ଆଭା

Odia Story Abha (ଆଭା) by G. Krishna Reddy

ସୁକୁଟା ଭାଇନାର ଆଦର ଚାରିଆଡ଼େ । ନିଜ ସାହିଠୁଁ ସହରର କୋଣ ଅନୁକୋଣ ସବୁଠି ତା’ ପ୍ରଶଂସାର ପରିବ୍ୟାପ୍ତି । ବିଶ୍ଵାସ ଓ ସମ୍ମାନର ଚଉହଦି ଭିତରେ ଏକ ନିର୍ଭରଶୀଳ ପରିଚୟ । ବର୍ଷ ପନ୍ଦରଟା ଭିତରେ ସୁଖ ଓ ବିଳାସପୂର୍ଣ୍ଣ ଜୀବନର ଏକ ଅପାସୋରା ଆସ୍ଥାନରେ ନିଜ ପତିଆରା । ଭାଗ୍ୟ ଓ ଭଗବାନଙ୍କ କୃପାଦୃଷ୍ଟିରୁ ସର୍ବକୁଶଳ । ମନଲାଖି ଜୀବନସାଥୀ ଚନ୍ଦ୍ରା ଓ ଦୁଇ ଝିଅ ଆଭା ଓ ଆଲିଆଙ୍କୁ ନେଇ ତା’ ସଂସାର । ପାଠରେ, ଖେଳକୁଦରେ, ନାଚଗୀତରେ, Computer Aided Learn।ng Activitiesରେ ଦି’ଜଣ ପୂରା ଆଗୁଆ । ଦକ୍ଷତାର ସ୍ୱୀକୃତି ସ୍ୱରୂପ ଘରେ ମେଞ୍ଚାମେଞ୍ଚା ଟ୍ରଫି, ସାର୍ଟିଫିକେଟ, ପ୍ରଶସ୍ତିପତ୍ର । ସ୍କିଲ ଇଣ୍ଡିଆ, ଖେଲୋ ଇଣ୍ଡିଆ ଆଉ ଶିଶୁ ସାହାସିକତା ପୁରସ୍କାର ଗ୍ରହଣ ସମୟର ଫଟୋଚିତ୍ରଗୁଡ଼ାକ ଅତିଥି ଓ ଅଭ୍ୟାଗତମାନଙ୍କୁ ଆଚମ୍ୱିତ କରେ । ସେମାନଙ୍କ ଶୁଭକାମନା ସୁକୁଟା ଭାଇନାକୁ କୁଣ୍ଢେମୋଟ କରିପକାଏ ।

ନିରୋଳାର ଫାଙ୍କ ଦେଇ ବେଳେବେଳେ ଅତୀତର ପୃଷ୍ଠା ମନକୁ ମନ ଜଳଜଳ ହୋଇ ଫୁଟି ଉଠେ । ସେ ଦହଗଞ୍ଜ ଦିନଗୁଡ଼ାକ ତା’ର ଅସ୍ତିତ୍ଵକୁ ଦୋହଲାଇଦିଏ । ବିଚରା ସୁକୁଟା କି କଷ୍ଟ ନ ସହିଛି ଭଲା ! ଦି’ ବକତ ଖାଇବା ଯୋଗାଡ଼ କରିବାକୁ ଉସମାନ ଚାଚାର ବାର୍‌ରେ ୱେଟର୍ କାମକୁ ବିନା ସଙ୍କୋଚରେ ଅନାସକ୍ତ ସାଧକ ଭଳି ଆଞ୍ଜୁଳାରେ ତୋଳିଧରି କେତେ ସଲାମୀ କାମ ନ କରିଛି ! କଥାସବୁକୁ କହି ବସିଲେ ଛାତି ତଳଟା ଦୋହଲି ଉଠିବ ।

ବଡ଼ ଝିଅ ଆଭା କି ଆଭାର ଛୁଆଁ ନେଇ ତା’ କୋଳକୁ ଆସିଥିଲା କେଜାଣି ! ଲକ୍ଷ୍ମୀ ମାଆଙ୍କ ସୁନା ଫରୁଆ । ତା’ ଜନ୍ମର ବର୍ଷ ଦି’ଟା ଭିତରେ ଉସମାନ ଚାଚା ସ୍ନେହରେ ତା’ ଦୋକାନର ମାଲିକାନା ହକ ଲଦି ଦେଇ କାବୁଲ ନିଜ ଘରକୁ ଫେରିଗଲା । ସମୟ ପରା ସାଧୁତାର ସଚ୍ଚୋଟ ଦରୱାନ୍ । ସାଧୁତାର ଫଳ ନିଶ୍ଚେ ଫଳେ । ଆଶାଠୁଁ ଅଧିକ ଧନୀ ହେବାର ସହୋଦର ସାଜେ । ଯୌତୁକ ନିକିତିର ଭାଗମାପରେ ଛିଣ୍ଡି ପଡ଼ିଥିବା ଝିଅ ସହ ସଂସାର ଖିଅ ଯୋଡ଼ିଲା ବୋଲି ତା’ ଉଚ୍ଚ ଶିକ୍ଷିତ ଧନଶାଳୀ ଭାଇମାନେ କବାଟ କିଳିଦେଲେ । ବଞ୍ଚି ଥାଉଥାଉ ମୁଖାଗ୍ନି ଦେଇ ଏକବାରକେ ଶୁଦ୍ଧିକ୍ରିୟା କରି ନିଜର କୌଳିକ ପରାକ୍ରମ ଓ ପ୍ରତିଷ୍ଠା ପ୍ରମାଣ ଦେଇଦେଲେ । ଅନ୍ଧର ଲଉଡ଼ି ପରାଏ ଉସମାନ ସେଠ୍ କୁଆଡ଼ୁ ଉଭା ହେଲା କେଜାଣି? ଉସମାନ ଚାଚାର କଥା ଧାଡ଼ିଏ, “ଆହ୍ଲା, ତେରା ଭଲା କରେଗା ବେଟା । ମେରେ ସାଥ୍ ଚଲ୍ ।” ମଣିଷପଣିଆ କବର ଭିତରୁ ବାହାରି ସେଦିନୁ ସମୁଦ୍ରର ବତୀଘର ପାଲଟିଗଲା ସୁକୁଟା ପାଇଁ । ଏବେ ସେ ମରୁଭୂମିର ବାସ୍ନା ଟିକକ ବି ଆଉ ନାହିଁ । କୋଟିପତି ସୁକୁଟା ସେଠ୍ ରୂପେ ବେଶ୍ ସୁନାମ ହେଲାଣି ତା’ର । ସମାଜର ସବୁ କୋଠରୀରେ ତା’ର ପତିଆରା ।

ହେଲେ ଏଇ କେଇଦିନ ହେଲା ମନ ଭିତରେ କି ଆଘାତ କେଜାଣି? ତା’ ମାଲିକାନାରେ ଥିବା ଉସମାନ ଚାଚା ବାର ଅଘୋଷିତ ବନ୍ଦର ଶିକାର । ସୁକୁଟା କାହାକୁ ବା କହିବ? କ’ଣ କହିବ? କେମିତି କହିବ? ପୁଣିଥରେ ଆଉଥରେ ଆରମ୍ଭ କରିବାକୁ ହେବ । ଅସ୍ଥିର ମନରେ ଦୋକାନ ବାରଣ୍ଡାରେ ବସି ପୁଣି ଭାବି ବସିଲା । ବଡ଼ଝିଅ ଆଭା କେଡ଼େ ବୁଝିବାର ହେଲାଣି ସତରେ? କି ବାଗରେ ଜୀବନର ନିଦା କଥାଗୁଡ଼ିକୁ ମନକୁ ପାଇଲା ଭଳି ବାଢ଼ିଦେଇକି ହଷ୍ଟେଲକୁ ଫେରି ଯାଇଛି । “ବାପା, ସେ ସଂସାରଗିଳା, ମାନବିକତା ନାଶକାରୀ ସୁରା ବେପାର ଆମକୁ ଲୋଡ଼ା ନାହିଁ । ଗୁଣ୍ଡୁଚିମୂଷା ବି ସେତୁବନ୍ଧ ବାନ୍ଧିବାକୁ ଅଣ୍ଟା ଭିଡ଼ିଦେଇ ପାରିଲା । ତମ ଦେଇ ବି ସମ୍ଭବ । ଏ ସଂସାର ନଷ୍ଟ ନ ହେଉ । ନିର୍ଭୟାକୁ ତା’ ବାଟ ଛାଡ଼ି ଦିଆଯାଉ । ଧରା ସୃଷ୍ଟିଶୀଳ ହେଉ । କିଛି ନ ଥିବାର ଆନନ୍ଦ ସବୁକିଛି ଥିବାର ଆନନ୍ଦଠାରୁ ଢେର୍ ବେଶି । ଦୃଢ଼ ନିଷ୍ଠା ମାନବ ଜୀବନର କଷଟି ପଥର । ତା’ର କାର୍ଯ୍ୟଧାରା ତାକୁ ବାସ୍ତବରେ ଶ୍ରେଷ୍ଠ କରାଏ ।”

ଆଭା ବୋଉ ଆଉ ସୁକୁଟା ପରଦିନ ଭୋର୍ ସକାଳ ପହରୁ ଉସମାନ ଚାଚା ବାର୍‌ର ଗେଟ୍‌ରେ Shop Closed Permanently ନୋଟିସ୍ ଲଗାଇ ଏକ ନୂତନ ଆଭାରେ ଘରମୁହାଁ । ସକାଳ ସୂର୍ଯ୍ୟର କିରଣ ପରାଏ ଦୁହିଙ୍କ ମୁଖ ମଣ୍ଡଳ ଝଲସି ଉଠୁଥିଲା ।

– ଜି. କ୍ରିଷ୍ଣା ରେଡ୍ଡି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...