(ଉତ୍ସର୍ଗ କେବଳ ସେଇ ମାନଙ୍କୁ, ଯେଉଁମାନେ ଅନୁଭବୀ)
(ଏକ)
ଶାଶୂଘରୁ ବାପଘର ଯିବାର ରାସ୍ତା: ସବୁଜିମାରେ ଭରପୁର ସୁନ୍ଦର ଦୁନିଆ । ସବୁଜ କ୍ଷେତ, ଶ୍ୟାମଳ ତରୁଲତା, ବସନ୍ତ ଆଗମନରେ କୋଇଲିର ମଧୁର ଗୀତିକବିତା । ଗାଆଁ ପାଖ ନଈର କଳକଳ ଶବ୍ଦ । କଳକଳ ଶବ୍ଦ ତ ନୁହେଁ, ମୋ ପ୍ରିୟ ଗୀତର ସ୍ୱର । ଭଗବାନ ପୃଥିବୀକୁ ଖୁବ୍ ମନ ଲଗାଇ ତିଆରି କରିଛନ୍ତି, କିନ୍ତୁ ମୁଁ ଆଜି ଯାଏ ଦେଖିପାରି ନଥିଲି କେମିତି!! ଏଇ ପକ୍ଷୀମାନଙ୍କୁ କିଏ ଦେଲା ଏମିତି ବୀଣା ଜିଣା କଣ୍ଠ । ଗାଡ଼ିଟା ଚାଲୁଛି ନା ରହିଯାଇଛି, ମୁଁ ପ୍ରକୃତିକୁ ଉପଭୋଗ କରିବା ପାଇଁ? ନା ନା ଚାଲୁଛି । ଗାଡ଼ି ଭିତରୁ ପୃଥିବୀ ଏତେ ସୁନ୍ଦର ଆଉ ଗାଡ଼ି ବାହାରେ କେତେ ହୋଇନଥିବ । ଗାଡ଼ି ବାହାରକୁ ହାତ ବଢ଼ାଇଲି, ପବନକୁ ଧରିବାକୁ ଚେଷ୍ଟା କଲି । ପବନ କ’ଣ ଧରାଦିଏ? କିନ୍ତୁ ମତେ ଛୁଇଁ କେତେ କ’ଣ କହିଗଲା । ଅସଂଖ୍ୟ ଅନାମିକା ଫୁଲର ବାସ୍ନା ଭରିଦେଲା ମୋ ହାତ ପାପୁଲିରେ । ପୃଥିବୀଟା ସତେକି ସବୁଜ ଉପତ୍ୟକାଟିଏ ପାଲଟି ଯାଇଛି । ଆଉ ମୁଁ ସେ ସବୁଜ ଉପତ୍ୟକାର ନୀଳ ପ୍ରଜାପତିଟିଏ । ଉପତ୍ୟକାର ତରୁଲତା ମତେ ହାତଠାରି ଡାକୁଛନ୍ତି, ଥରେ ଚାଲିଆସେ କୋଳକୁ ଆମର । ମୁଁ ମୋର ନୀଳ ଡେଣା କୁ ଝାଡ଼ି ଝାଡ଼ି ଉଡ଼ିବୁଲୁଛି ଏ ଗଛ ରୁ ସେ ଗଛ । କେବେକେବେ ଏଇ ସୀମାହୀନ ଆକାଶ ଟାକୁ ଲଙ୍ଘିଯିବାର ଦୁଃସାହସିକ ସ୍ୱପ୍ନ ବି ଦେଖୁଛି । ଏତେ ଦୁଃସାହସ କିଏ ଦେଲା ମତେ? କାହିଁ ଏମିତି ସ୍ଵପ୍ନ ଆଗରୁ ତ କେବେ ଦେଖିନି । ଦୂରରୁ ଗାଁ ମୁଣ୍ଡ ବରଗଛ ଦିସିଗଲା । ଛୋଟ ଏକ ବିଦ୍ୟୁତ ପ୍ରବାହ ଖେଳିଗଲା ଦେହରେ । ଓଃ କି ଅପୂର୍ବ ପୁଲକ, ପ୍ରଶାନ୍ତିରେ ମନଟା ଭରିଗଲା । ଏତେ ଖୁସି ବାକି ଥିଲା ଜୀବନରେ ଭାବିନଥିଲି, ସବୁକିଛି ପାଇଗଲି ସତେ ।
(ଦୁଇ)
ବାପଘରୁ ଶାଶୂଘର ଫେରିବାର ରାସ୍ତା: ସାମ୍ନାଟା ଏମିତି ଧୂଆଁଳିଆ ଦିଶୁଛି କାହିଁକି!! ଏତେ ସୁନ୍ଦର ପୃଥିବୀ କେଉଁ ରାକ୍ଷସର ନିଶ୍ୱାସରେ ଜଳିଗଲା !! ଏମିତି ଶ୍ରୀହୀନ ପୃଥିବୀ ତ ଆଗରୁ କେବେ ଦେଖିନି । କୁଆଡ଼େ ଗଲା ସେ କୋଇଲି? ହଁ ଅଛି ସେ, ଡାକୁଛି ମଧ୍ୟ । କିନ୍ତୁ ଗାଉନି ତ, ଖାଲି ଡାକୁଛି; ନା ନା ଚିତ୍କାର କରୁଛି । ଲାଗୁଛି ଯେମିତି ତା’ କଣ୍ଠ ଆଉ ଟିକେ ପରେ ଫାଟିଯିବ । ଏତେ ରୁକ୍ଷ କର୍କଶ ଶବ୍ଦ ବି ଥାଏ କୋଇଲିର !!! ପାହାଡ଼, ନଈ, ପକ୍ଷୀ ସମସ୍ତେ କୁଆଡ଼େ ଗଲେ? ଆରେ ଗାଡ଼ିଟା ଏତେ ଜୋରରେ ଚାଲୁଛି ଯେ ମୁଁ ସେମାନଙ୍କୁ ଦେଖି ପାରୁନି । ଗାଡ଼ି ଚାଲୁନି ତ ପ୍ରଚଣ୍ଡ ବେଗରେ ଧାଉଁଛି । ଗାଡ଼ିରୁ ହାତ ବାହାର କରି ପବନକୁ ଧରିବାକୁ ଚେଷ୍ଟା କଲି । ଓଃ…. ଆଖିକୁ କିଛି ଧୂଳିରୁ ବଞ୍ଚେଇବା ପାଇଁ ହାତ ସ୍ୱତପ୍ରବୃତ୍ତ ଭାବେ ଆଖି ଉପରେ ଆସି ଢାଙ୍କୁଣୀ ବନିଗଲା । ଆରଥର ପବନ ବାସ୍ନା ଦେଇଥିଲା ଆଉ ଏଇଥର ଧୂଳି । ଧୂଳି ତ ମରୁଭୂମିରେ ଥାଏ । ମୁଁ ତ ଦେଖିଥିଲି ସବୁଜିମାରେ ଭରପୁର ଦୁନିଆ, ଧୂଳି ଆସିଲା କେଉଁଠୁ? ସବୁଜ ଉପତ୍ୟକା କାହିଁ, ଯେଉଁଠି ନୀଳ ପ୍ରଜାପତି ବୋଲି ଆବିଷ୍କାର କରିଥିଲି ନିଜକୁ । ନା ମୁଁ ତ ନୀଳ ପ୍ରଜାପତି ନୁହେଁ । ଏ କ’ଣ ମୁଁ ଧୂସର ରଙ୍ଗର ଅଶୁଭ ପକ୍ଷୀ ପାଲଟି ଯାଉଛି । ଯେଉଁ ତରୁଲତା ଦେଖି ମତେ ଗୀତ ଗାଉଥିଲେ, ଫୁଲରେ ବସିବା ପାଇଁ ନେହୁରା ହେଉଥିଲେ, ସେମାନେ ତାଙ୍କ ଡାଳପତ୍ର ମୋ’ଠାରୁ ଦୂରେଇ ନେଉଛନ୍ତି । ମୋର ଅଶୁଭ ନଜର ଯେମିତି ନପଡ଼ୁ ତାଙ୍କ ଉପରେ । ଶାଶୂଘର ଛକ ପାଖ ତେନ୍ତୁଳି ଗଛ ଦୂରରୁ ଦିଶିଗଲା । ଛୋଟ ବିଦ୍ୟୁତ ପ୍ରବାହଟେ ଖେଳିଗଲା ଦେହରେ । ଶରୀରରୁ ଆତ୍ମାଟିକୁ କେଉଁ ରାକ୍ଷସ ଜବରଦସ୍ତି ଅଲଗା କରିବାକୁ ଚେଷ୍ଟା କରୁଛି କି… ମୁଁ ପ୍ରାଣପଣେ ଆତ୍ମାକୁ ଧରି ରଖିବାକୁ ଚେଷ୍ଟା କରୁଛି । ନାଁ ରାକ୍ଷସ ବହୁତ ବଳବାନ । ଆତ୍ମାକୁ ଅଲଗା କରି ଟାଣି ଟାଣି ପାତାଳପୁରୀକୁ ଠେଲି ଦେଉଛି ମତେ । ମୁଁ ଚିତ୍କାର କରୁଛି, ନେହୁରା ହେଉଛି କିନ୍ତୁ ସବୁ ନିଷ୍ଫଳ । ନିଜକୁ ଆବିଷ୍କାର କରୁଛି ନର୍କପୁରୀର କେଉଁ ଏକ ଅନ୍ଧକାର ଗୁମ୍ଫା । ଅନ୍ଧାରି ଗୁମ୍ଫାର ଅନ୍ଧକାର କୋଠରୀ ଭିତରେ ନିଜର କଣ୍ଠ ମଧ୍ୟ ନିଜକୁ ଡରାଉଛି । ଚୁପ ରହି କିଛି ଶୁଣିବାକୁ ଚେଷ୍ଟା କଲି । ଚାରିପାଖରୁ ନର ରକ୍ତ ଲୋଭୀ ତୃଷ୍ନାର୍ତ୍ତ ଦାନବ ମାନଙ୍କ ବିକଟାଳ ଚିତ୍କାର । ଚିତ୍କାର କ୍ରମେ ନିକଟରୁ ନିକଟତର ହେଉଛି । ମାରି ଦେବାର ଅଛି ତ ମାରିଦିଅ, କିନ୍ତୁ ଏ ବିକଟାଳ ଶବ୍ଦ ବନ୍ଦ କର । ଅସହ୍ୟ ଏ ଶବ୍ଦ । ମୋ କାନରୁ ରକ୍ତ ଝରୁଛି । ଗୋଟେ ବିକଟ ଅଟ୍ଟହାସ୍ୟ ସହ ଶୁଭୁଛି, “ମାରିବୁନି ମାରିବୁନି ତତେ । ମାରିଦେଲେ ଆମର ତୃଷ୍ଣା ନିବାରଣ ହେବ କେମିତି; ତତେ ଖାଦ୍ୟ ପଦାର୍ଥସବୁ ଯୋଗେଇ ଦେବୁ, ତୁ କିନ୍ତୁ ତୋ’ର ପ୍ରତି ଖାଦ୍ୟ ପଦାର୍ଥର ମୂଲ୍ୟ ତୋ’ର ରକ୍ତ ଦେଇ ଭରଣ କରିବୁ । ପୁଣି ଏକ ଅଟ୍ଟହାସ୍ୟ କରି ରକ୍ତ ଲୋଭୀ ଦାନବ ମୋ ଉପରକୁ ଲମ୍ଫ ଦେଉଛି । ମୁଁ ସମାପ୍ତ ହେଇଯାଉଛି, ନିଃଶେଷ ହେଇଯାଉଛି, ବିନଷ୍ଟ ହେଇଯାଉଛି । ଲୋପ ପାଇଯାଉଛି ମୋର ସତ୍ତା….
(ତିନି)
ନିଜ ଚିତ୍କାରରେ ନିଜେ ସଚେତନ ହେଇ ନିଜକୁ ଆବିଷ୍କାର କରୁଛି ଡାକ୍ତରଖାନାର ଶଯ୍ୟା ଉପରେ । ଓଃ କି ଦୁସ୍ୱପ୍ନ ଥିଲା… ଡାକ୍ତର ଓ ମୋ ସ୍ୱାମୀ କିଛି ଦୂରରେ ଠିଆହୋଇ କଥା ହେଉଛନ୍ତି । ଶୁଣିବାକୁ ଚେଷ୍ଟା କଲି । ଡାକ୍ତର ପଚାରୁଛନ୍ତି, “ଆଗରୁ କିଛି cardiac issue କିମ୍ବା କିଛି family history ଥିଲା କି, ହଠାତ୍ ଏଇସବୁ କେମିତି ସମ୍ଭବ ହେଲା?” ସ୍ୱାମୀ କହୁଛନ୍ତି ନା ତ ସେମିତି କିଛି ନଥିଲା । ସେ ତା ବାପାଙ୍କ ଘରୁ ମୋ ସହ ଆମ ଘରକୁ ଫେରୁଥିଲା, ମୁଁ କହିଲି ଘର ଆସିଗଲା ଦେଖ ଛକ ପାଖ ତେନ୍ତୁଳି ଗଛ ଦିସିଲାଣି । କିଛିନାହିଁ ସେଇଠୁ ତ ଢଳିପଡ଼ିଲା । ମୁଁ ତ ଘରକୁ ନନେଇ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇକି ଆସିଛି । ତାଙ୍କ ଘରେ କ’ଣ ଯଦି ହେଇଥିବ ମତେ ଜଣାନାହିଁ । ଡାକ୍ତର କହୁଛନ୍ତି ବ୍ୟସ୍ତ ହେବାର କିଛି ନାହିଁ ଛୋଟ cardiac arrest । କିନ୍ତୁ ଆପଣ ଭବିଷ୍ୟତରେ ସତର୍କ ରହିବେ ।
– ଶିଖା ଦ୍ୱିବେଦୀ
Comments
ଶିଖା ଦ୍ୱିବେଦୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।