ଜରାଜୀର୍ଣ୍ଣ ଶରୀର, ଶୁଷ୍କ ଓଠ, ମୁଣ୍ଡରେ ତେଲ ତ ବହୁ ଦୂରର କଥା, ଦେହ ହାତ ସବୁ ପାଉଁଶିଆ; ଦେହରେ ପଡ଼ିଥାଏ ଗୋଟେ ଚିରା ସାର୍ଟ ଯାହା ଲାଜ ତକ ବି ଘୋଡ଼େଇବାର ସାମର୍ଥ୍ୟ ରଖେ ନାହିଁ । ନାଳରେ ଭାସି ଯାଉଥିବା ଆଇଁଠା ମଧ୍ୟ ଜୀବହୀନ ହାତରେ ତୋଳିଆଣି ଖାଇବା ପାଇଁ ପଛଘୁଞ୍ଚା ଦିଅନ୍ତିନି । ଏ ସବୁ ଚଳଚ୍ଚିତ୍ରରେ ଦେଖିଛି, ନିଜ ଆଖିରେ କେବେ ନାହିଁ । ଅପରିଷ୍କୃତ ଶୁଷ୍କ ଚେହେରା ଗୋଡ଼ିକ କେବଳ ଯେ ଫିଲ୍ମରେ ଥାଏ, ଏ ଭାବନାକୁ ଦୂର କରିବା ପାଇଁ ମୋତେ ବୟସର ଆବଶ୍ୟକତା ପଡ଼ିନାହିଁ । ଦରିଦ୍ର ସୀମାରେଖାର କାହିଁ କେତେ ନିମ୍ନରେ ଯେ ଏମାନେ ବଞ୍ଚୁଛନ୍ତି, ସେ ଦିନ ଦେଖିଲା ପରେ ମଧ୍ୟ ବିଶ୍ୱାସ କରି ପାରୁନଥିଲି ।
ସ୍କୁଲର ବିଜ୍ଞାନ ପ୍ରକଳ୍ପର କିଛି ତଥ୍ୟ ସଂଗ୍ରହ ପାଇଁ ଯାଇଥିଲୁ ଅନୁଗୋଳ ଜିଲ୍ଲାର ଶେଷ ସୀମା ଓ ଢେଙ୍କାନାଳ ଜିଲ୍ଲାର ଆରମ୍ଭରେ ଥିବା ଗୋଟେ ଅନୁନ୍ନତ ବସ୍ତିକୁ; ମୁଣ୍ଡା ସାହି । ଜାତୀୟ ସ୍ତରୀୟ ବିଜ୍ଞାନ ପ୍ରକଳ୍ପ, ଟିକିଏ ଖାଇଚା ମଧ୍ୟ ଗ୍ରହଣୀୟ ନୁହେଁ । ନିଜେ ଯାଇ ସବୁ କିଛି କରିବାକୁ ପଡ଼ିବ । ଆମେ ୪ ଜଣ ଓ ଆମ ଗୁରୁଜୀ ଉଦୁ ଉଦିଆ ଖରାବେଳେ ଯାଇ ପହଞ୍ଚିଲୁ । ଗୋଟିଏ ଗଛ ତଳେ ସବୁ ଜିନିଷ ତଥା ବ୍ୟାଗ୍, ପ୍ରକଳ୍ପର କିଛି ସରଞ୍ଜାମ ରଖିଲୁ । ପ୍ରାୟ ୧-୨ ଘଣ୍ଟା ଗଛ ତଳେ ବସି ରହିଲୁ । ତା’ ପରେ ବସ୍ତି ଭିତରକୁ ବଢ଼ିଲୁ । ଖୁବ୍ ସୁନ୍ଦର ସେମାନଙ୍କ ଜୀବନ ଶୈଳୀ । ନୁଆଁଣିଆ ଚାଳ ଘରେ ଲାଲ ମାଟିର ଆସ୍ତରଣ ଖୁବ୍ ମାନୁଥାଏ । ୨-୩ ଘଣ୍ଟା କେବଳ ୪-୫ ଟି ଘରେ ବିତିଗଲା । ପାଣି ପିଇବା ପାଇଁ ଚାଲି ଆସିଲି ସେଇ ଗଛ ପାଖକୁ । ପାଣି ପିଇ ସାରିବା ପରେ ଗୋଟେ ଲେଏଜ ପକେଟ୍ ଖୋଲି ଖାଇବା ପାଇଁ ବସିଲି । କାହିଁକି କେଜାଣି ଏମିତି ଲାଗିଲା କେହି ଜଣେ ମୋତେ ଦେଖୁଛି । ପଛ ପାଖକୁ ବୁଲି ଦେଖିଲି ତ ଗୋଟେ କଙ୍କାଳ ଛିଡ଼ା ହୋଇଛି; ଚିତ୍କାର କରି ଉଠିଲି ଓ ହାତରେ ଥିବା ପ୍ୟାକଟଟି ଖସି ପଡ଼ିଲା । ଡରରେ ହୃତ୍କମ୍ପନ ବଢ଼ି ଚାଲିଥିଲା । କିନ୍ତୁ କିଛି ସମୟ ନିରୀକ୍ଷଣ କରିଲା ପରେ ଜାଣିଲି ଯାହାକୁ କଙ୍କାଳ ଭାବୁଛି ସେ ଗୋଟେ ପିଲାଟିଏ । କିନ୍ତୁ ପିଲାଟିର ରୂପ ଦେଖିଲେ ଯେକେହି ହେଉନା କାହିଁକି ଡରିଯିବ ।
ଦେହରେ ମାଂସ ବୋଲି କିଛି ନାହିଁ । ଲାଗୁଥିଲା ଯେମିତି କଙ୍କାଳ ଉପରେ କେହି ଚମଡ଼ାର ଆସ୍ତରଣଟିଏ ଟାଣି ଦେଇଛି । ମୁଣ୍ଡର ବାଳ ସବୁ ଏପଟ ସେପଟ ହୋଇ ରହିଛି, ତେଲ ନାହିଁ; ବୋଧେ ୫-୬ ଦିନ ହେବ ଗାଧୋଇ ନାହିଁ । ଗୋଟେ ଚିରା, ଢିଲା ସାର୍ଟ ପିନ୍ଧିଛି । ସାର୍ଟର ମଧ୍ୟ ଅବସ୍ଥା ଶୋଚନୀୟ । ଦେହରୁ ଖସି ପଡ଼ୁଛି ଓ ଅଜସ୍ର କଣା ତା’ ଦେହରେ । କିଏ ଏହି କଙ୍କାଳ ଉପରେ ଟାଙ୍ଗି ଦେଇଛି ସାର୍ଟଟି !? ଆଖି ଦୁଇଟି କୋରଡ଼ ଭିତରକୁ ପଶି ଯାଇଛି । ସକାଳର ନେଞ୍ଜେରା ଏବେ ମଧ୍ୟ ଆଖି କୋଣରେ । ସରୁ ସରୁ ହାତ ଗୋଡ଼ ଓ ଆଙ୍ଗୁଠି ଗୋଡ଼ିକ କାଠି ପରି, କିନ୍ତୁ ପେଟଟା ବହୁତ ବଡ଼ । ପେଟ ଓ ମୁଣ୍ଡ ଏକା ପରି ବଢ଼ିଛି । ଗୋଟେ ବିସ୍କୁଟ ପ୍ୟାକେଟ ବଢ଼େଇ ଦେଲି ତା’ ହାତକୁ, ସେ କିନ୍ତୁ ନେଲା ନାହିଁ । ଦୌଡ଼ି ପଳେଇଲା । ମୁଁ ମଧ୍ୟ ଦୌଡ଼ିଲି ତା’ ପଛରେ, ଦେଖିଲି ତା’ ଭଳି ଆହୁରି ୩-୪ ଟି ପିଲା କାହା ଦେହରେ କନା ଅଛି ତ କାହାର ଦେହ ଫୁଙ୍ଗୁଳା । ମାଆ ତା’ର ବସିଛି କୁଡ଼ିଆ ମୁହଁରେ । ମୋତେ ଦେଖି ଶୁଖିଲା ଓଠରେ ହସଟିଏ ଖେଳେଇ ଦେଲା । ମୁଁ ମଧ୍ୟ ଟିକେ ହସି ଦେଲି । ଫେରି ଆସିଲି ଗଛ ପାଖକୁ, ବ୍ୟାଗରେ ଆଉ ୫-୬ଟି ବିସ୍କୁଟ ପ୍ୟାକେଟ ଥିଲା । ତାକୁ ନେଇ ଚାଲିଲି ସେଇ ପିଲାଟିର ଘର ପାଖକୁ । ତା’ ମାଆକୁ ଦେଲି, ନବା ପାଇଁ ସଙ୍କୋଚ ମନେ କରୁଥିଲେ ବୋଧ ହୁଏ । କିନ୍ତୁ ତା’ ପିଲାମାନଙ୍କ ଉପରୁ ଆଖି ବୁଲାଇ ଆଣି ମୋ ହାତରୁ ଧରିଲା ବିସ୍କୁଟ ଗୋଡ଼ିକ । ଟିକେ ହସି ଦେଲି ଓ ଚାଲିଲି ଗୁରୁଜୀଙ୍କ ପାଖକୁ । ବ୍ୟସ୍ତ ବହୁଳ ଜୀବନ ଭିତରେ ଆଉ କେବେ ଯାଇ ପାରିନି ସେ ବସ୍ତିକୁ, କିନ୍ତୁ ଏବେ ମଧ୍ୟ ସେ ପିଲାଟିର ମୁହଁ ମନେ ପଡ଼ିଗଲେ, ପାଟିରୁ ଅନାୟସରେ ବାହାରି ଆସେ “ଆହାଃ!”…
– ପ୍ରିୟଙ୍କା ପ୍ରିୟଦର୍ଶିନୀ
Comments
ପ୍ରିୟଙ୍କା ପ୍ରିୟଦର୍ଶିନୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।