ଆସିଲାରେ ରଜ ମଉଜ ନେଇ
କରୋନା ମହାମାରୀକୁ ହରେଇ
ଚାଲରେ ବାଳାଏ ହୋଇବା ସଜ
ଆଜି ପରା ରଜ ସଜବାଜ ।
ପାଦରେ ପାଉଁଜି ଆଉ ଅଳତା
ହାତରେ ମେହେନ୍ଦି ସେ ନାଲି ଛିଟା
ହାତରେ ବାଜୁ ଚୁଡ଼ି ରୁଣୁଝୁଣୁ
ରଜ ଦୋଳି ଖାଲି ରାତିଟା ଗଣୁ ।
ରାତି ପାହିଲେ ପରା ପହିଲି ରଜ
କୁମାରୀମାନଙ୍କ ବଡ଼ ମଉଜ,
ସଜବାଜ ହେଇ ଖେଳନ୍ତି ଦୋଳି
ପାନ ସାଥେ ଗୀତ ଗାଇ କରନ୍ତି ମେଳି ।
କୋଳାହଳ ଆଜି ଗାଁ ଦାଣ୍ଡ ଅଗଣା
ଝିଅମାନେ ତ ଘର ଗେହ୍ଲା ଦୁହ୍ଲଣା,
ତାଙ୍କ ଯୋଗୁଁ ପରା ଜଗତ ହସେ
ତାଙ୍କ ପାଉଁଜି ଶବଦେ ଘର ଅଗଣା ହସେ ।
ଯେତେ ପରବ ଯେ ତାଙ୍କରି ପାଇଁ
ଯା ଘରେ ନାହିଁ ଝିଅ ସେ ଘରେ ଉତ୍ସବ କାହିଁ ,
ପୋଡ଼ ପିଠା ଖାଇ ନୂଆ ଜାମାକୁ ପିନ୍ଧି
କୁଙ୍କୁମ ମଥାରେ ମନୋହର ଅତି ।
ଦିଶେ ସତେ ଅବା ସରଗ ପରୀ
କେହି ନାହିଁ ସତେ ତା’ର ସରି,
ସଖୀ ମେଳେ ବରଗଛ ଓହଳେ
ଦୋଳିରେ ଝୁଲଇ ବୃକ୍ଷର କୋଳେ ।
ରଜ ଝିଅଙ୍କର ଖୁସିର ପର୍ବ
ପାଳିବା ଆସରେ ଓଡ଼ିଆ ପର୍ବ
ଅନନ୍ୟ ଏ ମାଟି ତା’ର ଉତ୍ସବ
ସଭିଁଙ୍କୁ କୋଳାଏ ରଚି ଗୌରବ ।
– ସୁଶ୍ରୀ ସଙ୍ଗୀତା ସେଠୀ
Comments
ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।