”ଆଖିରେ ସେ ”କବିତା” ଲେଖେ ବୋଲି
ମଲାଟରେ କଜଳମଖା ନୀଳ ଆଖିର ଚିତ୍ର” ॥
ଓଠ ତା’ର ଚକୋଲେଟ୍ ଖାଏ ବୋଲି
ଡହ ଡହ ଷ୍ଟ୍ରବେରିର ରଙ୍ଗ ॥
ଏ ଆଷାଢ଼ରେ ତା’କୁ ଷୋହଳ ଛୁଇଁଛି ବୋଲି
ବୟସ ତା’ର “ଅଙ୍ଗୁରି” ॥
ହଳଦୀ ମାଖିବା ଶିଖିଗଲା ବୋଲି
ରଙ୍ଗ ତାର ନୂଆ “ଗହମ” ॥
ଯେବେଠୁ ତା’ ଚୁନରି ଉଡ଼ିଲା
ଢେଉ ପରି “ଚୁଲୁବୁଲି” ॥
ସୁରୂଜକୁ ଯେବେଠୁ ସେ ଜଳ ଅର୍ପୁଛି
ତା’ ମୁହଁ ଦିଶେ “ସୂର୍ଯ୍ୟମୁଖୀ” ॥
ମୁଣ୍ଡରେ ଯେତେବେଳେ ତା’ର ଲମ୍ବା ଓଢ଼ଣୀ
ସେ ଚଉରା ମୂଳେ “ସନ୍ଧ୍ୟାରାଣୀ” ॥
ସଂଜ ନଇଁ ଗଲା ପରେ ମାଡ଼ି ଆସେ ଯେବେ ରଜନୀ
ମିଞ୍ଜିମିଞ୍ଜି ଆଲୁଅରେ ସେ “ତାରାତରୁଣୀ” ॥
ଯେବେ ଠୁ ତା’ ଚୋରା ଚାହାଣୀ ଲେଖେ କାହାଣୀ
ସେ ସାଜିଛି “ସାହେବାଣୀ” ॥
ସିନ୍ଥିରେ ଯେବେଠୁ ନାଇଲା ସିନ୍ଦୂର ନିତିନିତି
ସେ “ସୌଭାଗ୍ୟବତୀ” ॥
ଯେବେ ଠୁ ସୁଖ ଦୁଃଖରେ ଭାଗ ମାଗିଲାଣି
ସେ ଏବେ “ଅର୍ଦ୍ଧାଙ୍ଗିନୀ” ॥
ସନ୍ତାନ ମୋହରେ ପଡ଼ିଲା ପରେ ତା’ର ଏବେ ନୂଆ ନାଁ”
ସେ ଏବେ “ମାଆ” ॥
– ତପନ ସାହୁ
Comments
ତପନ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତି କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଥାଏ ।