଼ିଲେ କୋଳେଇ ନିଅନ୍ତି
ଭାଙ୍ଗି ନ ପଡ଼ି ସେ ପାଷାଣ ସାଜନ୍ତି
ତଥାପି ନୂଅନ୍ତି ନାଇଁ।

ବୈଶାଖ ଖରାରେ ଛାଇ ସେ ଦିଅନ୍ତି
ଶ୍ରାବଣ ବର୍ଷାରୁ ରକ୍ଷା ବି କରନ୍ତି
ବୁଢ଼ା ବରଗଛ ହେଇ ।

ଛାତିରେ ଛାତିଏ କୋହ ସେ ଲୁଚାନ୍ତି
ଆଖିରେ ଆଖିଏ ସପନ ମାରନ୍ତି
ହେଲେ ପାଟି ଫିଟାନ୍ତିନି କେବେ ।

ପଚାରିଲେ ଖାଲି ମୁରୁକି ହସନ୍ତି
ବୁଝିଯିବୁ ଆପେ ଏତିକି କୁହନ୍ତି
ବାପା ହେଇଯିବୁ ଯେବେ ।

ହାତ ଧରି ଯିଏ ଚାଲିବା ଶିଖାନ୍ତି
କାନ୍ଧରେ ବସେଇ ଦୁନିଆ ଦେଖାନ୍ତି
ତାଙ୍କ ପରିଚୟ କି ଅଛପା ।

ଆକାଶଠୁ ଲମ୍ବା ଧୈର୍ଯ୍ୟ ଯାହାର
ପୃଥିବୀଠୁ ବଡ଼ ହୃଦୟ ତାଙ୍କର
ସେ ହେଲେ ଆମ ବାପା ।

ଚିନ୍ମୟ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...