ହରିଶର ପିଲାବେଳୁ ଇଚ୍ଛା ଥିଲା ସେ ଗୋଟେ ଭଲ ସାମ୍ୱାଦିକ ହେବ । ସେଥିଯୋଗୁଁ ସେ ପ୍ରସ୍ତୁତି ବି ଆରମ୍ଭ କରି ସାରିଥିଲା । ଭାଗ୍ୟକୁ ଗୋଟେ ଛୋଟ ମାସିକ ପତ୍ରିକାର ସାମ୍ୱାଦିକ ଭାବେ ସେ କଟକରେ ହିଁ ନିଯୁକ୍ତି ପାଇଲା । ଦିନେ ପତ୍ରିକାର ସମ୍ପାଦକ ତାକୁ ଗୋଟେ ସତ୍ୟ ଭୌତିକ ଘଟଣା ଉପରେ ଗଳ୍ପ ଲେଖିବାକୁ କହିଲେ ଯୋଉଟାକି କି ସେ ନିଜେ ଅଙ୍ଗେ ନିଭେଇଥିବ । ଯଦିଓ ହରିଶ ସେମିତି କିଛି ଭୁତ ପ୍ରେତ ଉପରେ ବିଶ୍ୱାସ କରେନି; ତଥାପି ସମ୍ପାଦକଙ୍କୁ କିଛି ସମୟ ମାଗି ଲେଖି କି ଦେବା ପାଇଁ ସମ୍ମତି ଜଣାଇଲା ।
କଟକର ରାଜବଗିଚାରେ ସେ ଖଣ୍ଡେ ଭଡ଼ା ଘର ନେଇ ରହିଥିଲା । ଏକଦମ ଗଳି ଜାଗା । ସେଦିନ ରାତିରେ ଝିପଝିପ ବର୍ଷା ହେଉଥାଏ । ଅଫିସରୁ ଆସୁଆସୁ ରାତି ୧୧ଟା ବାଜି ଯାଇଥାଏ । ଛତା ଯେହେତୁ ନେଇ ନଥିଲା ସେ ଅଧାଅଧି ଓଦା ହୋଇ ଯାଇଥିଲା । ଜୋରଜୋରରେ ଚାଲୁଥାଏ । ଘରେ ପହଞ୍ଚି ଗଲେ ହେଲା । ହଠାତ୍ ତାକୁ ଲାଗିଲା ଯେପରି ତାକୁ ଜଣେ କିଏ ପଛରୁ ଅନୁସରଣ କରୁଛି । ଟିକେ ରହି କି ପଛକୁ ଅନାଇଲା କେହି କୁଆଡ଼େ ନାହାଁନ୍ତି । ବୁଲା କୁକୁରଗୁଡ଼ା ଖାଲି ଯାହା ଭୁକୁ ଥାଆନ୍ତି । ସେ ପୁଣି ଆଗକୁ ଚାଲିଲା । ଏଥର ତାକୁ ଅନୁସରଣ କରୁଥିବା ପାଦର ଶବ୍ଦକୁ ସେ ଠିକ ବାରି ପାରିଲା । ପଛକୁ ଚାହିଁ କହିଲା “କିଏ ସେଠି”? ଗୋଟେ ଭଙ୍ଗା କେବିନ ପଛପଟୁ ବାହାରି ଆସିଲା ଗୋଟେ ଜୀର୍ଣ୍ଣକାୟ ବୃଦ୍ଧ । ଷ୍ଟ୍ରୀଟଲାଇଟରେ ତା’ର ମୁହଁଟା ସ୍ପଷ୍ଟ ଜଣା ପଡ଼ୁନଥିଲା । କିନ୍ତୁ ଲାଗୁଥିଲା ଦାଢ଼ି ଓ ଅଲରା ଚୁଟିରେ ଭର୍ତ୍ତି ଗୋଟେ ପାଗଳ ଭଳି । ଦଉଡ଼ି ଆସି ହରିଶର ଗୋଡ଼କୁ ମାଡ଼ି ବସି କହିଲା “ବାବୁ ମୋତେ ୧୦୦ ଟଙ୍କା ଦିଅ ୪ ଦିନ ହେଲାଣି ମୋ ଘରେ ଚୁଲି ଲାଗିନି ଘରେ ରୋଗିଣା ସ୍ତ୍ରୀ ଆଉ ୫ ବର୍ଷର ପୁଅ ।” କାନ୍ଦି କାନ୍ଦି ସେ ନୟାନ୍ତ ହେଇ ଯାଉଥାଏ । ହରିଶ ପୁରା ଡରି ଯାଇଥାଏ । ସେ ରାସ୍ତାରେ ଏକୁଟିଆ କେହି କୁଆଡ଼େ ନାହାଁନ୍ତି । ପଇସା ନ ଦେଲେ ହୁଏ ତ ଲୋକଟା କିଛି ବି କରିଦେଇ ପାରେ । ସେ ତାକୁ କହିଲା “ହଉ ଉଠ ମୁଁ ଦେଖୁଛି ମୋ ପାଖରେ କେତେ ପଇସା ଅଛି ।” ପର୍ସ ଅଣ୍ଡାଳି ଦେଖିଲା ଦୁଇ ଖଣ୍ଡ ୧୦୦ ଟଙ୍କିଆ ନୋଟ୍ ଅଛି ସେ ସେଥିରୁ କାଢ଼ି ତା’କୁ ଖଣ୍ଡେ ଶହେ ଟଙ୍କା ଦେଲା । ଟଙ୍କା ହରିଶ ହାତରୁ ଝାମ୍ପି ନେଇ ଆଖି ପିଛୁଳାକେ ସେଠାରୁ ଉଭାନ ହେଇ ଗଲା ଲୋକଟା । ହରିଶ ଘରେ ପହଞ୍ଚି ମୁହଁହାତ ଧୋଇ ଯାଇ ଶୋଇ ପଡ଼ିଲା ।
ରାତିସାରା ଲୋକଟାର ସେ କଦର୍ଯ୍ୟ ଚେହରା ତା ଆଖି ଆଗରେ ନାଚି ଉଠୁଥିଲା । ସକାଳୁ ଉଠି ନିତ୍ୟକର୍ମ ସାରି ଅଫିସ୍ ଯିବା ବେଳେ ସେଇ କେବିନ ପାଖରେ ଟିକେ ଅଟକି ଗଲା; ଦେଖିଲା ସେ ଦେଇଥିବା ୧୦୦ ଟଙ୍କା ସେ କ୍ୟାବିନ ତଳେ ପଡ଼ିଛି । ଆରେ ଏ ସେ କ’ଣ ଦେଖୁଛି ଏ ତ ବୋଧ ହୁଏ ସେଇ ଲୋକର ଫୋଟୋ । କିନ୍ତୁ ଫୋଟୋ ତଳେ ଏ କଣ ଲେଖା ଅଛି ୧୫ ଦିନ ହେଲାଣି ନିଖୋଜ ବୋଲି । ଟିକେ ପାଖକୁ ଯାଇ ଭଲକରି ପଢ଼ିବାକୁ ଚେଷ୍ଟା କରିବାକୁ ଗଲାବେଳକୁ କ୍ୟାବିନର ମାଲିକ ଗୋଟେ ପାନ ଦୋକାନୀ ଆସି ତାକୁ ପଛରୁ ଡାକିବାରୁ ସେ ଚମକି ପଡ଼ିଲା । କ’ଣ ହେଲା ଭାଇ? କ’ଣ ଦରକାର? ହରିଶ କହିଲା ଏ ଫୋଟୋଟା? ଦୋକାନୀ ପୁଣି କହିଲା “ଓଃ ଏ ଫୋଟୋ? ଏ ହଉଛି ପରା ଆମ କଲୋନୀର ନିଧି ମଉସାଙ୍କର ! ବିଚରା ବୁଢ଼ାର ସ୍ତ୍ରୀ ମରିଯିବା ପରେ ସେ ପାଗଳ ହୋଇଗଲା । ପୁଅ ତା’ର ତାକୁ ଖାଇବାକୁ ପିଇବାକୁ ନ ଦେଇ ଘରୁ ବାହାର କରିଦେଲା । କାଳେ କିଏ ସନ୍ଦେହ କରିବ ବୋଲି ଭାବି କି ଏମିତିଆ ସବୁ ଫୋଟୋ ସାହି ସାରା ମାରିଛି ଯେ ନିଧି ମଉସା କୁଆଡ଼େ ଘର ଛାଡ଼ି ପଳେଇଛନ୍ତି ବୋଲି । କିନ୍ତୁ ଦୁଇ ଦିନ ତଳେ ନିଧି ମଉସାଙ୍କ ଶବ ଟ୍ରେନ ଲାଇନ୍ କଡ଼ରୁ ମିଳିଛି । ସେ ବୋଧେ ଆତ୍ମହତ୍ୟା କରି ଦେଇଛନ୍ତି ।” କ’ଣ ଆତ୍ମହତ୍ୟା !? ହରିଶର ପାଦତଳୁ ମାଟି ଖସିଗଲା ପରି ଲାଗିଲା । ଆଉ ତା’କୁ ମିଳି ଯାଇଥିଲା ତା’ର ପତ୍ରିକା ପାଇଁ ଗୋଟେ ସତ ସତିକା ଭୌତିକ କାହାଣୀ ।
– ଦୀପକ ଷଡ଼ଙ୍ଗୀ
Comments
ଦୀପକ ଷଡ଼ଙ୍ଗୀ ପେଶାରେ ଜଣେ ଅଧ୍ୟାପକ, ଯିଏକି ରୋଲାଣ୍ଡ ଫାର୍ମାସୀ କଲେଜରେ କାର୍ଯ୍ୟରତ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି । ଏତଦ୍ବ୍ୟତୀତ ସେ ନିଜେ ଜଣେ ଗୀତାର ବାଦକ ।