ପଳାଶ

Odia Poem Palash (ପଳାଶ) Mamata Sahu

ନ ଥିଲେ ନ ଥାଉ
ବାସ ଲୋ ପଳାଶ
ଅପୂର୍ବ ତୋ’ ଲାସ୍ୟରତା
ରଙ୍ଗ ଫଗୁଣରେ
ଆବାହନି ତୋ’ର
କଳ୍ପନାର ତୁ କବିତା ॥

ସର୍ବାଙ୍ଗ ସୁଷମା
ରୂପ ତିଲୋତ୍ତମା
ବୋଲି ଅଛି ତୋ’ର ଅଙ୍ଗେ
ନ ଗୁଞ୍ଜେ ଭଅଁର
ସଦ୍ୟ ପୁଷ୍ପ ଗୁଚ୍ଛେ
ନାହିଁ ବୋଲି ବାସ ସଙ୍ଗେ ॥

ଅନ୍ତ ସୌନ୍ଦର୍ଯ୍ୟର
ଐଶ୍ଵର୍ଯ୍ୟ ସମ୍ଭାର
ଆକର୍ଷଣେ ପରିପୂର୍ଣ୍ଣା
କୋଟି ଜନମନ
ହରି ନେଉ ତୁହି
ଭୁଖଣ୍ଡରେ ବହୁ ବର୍ଣ୍ଣା ॥

ଧରା ଉଦ୍ୟାନରେ
ମାଖି ନାଲି ରଙ୍ଗ
ଗୁଞ୍ଜିହୋଇ ତରୁ ଡାଳେ
ଫୁଟିଥାଉ ତୁହି
ରୂପସୀ ନାୟିକା
ଚକ୍ଷୁ ପ୍ରସ୍ଫୁଟିତ ମାଳେ ॥

କି ସୁନ୍ଦର ତନୁ
ଅମୃତ ରକ୍ତିମା
ଝରୁଥାଏ ତୋ’ ବକ୍ଷରୁ
ଶୁଭ୍ର ଜ୍ୟୋତିର୍ମୟୀ
ଦିବ୍ୟାଙ୍ଗି ରୂପସୀ
ଛନ୍ଦାୟୀତ ପ୍ରକୃତିରୁ ॥

ଦର୍ଶାୟୀ ପିୟୂଷ
ଲୋଭମୟ ପୁଷ୍ପ
ତୋ’ କଳ୍ପନା କି ସମ୍ଭବ
ଆଦର୍ଶ ରୂପ ତୋ’
ପ୍ରଦତ୍ତ ସଞ୍ଜୁକ୍ତ
ହୃଦୟେ ଭରଇ ସ୍ୱାଦ ॥

– ମମତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...