ଅବୈଧ ସମ୍ପର୍କ

Odia Story Abaidha Samparka (ଅବୈଧ ସମ୍ପର୍କ) by Swatismita Barik

ବାପା ଆଉ ବୋଉଙ୍କ ସମ୍ପର୍କର ବୈଧତା ବୋଧେ ମୋ ଜନ୍ମ ଯାଏ ଥିଲା । ନହେଲେ ବାପା କାହିଁକି ମୋତେ ଆଉ ବୋଉକୁ ଏକା କରି ଚାଲି ଯାଇଥାନ୍ତେ ! ଏମିତି କିଛି ବସି ଭାବୁଥାଏ ସମିତା । ସମିତା ଏବେ ବାଣୀବିହାରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ରାସାୟନ ବିଜ୍ଞାନ ବିଭାଗରେ ପାଠ ପଢ଼ୁଛି । ସେଥିରୁ କିଛି ସମୟ କାଢ଼ି ଦୁଇ ପ୍ରାଣୀ ପୋଷିବା ପାଇଁ କିଛି କାମ କରୁଛି । ସକାଳୁ ଉଠି ଝିଅକୁ କଲେଜ୍ ବାହାରିବା ପାଇଁ ପ୍ରସ୍ତୁତ କରେ ମାଆ ଆଉ ଝିଅ ଗଲାପରେ ଏକୁଟିଆ ବସି ତା’ ଇତିହାସକୁ ରୋମନ୍ଥନ କରେ, ଯାହା ସମିତା ବି ଅନୁଭବ କରିପାରେ । ପୁଣି ରାତିରେ ମା’ଝିଅ ମିଶି କୌଣସି ନିର୍ଦ୍ଧିଷ୍ଟ ବିଷୟରେ ଗଭୀର ନିରୀକ୍ଷଣ କରନ୍ତି । କେବେ ଦରକାରୀ ତ କେବେ ଅଦରକାରୀ, କେବେ ନିଜ ବିଷୟରେ ତ କେବେ ଅନ୍ୟ ବିଷୟରେ ଏଭଳି ଭାବେ ଦିନ କଟିଯାଏ । ମା’କୁ ଏକାକିତ୍ୱର ଅନୁଭବ ନହେଉ ବୋଲି ସମିତା ଭିତରର ବହୁତ ଇଚ୍ଛା; ଯେମିତି ଲେଖକଙ୍କ ବହି ପଢ଼ିବା, ସାଙ୍ଗମାନଙ୍କ ସହିତ ସମୟ ବିତାଇବା, ଓଡ଼ିଶା ବାହାରୁ ଆସୁଥିବା ଚାକିରୀକୁ ପ୍ରତ୍ୟାଖ୍ୟାନ କରିବା ଆଦି ଅନେକ ତ୍ୟାଗ କରିଛି ।

ଦିନେ ଏକ ଭୟଙ୍କର ସୁନ୍ଦର ବୁଦ୍ଧି ସମିତା ମୁଣ୍ଡରେ ଜୁଟିଲା । ବୋଉର ଜନ୍ମଦିନରେ ଆଧୁନିକ ସମାଜରେ ଅତ୍ୟଧିକ ଚାହିଦା ଥିବା ଏକ ଫୋନ୍‌ଟେ ଉପହାର ଦେଲା । ପ୍ରତ୍ୟେକ ରାତିରେ କାମସାରି ଆସିବା ମାତ୍ରେ ବୋଉକୁ ଗୋଟି ଗୋଟି କରି ବୁଝାଉଥିଲା ଫୋନ୍ ଚଳାଇବାର ପଦ୍ଧତି । ଏବେ ସିଏ ଫୋନ୍ କରି ପାରୁଛି, ମେସେଜ କରିପାରୁଛି, ଗୀତ ଶୁଣିପାରୁଛି, ତା’ ପୁରୁଣା ସାଙ୍ଗମାନଙ୍କୁ ଗଣମାଧ୍ୟମରେ ଭେଟି ପାରୁଛି । ବୋଉ ଏବେ ବେଶ୍ ଖୁସି ଏବ ବ୍ୟସ୍ତ ମଧ୍ୟ । ସମିତା ପାଇଁ ଆଉ ଠିକରେ ରୋଷେଇ କରିପାରୁନି ଏବଂ ଝିଅର ହାଲଚାଲ ବୁଝିବାକୁ ତା’ ପାଖରେ ସମୟ ନାହିଁ । ରାତିରେ ଆଉ ବସି ସେଇଭଳି ଗପ କରୁନାହାନ୍ତି । ଏବେ ସମିତା ପୂରା ଏକା; ଯେବେ ସେ ତା’ର ଅଳନ୍ଧି ଲଗା ବହିଥାକ ପାଖକୁ ଯାଏ, ସେ ବହିଗୁଡ଼ା ଧୂଳିଧୂସର ହେଇ ତାକୁ କୁହନ୍ତି ଆମେ ଏବେ ଜୀର୍ଣ୍ଣ, ଦୁର୍ବଳ, ମଳିନ । ଆମ ସହିତ ସମ୍ପର୍କ ଗଢ଼ି ପୁଣି ଭାଙ୍ଗି ଦେବନି ତ? ସମିତା ପୁଣି ନିଜକୁ ପ୍ରଶ୍ନ କରେ ଏସବୁ ପାଇଁ ବୋଉ ଆଉ ଫୋନ୍ ଭିତରେ ଥିବା ଅବୈଧ ସମ୍ପର୍କ ଦାୟୀ ନୁହେଁ ତ???

– ସ୍ୱାତୀସ୍ମିତା ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...