ଗିନାଚାମଚ
ରାଜସ୍ଥାନୀ ହେଲେବି ଶାଶୁକୁ ସବୁ ଓଡ଼ିଆ ଚାଲିଚଳଣୀ ଓ ଆଦବକାଇଦା ଜଣା । ବଡ଼ବୋହୂ ବେଳକୁ ସିନା ଭୁଲିଗଲାବୋଲି ଦିନଗଡ଼ି ଅସମୟରେ ପିଲାଟି ପେଟରେ ଚାଲିଗଲା, ହେଲେ ଏଥର ସାନବେଳକୁ ରାତିଅଧରେ ପିଲା ବୁଲୁନି ବୋଲି ଶୁଣିଦେଲାରୁ ଗିନାଚାମଚ ପେଟଉପରେ ଥୋଇ ଚଟାପଟ ଆରମ୍ଭ କରିଦେଲା ଋଣୁଝୁଣୁ ଶବ୍ଦ । ପିଲାଟି ବୁଲିଲା ବି ରାତିରେ, ଆଉ ତହିଁଆରଦିନ ମୁଁ ଅଲ୍ଟ୍ରାସାଉଣ୍ଡ ରିପୋର୍ଟରେ ବି ସବୁ ଠିକ୍ ଠାକ୍ ।
କାଠିମାଳି
ହଳଦିଆକାଆଁଳ ହଉ କି ମାଟିଆକାଆଁଳ, ଡାକ୍ତରିଓଷଦ ଯିଏ ଖାଇଲା ସେ ମରଣକୁ ଡାକିବ ଜାଣ । ଆରସାହିର ମଦୁଆ ଚଣ୍ଡକୁ କଟକ ନେଇକି ମାରିଦେଲେନା । ମନୁଆ ବାପା ଆଉ ସେ ଭୁଲ କରିବ? ଗୁଣିଆ ପାଖକୁ ଯାଇ ଆଣିଲା ଗୋଟେ ମନ୍ତୁରା କାଠିମାଳି ଆଉ ମୋଦକ । ସାତଟା ଦିନରେ ବେକରୁ ଲମ୍ବି ଲମ୍ବି ମାଳି ଆସି ନାହିମୁଣ୍ଡରେ ଆଉ ମନୁଆ ରୋଗମୁକ୍ତ ।
ନିଆଁଚେଙ୍କ
ପେଟକୁ ମାରିଲେ ଆଉ କି ବଞ୍ଚିହେବ? ନାହିଆର ନାହିଫୁଲା ଆଉ ପେଟମରା ବେମାରିଥିଲା । ତାକୁ ଭୋବନିଶର ନେଇକି କ’ଣ ଅପରେସନ କଲେ, ସେଇଥିରେ ସେ ଗଲା । ପ୍ରେମବୋଉ କିନ୍ତୁ ଭାରି ଚାଲାକ । ମାସିକିଆରେ ପେଟମାରିଲାରୁ ଗାଁଗୁଣିଆଁ ପାଖରେ ନେଇ ରାତିଅଧରେ ଚେଙ୍କ ଦେଇଆଣିଲା ।ଏବେ ସବୁଠିକ୍ ।
କଳାସୂତା
ଆଋଷି ମମି ତା’ ଡାହାଣ ଗୋଡ଼ରୁ କେବେ ବି କଳାସୂତା କାଢ଼ନ୍ତିନି । ଆଜିକାଲିକା ଛୁଆଙ୍କ ଡ୍ରେସକୋଡ୍କୁ ସହରରେ ଖରାପ ନଜରର କ’ଣ ଅଭାବ ! ଏଇ କଳାସୂତାଟି ରକ୍ଷାକବଚ । ତାନଭି ମମି ଏତକ ଶିଖିନିବୋଲି ଯାହା ହଟହଟା ହେଇଛି ଝିଅଟି ଗୋଟେ ପ୍ରାଇଭେଟ ପାର୍ଟିରେ !
ପଣା
ଶ୍ୱାସ କ’ଣ ଭଲହୁଏ? ବାଇଆ ହେଲ ଦିଜବର । ମୋ ଦେଖିବାରେ ସହସହ ରୋଗୀ ଜମିବାଡ଼ି ବିକି ତଳିତଳାନ୍ତ ହେଲେଣି:- ସାହୁଆଜ୍ଞା ସେଦିନ ଗ୍ରାମସଭାରେ ଅନୁଭୂତି ବଖାଣୁଥିଲେ । ଯଦି ଭଲ ହେବାକୁ ଇଚ୍ଛା, ଯା’ ଚାଲିଯା’ ପଣାସଂକ୍ରାନ୍ତିକୁ ଭଦ୍ରକର ବେଲଦା । ଯୋରରେ ରାତିରେ ବୁଡ଼ିକି ଗାଧେଇବୁ ।ପଣା ପିଇବୁ । ଜୀବନଟା ରହିଯିବ ତୋର ।
କ୍ୟାନସର
ଏ ରୋଗର ଚିକିତ୍ସା କାହିଁ ! ଲାଇଟ ପକା, କେମୋ ନେ କି ଅପରେସନ କରା, ତ୍ରାହି ନାହିଁ । ଚିକିତ୍ସା ବିଜ୍ଞାନ ହାରମାନିଛି ୟା ପାଖରେ:- ପାନଖିଆ ପାଟିରେ ସାହୁବାବୁ ଗୁଢ଼ଜ୍ଞାନ ବଖାଣୁଥିଲେ । ରଘୁବାବୁଙ୍କ ସ୍ତ୍ରୀଙ୍କୁ ଡାକ୍ତର ସିନା ଫେରେଇଦେଇଛନ୍ତି, କିନ୍ତୁ ନୀଳଗିରି ବୈଦ ଗ୍ୟାରେଣ୍ଟି ସହ ଭଲକରିଦେବେ । ବଡିଭୋ’ରୁ ୧୦୦ମିଲି ପରିସ୍ରାସହ ଚାଲିଗଲେ, ସେଇଟାକୁ ଦେଖୁଦେଖୁ ସେ କହିଦେବେ ରୋଗ ଆଉ ତା ଓଷଦ ।
ଦୁବ
ଈଶର ବେହେରାର ନଜରଟା ମାରାତ୍ମକ । ଯେଉଁ ଗର୍ଭଣୀ ଗାଈଉପରେ ପଡ଼ିବ ତାର ଗର୍ଭପାତ ସୁନିଶ୍ଚିତ ଆଉ ଦୁଧିଆଳିର ତହିଁଆରଦିନ ଶୁଖିଲା । ସୁକୁଟି ସାହୁର ଦେଶୀମିଶା ଜର୍ସୀଟାର ଦୁତୀଅ ବିଆଣ । ତା’ ପରିବାରର କଞ୍ଚାପଇସା କୁହ । ଆଡ଼ଆଖିରେ ଚାହିଁଦେଲା ଯେ କ୍ଷୀର ପୁରା ମରିଗଲା । ବରଜୁ ପଣ୍ଡିତଙ୍କଠୁଁ ମନ୍ତୁରାଦୁବ ଆଣିଦେବାରୁ ଏବେ ଟିକେ ଭଲ । ନାତ ବି ମାରୁନି ଆଉ ।
ମନ୍ଦାରଫୁଲ
ସାହୁବାବୁଙ୍କ ରୋଗଚିକିତ୍ସା ଜ୍ଞାନ ଟିକେ ଭଲ । କଟକକୁ ଲୋକମାନଙ୍କୁ ନେଇ ଡାକ୍ତର ଦେଖେଇବାରେ ଭଲ ଦିପଇସା ରୋଜଗାର ବି ଅଛି । କିନ୍ତୁ ସ୍ତ୍ରୀ ଲୋକଙ୍କ ବନ୍ଧ୍ୟାଦୋଷ ପାଇଁ ତାଙ୍କ ପସନ୍ଦ ଭାକୁଡ଼ ବଇଦେଙ୍କର ମନ୍ଦାରଫୁଲ ଓ ଚେରମୂଳି । ଗ୍ୟାରେଣ୍ଟି ସହ ପିଲାରହିବ ତା’ ପୁଣି ପୁତ୍ରସନ୍ତାନ ।
ଆମ୍ବଡ଼ା
ହରିଆବୋଉ ପୁରୁଖାଲୋକ । ଗଣ୍ଡା ଗଣ୍ଡା ଛୁଆ ବଢ଼େଇବାରେ ତା’ର ଅଭିଜ୍ଞତା । ଗୁଣିଗାରେଡ଼େ ବି ଜାଣେ । ମୁକୁତାମା’ ନାତିର ବାତ ଥିଲା ଯେ କଟକଠୁଁ କଲିକତା ଯାଏଁ, କୋଉଠି ଭଲ ହେଲାନି । ହରିଆବୋଉଠୁଁ ଆଣି ମନ୍ତୁରା ଆମ୍ବଡ଼ାଟେ ବେକରେ ଯେମିତି ଝୁଲେଇଛି, ସେବେଠୁଁ ବାତର ଚିହ୍ନବର୍ଣ୍ଣ ନାହିଁ ।
ପାଦ
ଅଣ୍ଟାରୋଗ କାହାର ଭଲ ହୁଏ ! ଯଦିବି ହୁଏ, ସେ କେବଳ ସେହି ତ୍ରାଣକର୍ତ୍ତା ବାବାଙ୍କ ପାଖରେ । ସେ ମୁଣ୍ଡରେ ଦୁଇଟା ଲେମ୍ବୁଥୋଇ ପାଦଟି ଲଗେଇଦେବେ ଅଣ୍ଟାରେ ଥରେ, ତାପରେ ଜାଣିବ ତୁମ ଯମଯନ୍ତ୍ରଣା ଗଲା ।
ଅଧିଆ
ରାଧୁଆ କଟକରେ । ଡାକ୍ତର କହୁଥିଲେ ଆଶା ଛାଡ଼ିଦିଅ । ରାଧୁବୋଉ ୩ ମାସ ଅଧିଆ ପଡ଼ିଲା ମନ୍ଦିରରେ । ଠାକୁରଙ୍କ ଆଜ୍ଞା ପାଇ ଫେରିଛିନା ନାହିଁ, ସଙ୍ଗେ ସଙ୍ଗେ ଖବର ପାଇଲା, ରାଧୁ ଠିକ୍ ହୋଇଆସିଲାଣି ।
ଜୋକ
ଶୋରିଆଶିଷ ଏକ ଭୟଙ୍କର ଚର୍ମରୋଗ । ସାହୁବାବୁଙ୍କ ଏ ରୋଗ ବହୁ ଡାକ୍ତର ଖାଇଲାଣି । ଯଥା ପୂର୍ବମ୍ ତଥା ପରମ୍ । କିନ୍ତୁ କିଛିଦିନତଳେ ଖବରପାଇ ଭଦ୍ରକରେ ପହଞ୍ଚିଲେ । ବଇଦ ଚାଚା ଜୋକ ଲଗେଇ ଦୂଷିତ ରକ୍ତ ଦେହରୁ ଶୋଷିଲେ ଓ ଗୋମୂତ୍ର ଲେପନର ପରାମର୍ଶ ଦେଲେ, ଏବେ ଟିକେ ଭଲ ।
ଚୁଟି ଓ ସୂତା
ମୀରା ପଛରେ ବର୍ଷ ବର୍ଷ ପଡ଼ିଲାପରେ ବି ମୋହନ ବିଫଳ । ମୀରା ଧରାଛୁଆଁ ଦଉନି । ରାକେଶର ସାହାଯ୍ୟ ଲୋଡ଼ିବାରୁ ସେ ନେଇ ହାବୁଡ଼େଇଲା ରାଙ୍ଗାସ୍ୱାମୀ ଗୁଣିଆ ପାଖରେ । ମନ୍ତ୍ରଣାନେଇ ଦୁଇବନ୍ଧୁ ମିଶି କୌଣସି ଉପାୟରେ ମୀରାର ଗୋଟେ ଚୁଟି ଆଉ ଚୁନରୀର ସୂତାଖଣ୍ଡେ ଯୋଗାଡ଼ିଲେ । ମନ୍ତୁରାଚିଜକୁ ମୋହନ ହାତରେ ବାନ୍ଧିବାବେଳୁ ମୀରା ଆପେ ଆପେ ଆସି ଶରଣରେ ।
ସାହାଡ଼ାପତ୍ର
ସ୍କୁଲବେଳେ ଭୂଗୋଳ ସାରଙ୍କୁ ମୋର ବହୁତ ଡର । ଏଣୁତେଣୁ ପୁଳେ ପଚାରି ପିଠିରୁ ଛାଲ ଉତାରିଦିଅନ୍ତି । ଶେଷରେ ବ୍ରହ୍ମାସ୍ତ୍ର ପଡ଼ିଲା ହାତରେ । ବାଟରେ ଗଲାବେଳେ ୭ଟା ସାହାଡ଼ାପତ୍ର ପକେଟରେ, ଆଉ ଖଜୁରୀପତ୍ରରେ ୭ଟା ଗଣ୍ଠି ପୁରା ପରିବେଶ ବଦଳେଇଦେଲା ଭୂଗୋଳ ପିରିଅଡର ସବୁଦିନପାଇଁ ।
ଖୋଲାଚୁଟି
ଶଙ୍କରାମା’ ପୁରୁଣା ଧାୟୀ । ତା’ ଇଂଗିତରେ ନର୍ମାଲ, ତା’ ଇଚ୍ଛାରେ ଜାଣ ସିଜରିଆନ । ଗାଁ’ଟା ଯାକ ସମସ୍ତେ ତା’ ପାଖରେ । ଡୋରା ବୋଉର ସେ ଯୋଉ ନୂଆ ପାଠୋଇ ବୋହୂ ଆସିଛି, ଯେତେ କହିଲେ ବି ଧାୟୀ କଥା ଶୁଣିଲାନି କି ଚୁଟି ଖୋଲିଲାନି । ଶେଷଯାଏ ବେଣୀରେ ଗଣ୍ଠିରହିଲା । କଟକ ନେଲେ ତାକୁ, ସିଜରିଆନ ହେଲା, ଛୁଆଟା ବି ରହିଲାନି ନା କ’ଣ !
ଛାଞ୍ଚୁଣୀ
ରାକେଶକୁ ଛାଡ଼ି, ମୋହନକୁ ବାହାହେଲା ମୀରା । ମନଟା କିନ୍ତୁ ମାନିନି । ଅଷ୍ଟମଙ୍ଗୁଳାରେ ନୂଆବୋହୁ ଘରୁ ଗୋଡକାଢ଼ିବା ଆଗରୁ ଶାଶୁ ନଜର ଏଡ଼ାଇବାକୁ ଛାଞ୍ଚୁଣୀରୁ ପତ୍ରଟେ ଆଣି ମଙ୍ଗଳସୂତ୍ରରେ ବାନ୍ଧି ଦେଲେ! ଦରପାଠୋଇ ମୀରା ଫିଙ୍ଗିଦେଲା କିନ୍ତୁ । ଆଉ ଭୂତ(ରାକେଶ) ତାକୁ ନଲାଗି ରାସ୍ତାଅଛି ! ୧୫ଦିନ ହେଲାଣି ଭୋଗୁଛି ବୋହୁଟା ।
Comments
ଡ. ବିଶ୍ୱରଞ୍ଜନ କର ପେଶାରେ ଜଣେ ଡାକ୍ତର ହେଲେ ମଧ୍ୟ ନିଶା ତାଙ୍କର ଗପ ଓ କବିତା ଲେଖିବା । ସେ ତାଙ୍କର ଫାଙ୍କା ସମୟରେ ବିଭିନ୍ନ ଗପ ଓ କବିତା ଆଦି ଲେଖନ୍ତି । ଶୁଭପଲ୍ଲବର ପ୍ରତିଷ୍ଠା ହେବାଠାରୁ ସେ ସମ୍ପାଦକମାନଙ୍କୁ ବିଭିନ୍ନ ସମୟରେ ସାହାଯ୍ୟ କରିଆସିଛନ୍ତି ।