ମୋ ବୋଉ

Mo Bou (ମୋ ବୋଉ) by Viswanath Kinkar Rout

ଦିନ ୧୧ଟାରେ ଘରେ ପହଞ୍ଚିଲି । ଭିତରକୁ ପଶୁପଶୁ ବାପା ପଚାରିଲେ, “କିରେ ! ସକାଳ ୭ଟାରେ ପହଞ୍ଚିବୁ କହିଥିଲୁ । ଲେଟ୍ କାହିଁକି ହେଲା?” ମୁଁ କହିଲି, “କୋଣାର୍କ ଏକ୍ସପ୍ରେସ୍ ଲେଟ୍‌ରେ ଆସିଲା । ଟିକୁ ଆଉ ଝିଅ (ମୋ ସାନ ଭାଇ ଓ ଭଉଣୀ) ତ ସ୍କୁଲ ଯାଇଥିବେ । ବୋଉ କୁଆଡ଼େ ଗଲା କି?”

“ବୋଧେ ସେପଟ ରୋଷେଇ ଘର ଚାଳିରେ ଥିବ । ବାଟରେ କିଛି ଖାଇ ନଥିବୁ ତ? ହଉ ଯା, ଗାଧୋଇ ପାଧୋଇ ଖାଇସାରେ । ପରେ କଥା ହେବା ।” ମୁଁ ହଉ କହି ଭିତରକୁ ଗଲି । ଘର ଭିତରେ ସବୁ ଏଣେତେଣେ ପଡ଼ିଥିଲା । ବୁଝିଗଲି ଏସବୁ ଟିକୁ ଆଉ ଝିଅର କାମ । ଭାବିଲି ଏବେ ଆଗ ଖାଇପିଇ ସାରେ, ତା’ ପରେ ସବୁ କରିବି । ୧୫ ଦିନ ରହିବି । ସଜାଡ଼ିବାକୁ ତ ହେବ ।

ବାଡ଼ି ପଟକୁ ଗଲି; ସେଇଠି ରୋଷେଇ ଚାଳି । ଭିତରକୁ ପଶିଗଲି । ଅନ୍ଧାର ଭିତରେ ବୋଉ ମୁହଁ ସଫା ଦେଖା ଯାଉ ନଥିଲା । ପାଦ ଛୁଇଁ ଜୁହାର ହେଲି । “ହଉ ବୁଢ଼ାଟେ ହେଇଥା । ତୁ ବାହାରକୁ ପଳା । ଏଠି କଳା ବହୁତ । ଜାମାପଟା ଖରାପ ହେଇଯିବ । ତୁ ଗାଧୋଇ ପଡ଼ । ତରକାରୀ ସରିଛି । ଭାତ ଫୁଟିଆସିଲାଣି । ମୁଁ ଗାଳି ଦିଏ ।”

ମୁଁ ପଳେଇ ଆସି କୂଅ ପାଖକୁ ଗଲି ଗାଧୋଇବା ପାଇଁ । ଦେଖିଲି ବାପା ଆସି ଚେୟାର ପକେଇ କୂଅ ପାଖରେ ବସିଛନ୍ତି । ଗାଧଉ ଗାଧଉ ଅନେକ କଥା ହେଲୁ । ତା’ ପରେ ଘର ଠାକୁରଙ୍କୁ ଜୁହାର ହେଇ ଆସି ବସିଲି ଦାଣ୍ଡ ଘରେ ଖାଇବା ପାଇଁ । ଗୋଟିଏ ଆସନ ଦେଖି ପଚାରିଲି, “ବୋଉ ! ବାପା ଖାଇବେନି କି?”

“ତୁ ତାଙ୍କ କଥା ଜାଣିନୁ କି । ସକାଳ ୫ଟାରୁ ଉଠି ମୋତେ ଶୋଇ ଦେଲେନି । କହଲେ ଜଲଦି ଉଠ୍ । ବିଶୁ ଏଇ ଆସି ପହଞ୍ଚି ଯିବ । ଚା’ ପିଇ ଦେଇ ଯାଇ ଗାଁ ମୁଣ୍ଡରେ ତୋ’ ବାଟ ଜଗି ବସିଥିଲେ । ଏଇ ଟିକେ ଆଗରୁ ଆସି କହିଲେ ଆଉ ଟିକେ ଚା’ ଦେ, ପିଇ ଦେଇ ଯାଇ ଦେଖିବି କାହିଁକି ଏଯାଏ ଆସିଲାନି । ଭଲ ହେଲା ତୁ ପହଞ୍ଚିିଗଲୁ । ନହେଲେ ପୁଣି ଯାଇ ସେଠି ବସିଥାନ୍ତେ । ହଉ ଛାଡ଼ ତୁ ଜଲଦି ଖାଇଦେଇ ଟିକେ ଗଡ଼ି ପଡ଼ । ଗାଡ଼ିରେ ଠିକ୍‌ରେ ଶୋଇପାରି ନଥିବୁ ।” ହଉ କହି ଗୁଣ୍ଡାଏ ଖାଇଚି କି ନାହିଁ ବାପା ଆସି ପହଞ୍ଚିଗଲେ । ବୋଉକୁ କହିଲେ, “କ’ଣ ରାନ୍ଧିଛୁ ଆଜି? ସବୁ ତା’ ପସନ୍ଦର ତ?” ଏତିକି କହି ଥାଳିକୁ ଅନେଇ ଦେଲେ । ତା’ ପରେ ହଠାତ୍ କ’ଣ ହେଲା କେଜାଣି ବାପା ପାଟି କରିବା ଆରମ୍ଭ କରିଦେଲେ । ବୋଉକୁ କହିଲେ, “ତୁୁ ରାକ୍ଷସୀ, ତୁ ଡାହାଣୀ, ତୁ ମା’ ହେବା ଯୋଗ୍ୟ ନୁହଁ, ତୁ ସ୍ନେହ କ’ଣ ଜାଣିନୁ, ତୁ ଆଦର କ’ଣ ଜାଣିନୁ ।” ମୁଁ ଠିଆ ହୋଇ ପଡ଼ିଲି । “ବାପା ଟିକେ ଶାନ୍ତ ହୁଅ । କ’ଣ ହେଲା କୁହ ତ?”

“କ’ଣ କହିବି? ୟେ ଗୋଟେ ମା’ ନା? ସ୍ନେହ କଣ ଜାଣିନି । ବଡ଼ ପୁଅ ଦେଢ଼ ବର୍ଷ ପରେ ଘରକୁ ଆସିଛି । ଅନ୍ୟ କେହି ମା’ ହେଇଥିଲେ କେତେ କ’ଣ ରାନ୍ଧିଥାନ୍ତା । ରାନ୍ଧିଛି କ’ଣ ନା ଭାତ, ଆଳୁଝୋଳ ଆଉ ଜହ୍ନି ପୋଡ଼ା ।” ମୁଁ ବୋଉ ମୁଁହକୁ ଚାହିଁଲି । ସେ ବିଲକୁଲ ଚୁପ୍ । ଆଖି ଛଳଛଳ । ମୁଁ ବାପାକୁ କହିଲି, “ବାପା ସବୁ ଭଲ ହେଇଛି । ମୁଁ ଖାଇନେବି । ଆପଣ ପାଟି କରନ୍ତୁ ନାହିଁ ।”

କିନ୍ତୁ ବାପା ସେଦିନ ପୁତ୍ର ସ୍ନେହରେ ଅନ୍ଧ । କିଛି ଶୁଣିଲେନି । ବୋଉ ଉପରେ ବର୍ଷି ଚାଲିଲେ । ମୁଁ ଆଉ ଖାଇବି କ’ଣ । ହାତ ଧୋଇ ଆର ରୁମ୍‌କୁ ଚାଲିଗଲି । ଖଟ ଉପରେ ଗଡ଼ୁଗଡ଼ୁ ଗାଡ଼ି ଥକାରେ କେତେବେଳେ ଆଖି ଲାଗିଯାଇଛି ଜାଣିପାରିଲିନି । ଆଖିଖୋଲିଲା ପ୍ରାୟ ୪ଟା ବେଳେ । ଉଠୁଥିଲି କି ଆର ଘରୁ ବାପା ବୋଉ କଥା ହେବାର ଶୁଭିଲା । ଦୁଆର ପାଖକୁ ଯାଇ କାନ ଡେରିଲି । ବାପାଙ୍କ ରାଗ ବୋଧେ ଶାନ୍ତ ହେଲାଣି ।

ବୋଉ କହୁଥିଲା, “ଦେଖ ତୁମେ ତା’ର ବାପା, ମୁଁ କିନ୍ତୁ ତା’ର ମାଆ । ପେଟ ଚିରି ଜନ୍ମ ଦେଇଛି, ଛାତି ଚିରି କ୍ଷୀର ପେଇଛି । ମୋର କ’ଣ ସ୍ନେହ ନାହିଁ । ମୁଁ ଜାଣେ ମୋ ପୁଅ ସେଠି କଷ୍ଟ କରି ନିଜ ହାତରେ ରୋଷେଇ କରି ଖାଉଛି । ଟିକେ ଭାବ, ଯଦି ମୁଁ ଏଠି ଭଲ ରୋଷେଇ କରି ଖାଇବାକୁ ଦିଏ, ସେ ସେଠାକୁ ଗଲେ ଘର ଖାଇବା ମନେପକେଇ ଝୁରି ହେବନି । ମୁଁ ଜାଣିଶୁଣି ଏମିତି କରିଛି । ମୁଁ ଜାଣେ ସେ ସେଠି କ’ଣ ରୋଷେଇ କରେ । ମୁଁ ବି ସେୟା ରାନ୍ଧି କି ଦେଇଛି ଆଉ ବାକି ଦିନରେ ଦେବିି ମଧ୍ୟ । ସେ ଘର ଛାଡ଼ି ଗଲା ବେଳେ ତା’ ମନ ବିଲକୁଲ କଷ୍ଟ ହେବନି । ତମେ ଗାଳି ଦିଅ ବା ଯାହା କର, କିନ୍ତୁ ମନେ ରଖିବ ଯେ ମୁଁ ବିଶୁକୁ ତୁମଠୁ ବେଶୀ ଭଲ ପାଏ । ତମେ ତା’ର ଏଇ ୧୫ ଦିନର ଖୁସି ଦେଖୁଛ । ମୁଁ ତା’ର ସାରା ଜନ୍ମର ଖୁସି ଦେଖୁଛି ।

କହିବା ଶୁଣିବା ପାଇଁ ବୋଧେ ଆଉ କିଛି ବାକି ନଥିଲା । ମୋ ଆଖି ଓଦା ହେଇଥିଲା ଆଉ ବାପାଙ୍କ କଣ୍ଠ ବି । ସେ କିଛି କହିବା ଭଳି ଅବସ୍ଥାରେ ନଥିଲେ । କେବଳ ଏତିକି କହିଲେ, “ମୋତେ କ୍ଷମା କରି ଦେ, ଶାନ୍ତି ।” ତା’ ପରେ ସବୁକିଛି ଶାନ୍ତ ହେଇଯାଇଥିଲା ଠିକ୍ ମୋ ବୋଉର ନାଁ ପରି ॥ ଶାନ୍ତି ॥

– ବିଶ୍ୱନାଥ କିଙ୍କର ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...