You are currently viewing ସୁପ୍ରସିଦ୍ଧ ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳ
ସୁପ୍ରସିଦ୍ଧ ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳ

ସୁପ୍ରସିଦ୍ଧ ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳ

ଜଣେ ଶିଳ୍ପୀ ଗୋଟିଏ ମୂଲ୍ୟହୀନ ପଥରକୁ ସଜେଇ ଦିଏ ହୀରାଟିଏ କରି । ଚିତ୍ରଶିଳ୍ପୀଟିଏ କେଉଁ ଏକ ଅଲୋଡ଼ା କାଗଜକୁ ଦେଇପାରେ ଦୁନିଆର ସର୍ବୋଚ୍ଚ ସମ୍ମାନ । ପ୍ରତ୍ୟେକ ଚିତ୍ର ପଛରେ କିଛି ନା କିଛି କାହାଣୀ ଥାଏ ଆଉ ସେ କାହାଣୀମାନଙ୍କ ଜନକଙ୍କ ମଧ୍ୟରୁ ଜଣଙ୍କ ବିଷୟରେ ଆଜି ଜାଣିବା । ଭାରତୀୟ ରେଳ ବିଭାଗରେ କାର୍ଯ୍ୟରତ ଥିବାବେଳେ ଚିତ୍ର ଆଙ୍କିବା ନିଶାରେ ଚାକିରୀ ଛାଡ଼ିବାକୁ ପଛାଇ ନଥିଲେ ସେ ।

ଚିତ୍ର ଆଙ୍କିବା ପ୍ରତି ତାଙ୍କର ଏମିତି ଦୁର୍ବଳତା ଥିଲା ଯେ ସେ ଚାକିରୀରେ ଥିବାବେଳେ ମଧ୍ୟ ଅନେକ ସମୟରେ ରେଳ ଷ୍ଟେସନ୍‌ର ବେଞ୍ଚ ଉପରେ ବସିଲେ ନୋଟ୍‌ପ୍ୟାଡ୍ ଖୋଲି ଦିଅନ୍ତି ଏବଂ କଲମ ମୁନରେ ଗଢ଼ିଦିଅନ୍ତି କିଛି ନା କିଛି ଚିତ୍ର । ତାଙ୍କ ରଙ୍ଗତୂଳୀରେ କେତେବେଳେ ମୋଦି ହାତରେ ଛତାଟିଏ ଧରି କାଖରେ ବ୍ୟାଗ୍ ଖଣ୍ଡେ ଜାକି ରେଳ ଷ୍ଟେସନ୍‌ରୁ ଚାଲି ଚାଲି ଆସୁଥିଲେ ତ କେତେବେଳେ ରେଳଯାତ୍ରୀ ସିଧା ପୁରୀଠାରୁ ଆରମ୍ଭ କରି ସମଗ୍ର ଭାରତ ଭ୍ରମଣ କରୁଥିଲେ ।

ନିର୍ଜୀବ ବସ୍ତୁକୁ ଜୀବନ ଦେଇଛନ୍ତି ସେ ତାଙ୍କର ରଙ୍ଗ ତୂଳୀରେ, ଓଡ଼ିଶାର ସଂସ୍କୃତିକୁ ସଜେଇଛନ୍ତି ଭିନ୍ନ ଏକ ରୂପରେ, ଆଉ କୋଟି ଓଡ଼ିଆର ପ୍ରାଣର ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବଖାଣିଛନ୍ତି ତାଙ୍କ କାନଭାସ୍ ଉପରେ । ପୁରୀ ବଡ଼ଦାଣ୍ଡରେ କୃଷ୍ଣଙ୍କର ଲୀଳା ହେଉ କି ବାରଣାସୀରେ ଗଙ୍ଗା ଦର୍ଶନ ହେଉ, ବଡ଼ ବଡ଼ ମହଲ ହେଉ କି ଗରିବର ଘର ଅଗଣା ହେଉ, ସବୁଥିରେ ଭରି ଦେଇଛନ୍ତି ତାଙ୍କର ଭିନ୍ନ ଚିନ୍ତାଧାରାର ରଙ୍ଗ ।

ଆର୍ଟ୍ ଯାହାଙ୍କ ହାର୍ଟ୍‌ରେ ଥାଏ, ସେ ହେଉଛନ୍ତି ଓଡ଼ିଆ ପୁଅ ବିଜୟ ବିଶ୍ୱାଳ । ପାଲଲହଡ଼ାଠାରେ ଜନ୍ମିତ ବିଜୟ ଯଦିଓ କେତେ କୌଣସି ଆର୍ଟ ସ୍କୁଲ୍‌ରେ ପଢ଼ିନଥିଲେ, ତଥାପି ନିଜର ଉଦ୍ୟମରେ ଏମିତି ଚିତ୍ର ଆଙ୍କିଥିଲେ, ଯାହାକୁ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଶଂସା ନ କରି ରହିପାରିନଥିଲେ । ସେ ଖାଲି ଭାରତ ବର୍ଷରେ ନୁହେଁ ଭାରତ ବାହାରେ ମଧ୍ୟ ପ୍ରସିଦ୍ଧିଲାଭ କରିଛନ୍ତି । ବିଦେଶରେ ଅନୁଷ୍ଠିତ ଅନେକ ପ୍ରଦର୍ଶନୀ ଏବଂ କର୍ମଶାଳାରେ ଯୋଗ ଦେଇଛନ୍ତି ବିଜୟ ।

ଏହି ମହାନ କଳାକାରଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜାଣାଉଛୁ ଶୁଭୋଦୟର ଏହି ପ୍ରଥମର ସଂଖ୍ୟାରେ ତାଙ୍କ ଚିତ୍ରକୁ କଭର୍ ଫଟୋ କରିବାର ସୁଯୋଗ ଦେଇଥିବାରୁ ।

– ସଂଗ୍ରାମ କେଶରୀ ସେନାପତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।