ଧରା ଧାମେ ଯେବେ ବଢ଼ିବ ଅନ୍ୟାୟ
ତୁମେ ଯେ ନିଅ ଅବତାର,
ଅବତାରୀ ପୁରୁଷ ଆହେ ଯୋଗେଶ୍ୱର
ତୁମଠାରୁ ମୋତେ ନକରିବ ଅନ୍ତର ॥
ତୁମ ଚରଣରେ କରୁଛି ପ୍ରାର୍ଥନା
ଦିଅ ଆର୍ଶୀବାଦ ତୁମେ ଅଜାଡ଼ି,
ଅନ୍ତଃସ୍ଥ ରିପୁ ବିନାଶ କର ହେ
ଜୀବନ ସଙ୍ଗୀତ ହେଉ ସଜାଡ଼ି ॥
ଜଞ୍ଜାଳ ପୂରିତ ଜୀବନ ସଂଗ୍ରାମେ
ତୁମ ବିନୁ କେ ଉଦ୍ଧାରିବ ଭଲା,
ତୁମ’ଠାରେ ଲୟ ତୁମଠି ବିଲୟ
ତୁମେ ମୋର ଜପାମାଳା ॥
ସମୟ ଡୋରିରେ ବାନ୍ଧି ତ ଦେଇଛ
ସାଜେ ସଦା ପରିସ୍ଥିତିର ଦାସ,
ଭକ୍ତି ମୟ ହେଉ ଜୀବନଟି ମୋର
ତୁମ ନାମ ଗାଇ କଟୁ ଦିବସ ॥
– ଇପ୍ସୀତା ପ୍ରିୟଦର୍ଶିନୀ ପରିଡ଼ା
Comments

ଇପ୍ସୀତା ପ୍ରିୟଦର୍ଶିନୀ ପରିଡ଼ା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।