ଭୁଲିଯିବା ଭୟ ତା’ ଭିତରେ
ଅନେକ କିଛି ସାଇତି ରଖିଛି
ଆଉ କିଛି ରହସ୍ୟ ଲୁଚେଇ ବି ରଖିଛି ।
ମୋ ଦିନ ସରିବା ପର୍ଯ୍ୟନ୍ତ
ସେ ମୋତେ ଅପେକ୍ଷା କରେ
ସେ ମୋ ଦିନକୁ ସମ୍ପୂର୍ଣ୍ଣ କରେ ।
ମୋର କୌଣସି ଭାବନା ପାଇଁ
ସେ ମୋତେ କେବେ ପ୍ରଶ୍ନ କରିନି
ବୋଧେ ସେ କାହିଁକି, କ’ଣ ପାଇଁ, କେଉଁଠି
ଏମିତି କିଛି ଶବ୍ଦର ଅର୍ଥ ଜାଣିନି ।
ମୁଁ ରାଗରେ ତା’ ଶରୀରରେ
ଅନେକ ଦାଗ ଦେଇଛି
ସେ ଚୁପ୍ ଚାପ୍ ଦାଗଗୁଡ଼ିକୁ
ଚିହ୍ନ ଭାବି ଗ୍ରହଣ କରିଛି ।
ମୋ କୋହ, ମୋ ଲୁହ
ତା’ ପାଖରେ ଶବ୍ଦର ରୂପ ନିଏ
ସମୟ ବ୍ୟତିକ୍ରମ ହେଇଯିବା ପରେ
ସେ ଲୁହର କାହାଣୀ
ମୋ ଓଠରେ ହସ ଦେଇଯାଏ ।
ଅନ୍ୟ କେହି ତାକୁ ସ୍ପର୍ଶ କଲେ
ମୋତେ ଭଲ ଲାଗେନି
କାରଣ ତା ସମସ୍ତ ଫର୍ଦରେ
ଅଛି କେବଳ ମୋର କାହାଣୀ ।
କିଛିଟା କାଗଜ ଫର୍ଦର ସମାହାର ସିଏ
ଗୋଟେ ନିର୍ଜୀବ ବସ୍ତୁଟିଏ
ହେଲେବି ମୋ ହୃଦୟର ଅତି ନିକଟ ସିଏ
ସିଏ ଆଉ କେହି ନୁହେଁ
ମୋ ଡାଏରୀ ସିଏ
ମୋ ଡାଏରୀ ସିଏ…
– ସୁନିତା ପଟେଲ
Comments
ସୁନିତା ପଟେଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।