ଝାଟି ମାଟି
ଦଦରା, ଦରଲିପା ଘରେ
ଅସଂଖ୍ୟ ଟିପ ଚିହ୍ନ
ଏକାଠି ଯେଉଁଠି
ସେ ନୂଆଁଳିଆ ଘର
ମୋ ଜନ୍ମ ମାଟି,
ସେ ମୋ ରାଜମହଲ
ଭାବେ ମୁଁ ଗରିବ !
ପ୍ରଥମଥର ପାଇଁ
ବୋଉ କହୁଥିଲା
ଆମେ ଗରିବ
ଯେତେ ଅଳି ଅର୍ଦଳିର
ସଂଜ୍ଞା ଆମ ପାଇଁ ଏଠି
ଭିନ୍ନ, କିନ୍ତୁ ନିର୍ଭୁଲ୍
ଉତ୍ତର
ଯେ ମୁଁ ଗରିବ !
ନୂତନ ଉତ୍ସାହ
ଉଦ୍ଦୀପନା
ରଙ୍ଗିନ୍ ସ୍ଵପ୍ନକୁ
ଦେଖିବା ଛୁଇଁବା,
ଅଧା ଓଠରେ ଭଙ୍ଗା ହସ
ହସିବା ଆମକୁ ମନା,
ଚତୁର୍ପାର୍ଶ୍ଵରେ ଉଜୁଡ଼ା
ପରିସ୍ଥିତି ନାକାବନ୍ଦୀର ଭୟ
କାରଣ ମୁଁ ଗରିବ !
ଭାଗ୍ୟର ଔଦ୍ଧତାମୀ ଅସହ୍ୟ
ବେସାହାରା କରେ
ହାତ ଛିଞ୍ଚାଡ଼ି
ବୋଳି ଦିଏ
ଭାତ ଥାଳିରେ ମୁଠାଏ ପାଉଁଶ
ନା ଖାଇ ହୁଏ
ନା ଫୋପାଡ଼ି ହୁଏ
କାରଣ ମୁଁ ଗରିବ !
ବୋଉ ଉତ୍ତରର ପରିଭାଷା
ଲୁହରେ ଭାସି ଯାଉ ଯାଉ
କିଛି କୁହନ୍ତି ମୋତେ
ବୁଝିହୁଏ ଆପେ ଆପେ
ଯେ ମୁଁ ଗରିବ !
ମୋଞ୍ଚା ମେଞ୍ଚା
ଯୋଜନାରୁ ମୋ ନାଁ’କୁ
ନିଶ୍ଚିହ୍ନ କରିଛି କିଛି
ଅଦୃଶ୍ୟ ଶକ୍ତିର ଦବଦବା
କାରଣ ମୁଁ ଯେ ଗରିବ !
ବୋଉର ପଣତ କାନିରେ
ମୁଣ୍ଡ ଗୁଞ୍ଜିଲେ
ଲାଗେ ପୃଥିବୀଟା
ଚିହ୍ନା ଚିହ୍ନା ନିଜର
ସଫଳତା ପାଦ
ଛୁଇଁ ଦିଏ ମୋର
ବୋଉ ପାଦ ତଳେ
ସ୍ଵର୍ଗ ଥାଏ ବୋଲି
ଫିକର କରେନି
ଫକର କରେ
ଯେ ମୁଁ ଗରିବ !!!
– ମହମ୍ମଦ ହନିଫ୍ ସାହା
Comments
ମହମ୍ମଦ ହନିଫ୍ ସାହା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।