ପ୍ରଚଣ୍ଡ ଖରାଦିନେ ପାୱାର କଟ୍ !! ଓଃ ଯଉ ଡହଳ ବିକଳ ଲାଗେ ଆଉ କୁହନ୍ତୁନି । କିନ୍ତୁ ଟିଭି, ମିଉଜିକ ପ୍ଲେୟାର ଆଉ ପଙ୍ଖାର ଘାଉଁ ଘାଉଁ ବନ୍ଦ ହେଇଗଲା ବେଳେ ମନେ ପଡ଼େ ସେଇ ପିଲାବେଳ କଥା । ଲାଇନ କଟିଗଲେ ଯାଇ ବୁଢ଼ାବାପାଙ୍କ ଖଟରେ ଡିଆଁ ମରା ହେଉଥିଲା । ତାଙ୍କୁ ଦି’ପହରିଆ ନିଦରୁ ଉଠେଇ ଗପ କୁହ ବୋଲି ଫରମାଇଶ ହଉଥିଲା । ମୋ ବୁଢ଼ାବାପାଙ୍କୁ ଗପ କହି ଆସୁନଥିଲା । ହେଲେ ତାଙ୍କର ଗୋଟେ ଟ୍ରେଡ଼ମାର୍କ କଉତୁକିଆ ଖେଳ ଥିଲା । ସେ ଜଣ ଜଣ କରି ସବୁ ଛୁଆ ପଲଟଣକୁ ପଚାରିବେ- ଆଛା କହିଲୁ, ତୋତେ କିଲେ ଅଙ୍ଗୁର ଦିଆଯିବ ଆଉ କିଲେ ଆମ୍ବ । ତୁ କ’ଣ ଖାଇବୁ? ଧୀରେ ଧୀରେ ଅପସନ ଗୁଡ଼ା କିଲେ ଆମ୍ବରୁ ଅଧେ, ତା’ପରେ ଗୋଟେ ଆଉ ଶେଷରେ ଗୋଟେ ପଚା ଆମ୍ବକୁ ଆସେ । କିନ୍ତୁ ମୁଁ ସେଇ ଆମ୍ବରେ ଅଟକି ଥାଏ ।
ଏଇ ଯଉ ଆମ୍ବ ପ୍ରେମଟା ଆମ ବଂଶର ରକ୍ତରେ ଅଛି ବୋଧେ । ମନେ ଅଛି ବୁଢ଼ୀମା କହୁଥିଲା ମୋ ମଝିଆଁ ବାପା କାଳେ ଝୁଡ଼ିଭର୍ତ୍ତି ଆମ୍ବ ଏକୁଟିଆ ଖାଇବେ ବୋଲି ଜିଦି କରି ନାଳରେ ଦିନ ସାରା ଗଡ଼ିଥିଲେ । ଶେଷରେ ଝୁଡ଼ିଟା ଧରି ଗୋଟେ ଘରେ ନିଜକୁ ବନ୍ଦ କରି ରାତି ସାରା ବସି ଆମ୍ବତକ ସାରିଲେ । ଦିନ ଦି’ପହରେ ସମସ୍ତେ ଶୋଇଲା ବେଳକୁ ବୁଢ଼ୀମା ନିଜେ ପାଛିଆ ଧରି ବାରିପଟେ ବସି ଆମ୍ବ ଚୁଚୁମେ । କିଏ ଦେଖିଲେ ଚୋର ଧରା ପଡ଼ିଲା ପଡ଼ି କୁହେ, କି ଖଟା ଆମ୍ବ ଗୁଡ଼ା ଲୋ ! ମୁଟେ ପାଟିରେ ଦେଇହଉନି । ଭାତଖିଆ ବେଳ ହେଲେ ଆମ୍ବ କଟା ହୁଏ ଆଉ ଆମ୍ବ ଫାଳକ ସରୁ ସରୁ କରି ତିନି ଖଣ୍ଡ ହୁଏ । ମଝି ଖଣ୍ଡକ ଖାଇବା ପାଇଁ ଯଉ ମାଡ଼ଗୋଳ ଆଉ କହିଲେ ନସରେ । ନାନୀ ଏବେ ବି ତା’ ଝିଅ ଶୋଇବାକୁ ଅପେକ୍ଷା କରେ । ଶୋଇଲା ପରେ ବଡ଼ ବଡ଼ ଆମ୍ବ କାଟି ଏକା ବସି ଖାଏ । ପଚାରିଲେ କୁହେ, ଝିଅ ଭାଗ ବସେଇବ ଉଠିଲେ । ସେ ଖାଇଛି । ବେଶି ଖାଇଲେ ପେଟ ଖରାପ ହେବ ତା’ର ।
ମୋ ବାହାଘର ପରେ ଜାଣିଲି ସ୍ଵାମୀଙ୍କୁ ଆମ୍ବ ଖାଇବା ମୋଟେ ପସନ୍ଦ ନୁହେଁ । ଖାଇଲେ ଫାଳେ କି’ କାତରେ ଖାଇବେ । ସେ ବି ମନଖୁସିରେ ନୁହେଁ । ମନେ ମନେ ଭାବିଲି– ଏଁ ଦୁନିଆରେ ଏମିତି ଲୋକ ବି ଅଛନ୍ତି ଯାହାକୁ ଆମ୍ବ ଖାଇବା ପସନ୍ଦ ନାଇଁ । ସେ ଯାହା ହେଉ ଧୀରେ ଧୀରେ କିନ୍ତୁ ଖୁସି ହେଲି । ମୋ ଭାଗରେ ସବୁ ଆମ୍ବ । ଭାଗ ବସେଇବାକୁ କେହି ନାହିଁ । କି ମଜା ! ମୋର ଆମ୍ବଖିଆକୁ ସର୍କସ ଦେଖିଲା ଭଳିଆ ଚାହିଁଥାନ୍ତି ସେ ଆଉ ଦୁନିଆ ସାରା ଲୋକଙ୍କୁ ଯାଇ କୁହନ୍ତି– ଇଏ ଖରାଦିନ ଗୋଟା ଭିତରେ ଗୋଟେ କୁଇଣ୍ଟାଲ ଆମ୍ବ ଖାଇଯାଉଛି ।
ବୟସ ବଢ଼ିବା ସହ ଧୀରେ ଧୀରେ ବଢ଼ି ଚାଲିଛି ଉଦରର ଦୈର୍ଘ୍ୟ ପ୍ରସ୍ଥ । ଯୁଆଡ଼େ ଦେଖିବ ସିଆଡ଼େ ଏବେ ‘ଅର୍ଗାନିକ’, ‘ଲୋ କ୍ୟାଲୋରି’ ଆଉ ‘ହେଲଦି ଅପସନ’ର ଚର୍ଚ୍ଚା । ଚିପ୍ସ ଖାଇବା କିନ୍ତୁ ଛଣା ନୁହେଁ, ବେକ୍ ହେଇଥିବ । ବ୍ରେଡ ଖାଇବା ବ୍ରାଉନ, ଅଟା ଆସିବ ମଲ୍ଟି ଗ୍ରେନ, ଲୋ କାର୍ବ ହାଇ ପ୍ରୋଟିନ ଡାଏଟ ଇତ୍ୟାଦି ଇତ୍ୟାଦି । ବଢ଼ୁଥିବା ବୟସ ଯେପରି ଶରୀର ଉପରେ ପ୍ରତିବିମ୍ବିତ ନହୁଏ ତା’ପାଇଁ ଚାଲିଛି ଅହରହ ଚେଷ୍ଟା । ମୋର ଜଣେ ଡାକ୍ତରାଣୀ ନାନୀ କହିଲେ ଆମ୍ବ ହେଉଛି ସବୁଠାରୁ ‘ବ୍ୟାଡ ଫୃଟ’ । କ’ଣ ଅଛି ସେଥିରେ? ଖାଲି ସୁଗାର ଭର୍ତ୍ତି, କ୍ୟାଲୋରି ଭର୍ତ୍ତି । ଯଦି ନିଜକୁ ହେଲଦି ରଖିବାକୁ ଚେଷ୍ଟା କରୁଛ ତେବେ ଆମ୍ବକୁ ବାଦ୍ ଦେବାକୁ ହେବ । ଏପଟେ ଆମ୍ବ ଖାଇବାକୁ ମନ ହକ ହକ ସେପଟେ ‘ୟୁ ଡୋଣ୍ଟ ଲୁକ ଏନିମୋର ଦ୍ୟାନ ୨୪-୨୫’ ଶୁଣିବାକୁ ବି ମନ । କି’ ମହାଯୁଧ୍ୟରେ ମଣିଷ ନପଡ଼ିଲା ହୋ ।
ବଡ଼ କଷ୍ଟରେ ମନ ସ୍ଥିର କଲି ଆଉ ଆମ୍ବ କିଣା ହେବନି । ଗୋଟିଏ ସ୍ମାର୍ଟ ବ୍ୟାଣ୍ଡ କିଣିଲି ଯେଉଁଥିରେ ଦିନକୁ ମୋର କେତେ କ୍ୟାଲୋରି ଜାଳିପୋଡ଼ି ପାଉଁଶ କଲି ସବୁ ଦିଶିବ । ଲ୍ୟାପଟପ୍ ଧରି ଏକ୍ସେଲ ସିଟ୍ରେ ଗୋଟେ ରୁଟିନ ତିଆରି ହେଲା ଯେ କେତେଟାରୁ କେତେଟା ମର୍ଣ୍ଣିଂ ୱାକ୍, ତା’ପରେ ଯୋଗ । ଘରୁ ଚାକରାଣୀକୁ ବାହାର କରି ନିଜେ ହାମୁଡ଼େଇ ପଡ଼ି ନିତି ଘର ପୋଛା କାର୍ଯ୍ୟକ୍ରମ ସାଙ୍ଗକୁ ଲୋ କାର୍ବ ମେନୁ ବି ତିଆରି ହେଲା ।
ବଡ଼ ଉତ୍ସାହରେ ରୁଟିନ ଅନୁସାରେ ଜୀବନ ଚାଲିଥାଏ । ଲୋକଙ୍କ ଆଗରେ ହେଲଥୀ ଲାଇଫଷ୍ଟାଇଲ ବିଷୟରେ ନିତି ଭାଷଣ ବି ଦିଆ ହେଉଥାଏ । ଏମିତି ଦିନେ ଦି’ପହରେ କଲିଙ୍ଗ୍ ବେଲ ବାଜିଲା । କବାଟ ଖୋଲି ଦେଖେ ତ’ ଗାଁର ଲେଖାଜୋଖା ଦିଅର ହାତରେ ଗୋଟେ ବଡ଼ ବ୍ୟାଗ ଧରି ଠିଆ ହେଇଛି । ମୋତେ ଦେଖି ସଙ୍ଗେ ସଙ୍ଗେ କହିଲା– ଭାଉଜ, ତୁମେ ଆମ୍ବ ଭଲ ପାଅ ତ, ବୋଉ ପଠେଇଦେଇଛି । ମୋର ଏ ସ୍ମାର୍ଟ ବ୍ୟାଣ୍ଡ ପିନ୍ଧା ଲୋ କାର୍ବ ଖିଆ ଆଧୁନିକାକୁ ଭୁଷ୍ କିନି ପେଲିଦେଇ ଆମ୍ବ ଖିଆ ଅସୁରୁଣୀଟା ଦାନ୍ତ ଦେଖେଇ ଲାଳ ବୁହାଇ କହିଲା ହଁ ମ, ବରଷକେ ଥରେ ଆମ୍ବ ମିଳୁଛି ଖାଇଦେବା କଥା । ଆଉ ମାସେ ପରେ ଆମ୍ବ ସରିଗଲେ ହେଲଦି ହେବି ।
– ରୁଚି ପାଣିଗ୍ରାହୀ