ଅତି ଲୋଭ ବିପଦ
ଅତି ଲୋଭ ବିପଦ

ଅତି ଲୋଭ ବିପଦ

ଦେବଦତ୍ତ ନାମକ ଜଣେ ଗରିବ ବ୍ରାହ୍ମଣ ଏକ ଗାଁରେ ବାସ କରୁଥିଲେ । ସେ ଠାକୁର ପୂଜାର୍ଚ୍ଚନା ଓ ପୁରାଣପାଠ ଆଦିରୁ ଯାହା ରୋଜଗାର କରୁଥିଲେ, ଚଳିବାକୁ କଷ୍ଟ ହେଉଥିଲା । ଏହା ସହିତ ତାଙ୍କର ଅଳ୍ପ ଚାଷ ଜମିରୁ ଆୟ ମିଶି ଯାଉଥିଲା । ହେଲେ ବ୍ରାହ୍ମଣ ଜଣକ ଭାରି ଈଶ୍ୱର ବିଶ୍ୱାସୀ ଥିଲେ ।

ସେହି ବ୍ରାହ୍ମଣଙ୍କର ଚାଷଜମି ହୁଡ଼ାରେ ଏକ ବିରାଟ ବୃକ୍ଷମୂଳେ ଉଈ ହୁଙ୍କାଟିଏ ଥାଏ । ଜମିରେ କାମ କଲାବେଳେ ହାଲିଆ ହୋଇ ବେଳେବେଳେ ବ୍ରାହ୍ମଣ ଏହି ଗଛ ଛାଇରେ ବସିଯାଆନ୍ତି ।

ଦିନକର କଥା । ଦେବଦତ୍ତ ଗଛ ଛାଇରେ ବିଶ୍ରାମ ନେବାକୁ ଗଲାବେଳେ ଦେଖିଲେ, ହୁଙ୍କା ନିକଟରେ ଏକ ନାଗସାପ ଫଣାଟେକି ରହିଛି । ଏହାଦେଖି ବ୍ରାହ୍ମଣ ଭାବିଲେ ବୋଧହୁଏ ବାବା ଭୋଳାନାଥଙ୍କର ଅପାର କରୁଣା ହେଲା । ଏହାଙ୍କୁ ପୂଜାର୍ଚ୍ଚନା କଲେ ମୋତେ ସୁଫଳ ମିଳିବ ।

ଏହା ଭାବି ବ୍ରାହ୍ମଣ ନିଜଘରୁ କ୍ଷୀର ଗିନାଏ ନେଇ ହୁଙ୍କା ପାଖରେ ରଖି ଦେଲେ ଓ ପୂଜା ପାଠ କରିବାକୁ ଲାଗିଲେ । ସଂଧ୍ୟାବେଳକୁ ବ୍ରାହ୍ମଣ ଘରକୁ ଫେରି ଆସିଲେ । ଗିନାର କ୍ଷୀର ସେମିତି ସେଇ ହୁଙ୍କାନିକଟରେ ଥାଏ ।

ସେଦିନ ରାତିରେ ଦେବଦତ୍ତଙ୍କୁ ନିଦ ନଥାଏ । ତା’ପରଦିନ ବିଲକୁ ଯାଇ ଦେଖନ୍ତି ତ ଗିନା ଖାଲି ପଡ଼ିଛି, ସେଥିରେ କ୍ଷୀର ନାହିଁ । ମାତ୍ର ତା’ ବଦଳରେ ଏକ ସୁନାମୋହର ରହିଛି । ତହୁଁ ବ୍ରାହ୍ମଣର ଈଶ୍ୱରଭକ୍ତି ଆହୁରି ବଢ଼ିଗଲା । ଏଣିକି କେଉଁଦିନ ନାଗସାପକୁ କ୍ଷୀରଦେବା ବନ୍ଦ ହେଲାନି କି ସୁନାମୋହର ପାଇବା ଅଟକି ଗଲାନାହିଁ ।

ଦିନକର କଥା । ବ୍ରାହ୍ମଣ ଦେବଦତଙ୍କର ଦୁଇଚାରିଦିନ ପାଇଁ କୌଣସି ଏକ ଦୂରସ୍ଥାନକୁ ଯିବାକୁ ପଡ଼ିଲା । ସୁତରାଂ ତାଙ୍କର ଏକମାତ୍ର ପୁତ୍ରକୁ ଡାକି ସବୁ କଥା କହିଲେ । ପ୍ରତିଦିନ ପୂଜାପାଠ କରି କ୍ଷୀର ଦେବାରେ ହେଳା ନକରିବା ପାଇଁ କହିବା ସହିତ ମିଳୁଥିବା ସୁନାମୋହରକୁ ଅତି ଯତ୍ନରେ ରଖିବା ପାଇଁ ତାଗିଦ୍ କରି ବ୍ରାହ୍ମଣ ଚାଲିଗଲେ ।

ବ୍ରାହ୍ମଣର ପୁଅ ପ୍ରଭୁଦତ୍ତ ବି ବାପାଙ୍କ କଥା ଅକ୍ଷରେ ଅକ୍ଷରେ ପାଳନ କଲା । ପ୍ରଥମ ଦିନ କ୍ଷୀର ବଦଳରେ ସୁନାମୋହର ପାଇ ସେ ବହୁତ ଖୁସିହେଲା । ଏବେ ପୁଅ ଘରକୁ ଆସି ସୁନାମୋହରଟିକୁ ହାତରେ ଧରି ବାରମ୍ବାର ଦେଖିଲା । ତା’ର ମନରେ ଲୋଭ ଆସିଲା, ଯଦି ପ୍ରତିଦିନ ଗୋଟିଏ ଗୋଟିଏ ମୋହର ମିଳୁଛି, ତେବେ ଏ ଉଇ ହୁଙ୍କାରେ ଅନେକ ସୁନାମୋହର ଗଚ୍ଛିତ ହୋଇଥିବ ବୋଲି ଭାବିଲା । ସୁତରାଂ ପ୍ରତିଦିନ କ୍ଷୀର ଦେଇ ପୂଜାପାଠ କଲେ ଗୋଟିଏ ସୁନାମୋହର ହାତକୁ ଆସିବା ପରିବର୍ତ୍ତେ ଗଚ୍ଛିତଥିବା ସବୁ ମୋହର ଏକା ବେଳକେ ଗୋଟିଏ ଦିନରେ ମିଳିଗଲେ ଭାରି ଭଲ ହୁଅନ୍ତା । ଅନେକ ଗୁଡ଼ିଏ ସୁନାମୋହରର ମାଲିକ ହୋଇ ଗାଁର ସବୁଠାରୁ ବଡ଼ ଧନୀ ହେବା ନିଶା ଏବେ ପ୍ରଭୁଦତ୍ତ ମୁଣ୍ଡକୁ ବିଗାଡ଼ି ଦେଲା । ଏହାଭାବି ସେ ଗୋଟିଏ ଶାବଳନେଇ ଉଇହୁଙ୍କା ନିକଟରେ ପହଞ୍ଚଲା । ଚାହୁଁ ଚାହୁଁ ଶାବଳରେ ହୁଙ୍କାଟାକୁ ତାଡ଼ି ପକାଇଲା ।

ପ୍ରଭୁଦତ ହୁଙ୍କା ତାଡ଼ିଲା ମାତ୍ରେ ତା’ ଭିତରେ ବସା ବାନ୍ଧିଥିବା ଅନେକ ନାଗସାପ ବାସହରା ହୋଇ ବାହାରକୁ ବାହାରି ପଡ଼ିଲେ । ରାଗରେ ଫୁ ଫୁ ହୋଇ ଗୋଡ଼ାଇ ଗୋଡ଼ାଇ ପ୍ରଭୁଦତ୍ତକୁ ଦଂଶନ କଲେ । ବାପା ଫେରି ଆସି ଦେଖିଲା ବେଳକୁ ପ୍ରଭୁଦତ୍ତର ପ୍ରାଣବାୟୁ ଉଡ଼ିଯାଇଥିଲା ।

ଏବେ ଦେବଦତ୍ତ ମନରେ ଭାବିଲେ ସତରେ ଅତି ଲୋଭ ଯୋଗୁଁ ପୁଅର ଏଭଳି ଦଶା ହେଲା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu