ଆଉ ନାହିଁ

Au Nahi

ତୁମର ସେ ଦୁର୍ବଳତା ଆଉ ନାହିଁ
ଆଗ ଭଳି ମୋ ଶବ୍ଦ ମାନଙ୍କ ପ୍ରତି,
ତୁମର ସେ ବିହ୍ୱଳତା ଆଉ ନାହିଁ
ବିତୃଷ୍ଣାରେ କଟେ ମୋର ରାତି ।

ତୁମର ଆଉ ସେ ଉଦ୍ଧାମତା ନାହିଁ
ମୋ ନିରବତାର ମରୁଭୂମି ଉପରେ
ଅସରାଏ ଧ୍ଵନି ହୋଇ ବର୍ଷିବାକୁ,
ଆଉ ନାହିଁ ତୁମର ସେ ସଂଯମତା
ଛିନ୍ନ କରି ମୋ ସଂଭ୍ରମତାର ଶିକୁଳୀ
ଭେଟିବାକୁ ମୋ ନିନ୍ଦା ପରର ସତ୍ୟତା ।

ଆଉ କାହିଁ ଦେଖୁନି ତୁମଠି ସେ ଉତ୍ସୁକତା
ସ୍ୱାର୍ଥମାନେ ସବୁ
ମୋର ଦାସତ୍ୱ ଗ୍ରହଣ କଲାପରେ,
ବିଲୁପ୍ତ ପ୍ରାୟ ତୁମ ବିରହୀ ଲୋତକତା
ଯନ୍ତ୍ରଣାର ଶଯ୍ୟାରେ ମୁଁ କ୍ରୁଶବିଦ୍ଧ ହେଲାପରେ ।

ଆଉ କାହିଁ ଫେରୁନି !
ତୁମର ସେ ମୃଦୁ ଚଞ୍ଚଳତା,
ମୁଁ ବି ତ ଛୁଇଁଛି ବୈଶାଖର ନିଷ୍ପେଶୀ ଇଲାକା

ମୋତେ ବି ତ ଶ୍ଵାସରୁଦ୍ଧ କରିଛି
ଅଫଗୁଣେ କାଳ ମେଘର ଔଦ୍ଧ୍ୟତା,
ଅସମୟେ ଅବିଶ୍ୱାସର ଉର୍ଜ୍ଜା
ମୋତେ ବି ତ ଗୃହବନ୍ଦୀ କରିଛି,
ହେଲେ କେବେ ଦେଖିଛ କି?

ଅଥର୍ବତାର ମୁଖା ପିନ୍ଧି ପିନ୍ଧି
ମୋ ଇନ୍ଦ୍ରିୟମାନଙ୍କୁ ସ୍ଥାଣୁ ପାଲଟିଯିବାରେ ।
ତା’ହେଲେ କାହିଁଗଲା?

କାହିଁଗଲା ତୁମର ସେ ଅଖଣ୍ଡ ଧୈର୍ଯ୍ୟ
ଓ ସାହସର ସ୍ପଷ୍ଟ ପ୍ରାମାଣିକତା?
କେବେ ପୁଣି ପାଇବି?
ତୁମ ପ୍ରେମେ ଭିଜିବାର ସାର୍ଥକତା ।

– ପ୍ରଭାତ ବଳ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...