ଅନ୍ଧାର

Odia Poem Andhar (ଅନ୍ଧାର) by Puspanjali Panda

କିଟିମିଟିଆ ଅନ୍ଧାର…
ଅନ୍ଧିଭିତରୁ ଦାନ୍ତ ଦେଖେଇ
ବାହାରି ଆସୁଛି ଡର…
ସମସ୍ତେ ଡରନ୍ତି ।

ମୁଁ ଏକା ନୁହେଁ, ବାପା ଆଉ ବୋଉ
ଢେର୍ ଡରନ୍ତି,
ରାତିରେ ବାହାରକୁ !
କେବେ ବାହାରିଛ କି? ଡରିନ?
ମିଛ କହୁଛ କାହାକୁ ।

ଛାତି ଧଡ଼ଧଡ଼, ମନରେ ଭୟ…
ମା’ ପାଖକୁ ଲାଗିଆସି
ମିଛ ଶୋଇବାର ଅଭିନୟ ।

ଏବେ ତ ଖୁବ୍ ଜୋରେ
ବାଡ଼ିଟା ଧରେ…
କେବଳ ପଡ଼ି ଯିବାର ଡର
କିଲବିଲ୍ କରେ ।

ଏକଲା ଜୀବନ,
ଜୀଇଁବା ଶିଖେଇଛି…
ଡରିଡରି ବଞ୍ଚି ହୋଇଛି
ମୃତ୍ୟୁକୁ ଡରିବି !

ଆସୁ, କେତେ ଅନ୍ଧାର ହେବ ହେଉ
କାହାକୁ କହିବି !
ଅସ୍ତବ୍ୟସ୍ତ ବର୍ତ୍ତମାନ…
ଚାରିପଟ ନିବୁଜ, ଶାନ୍ତ ଇଲାକା
ମୃତ୍ୟୁର ପ୍ରତ୍ୟାବର୍ତ୍ତନ ।

ଏଠିବି ଅନ୍ଧାର…
ଆଉ ଡର ଲାଗୁନି, ବରଂ
ଶୁଭୁଚି, ନୂଆ ଏକ ଜୀବନର ସ୍ୱର…
ଆଖିରେ ବହଳ ଅନ୍ଧାର…
ଶାନ୍ତ ଶୀତଳ ପରଶ ଏତେ ମଧୁର
କେବେ ମିଳିଛି ବେଲି
ନାହିଁ ପ୍ରତ୍ୟୁତ୍ତର…
କଳାଅନ୍ଧାର ଆଣେ,
ନୂତନ ଆଶାର କିରଣ,
ସିନ୍ଦୂରା ଫାଟିଲା…
ଅନ୍ଧାର ହଟିଲା…

– ପୁଷ୍ପାଞ୍ଜଳୀ ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...