ଗଣ ଓ ତନ୍ତ୍ର

Odia Poem Gana o Tantra (ଗଣ ଓ ତନ୍ତ୍ର) by Jangyash Kumar Rout

ମୋର ଆରମ୍ଭ ଭାରତର ସମ୍ବିଧାନ ସଙ୍ଗେ ହୋଇଥିଲା,
ଭାବିଥିଲି ସମ୍ବିଧାନ ହିଁ ହେବ ମୋର ଆଶାବାଡ଼ି ଏ ଗଣମାନଙ୍କ ତନ୍ତ୍ରକୁ ଏକାଠି ରଖିବାକୁ,
କିନ୍ତୁ, ସମ୍ବିଧାନ ବାସ୍ ଏକ ଖେଳନା ହୋଇ ରହିଗଲା ଏ ଦୁର୍ନୀତି ଖୋର୍ ନେତା ଓ ଅଫିସରମାନଙ୍କ ପାଇଁ,
ଭାବିଥିଲି ସମ୍ବିଧାନର ଆଶ୍ରାରେ ଭାରତର ଲୋକ ତନ୍ତ୍ର ଆହୁରି ଉନ୍ନତ ହେବ,
କିନ୍ତୁ, ଏ ଭାରତର ଗଣରାଜ୍ୟ ଆଜି ପତନାଭିମୁଖି,
ଏହାହିଁ ଥିଲା କ’ଣ ମୋ’ ଭାଗ୍ୟରେ?

ନ୍ୟାୟିକ ବ୍ୟବସ୍ଥାର ଚକ୍ରବ୍ୟୁହରେ ଆଜି ସମସ୍ତେ ବନ୍ଦୀ,
ଶାସନ ବ୍ୟବସ୍ଥାର ଅବ୍ୟବସ୍ଥାରେ ଆଜି ସମସ୍ତେ କ୍ଳାନ୍ତ,
ରାଜନୈତିକ ପଶା ପାଲିରେ ମୁଁ ଆଜି କ୍ଷତିଗ୍ରସ୍ତ,
ଧର୍ମ-ଧର୍ମ, ଜାତି-ଜାତି, ରାଜ୍ୟ-ରାଜ୍ୟ ଭିତରେ ଚାଲିଛି ହିଂସା,
ସମସ୍ତେ ବାସ୍ ଅନ୍ୟକୁ ପଛରେ ଛାଡ଼ି ନିଜକୁ ଆଗକୁ ନେବାକୁ ଆଗଭର,
ଏହା ହିଁ କ’ଣ ମୋର ଶେଷ ରାସ୍ତା?
ବର୍ଷକରେ ଥରେ ଆଜିର ଦିନରେ ଭାରତର ଗଣତନ୍ତ୍ରକୁ ସମୃଦ୍ଧ ଓ ଉନ୍ନତ କରିବାକୁ ମନେ ପକାଇ ଦେବାର ଶତଚେଷ୍ଟା କ’ଣ ମୋର ବୃଥା?
ମୋତେ ଆଜି ତେସ୍ତୋରୀ ବର୍ଷ ବୟସ,
ମୁଁ କ’ଣ ଭାବିନେବି ଯେ ମୁଁ ଆଜି ବୃଦ୍ଧ ଓ ମୋର ଶେଷ ସମୟ ଉପନୀତ?
କିନ୍ତୁ ମୁଁ ତ ଦିନେ ପାଇଥିଲି ସମ୍ବିଧାନର ପ୍ରତିଟି ଅକ୍ଷରର ଅମୃତକଣିକାରେ ଅମର ହେବାର ବରଦାନ,
ଏ ତନ୍ତ୍ରର ଶାସନ ଓ ନ୍ୟାୟିକ ବ୍ୟବସ୍ଥାର ଶକ୍ତିରେ ସଦା ବିଜୟୀ ହେବାର ଦୃଢ଼ ଆଶ୍ଵାସନା,
କାହିଁ କୁଆଡ଼େ ଗଲା ସେ ସବୁ?
ମୋ’ଠୁ ମୋର ଶକ୍ତି ସବୁ କ’ଣ ଛଡ଼ାଇ ନିଆଗଲା?
ମୋର ଅମରତ୍ଵ କ’ଣ ଉଭାନ ହୋଇଗଲା?
ମୋର ତ ଚେଷ୍ଟା ଏ ବୃହତ ଗଣତନ୍ତ୍ରକୁ ଆଗକୁ ନେବାକୁ,
ମୋତେ କ’ଣ ମିଳିବନି ଆଉ ସେ ଶକ୍ତି?
ମୁଁ ଏବେ ବି ହୋଇ ଉଠିବି ବଳୀୟାନ!
ଯଦି ପାଇବି ମୁଁ ପ୍ରତିଟି ଗଣ ପ୍ରତିନିଧିଙ୍କ ସମର୍ଥନ ଏ ସମ୍ବିଧାନର ପ୍ରତିଟି ଅନୁଛେଦକୁ ସଠିକ୍ ଭାବରେ କାର୍ଯକାରୀ କରିବାରେ,
ମୋର ବାସ୍ ଏକ ସୁସ୍ଥ ତନ୍ତ୍ର ଦରକାର,
ମୋର ବାସ୍ ଏକ ଉନ୍ନତ ଓ ସମୃଦ୍ଧ ଭାରତବର୍ଷ ଦରକାର ।

– ଯଜ୍ଞେଶ କୁମାର ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...