ଯାତ ଉତ୍କଳର

Odia Poem Jata Utkalara (ଯାତ ଉତ୍କଳର) by Taresh Mandal

ମେଘାଚ୍ଛନ୍ନ ଗଗନେ କଳା ମେଘକୁ ବଳି
ବରଷିବ ସତେ ବରଷା ମୂଷଳ ଧାରାରେ ଆଜି ॥

ବ୍ୟତିକ୍ରମ ସ୍ୱଭାବେ ମେଘ ରଜାଟା ଆଜି
ଢାଙ୍କିଛି ଢାଙ୍କୁଣି ଶିରେ କଳା ଆକାଶ ଛାଡ଼ି ॥

ବାନ୍ଧିବାକୁ ବେଶ ସେନାପଟା ତା’ର
ବାନ୍ଧି କି ପାରିବ ଭାବକୁ ଆମ୍ଭର ॥

ଆସୁଛି ଆସୁଥିବ ସେ ଗେହ୍ଲା ପୁଅ
ଭିଡ଼ିବାକୁ ନାହିଁ କାହାର ଦମ୍ଭ ॥

ଭବ ଠାରେ ଭାବେ ଭାବ ବିନୋଦିଆ ମୋର
ଆସିବ ହେ ଛାଡ଼ି ମାଉସୀ ମନ୍ଦିର ॥

ଓଲଟ ଚକୁଳି ସତେ ପୋଡ଼ ପିଠା ଆହା
ଆଉ କି ମିଳିବ ମୋତେ ମା’ ହାତରନ୍ଧା ॥

ଚାଲିଯିବି ମୁହିଁ ମୋହରି ମନ୍ଦିରେ
ଦେଖୁଥିବ ଆଖି ତୋହରି ପଲକେ ॥

ଭାରୀ ହେଉ ଆଖି ଲୁହର ଓଜନେ ହାତ ଆକାଶେ ଟେକି
ଭିଜୁ ବଡ଼ ଦାଣ୍ଡ ଲୁହର ବର୍ଷାରେ ଚକା ନେତକୁ ଚାହିଁ ॥

ଦେବାକୁ ସକ୍ଷମ ନୁହେଁ ପରା କେହି
ଦେବା ଲୋକ ପରା ଏକା କାଳିଆ ତୁହି ॥

ବାଜୁଛି ବାଜଣା ନାକଚଣା ହାଟ ଡେଇଁ
ଖାଉଛୁ ଖାଉଛୁ ବୋଲି ହୁରି ପଡୁଛି ଭେଦି ॥

ଅରଜିଛୁ କେତେ ନାମ ତୋ’ର ଶିରୀକ୍ଷେତେ
କେଉଁ ନାମ ବୋଲାଇଲେ ପାଉଣା ମିଳିବହିଁ ମୋତେ ॥

ସୁନାବେଶ ପରା ଓଲାଗି ହେବୁରେ ଜାତି ନନ୍ଦିଘୋଷ ବାରେ
କହେ ସୁବର୍ଣ୍ଣର ମାଳ ସତେ ଅରଜିଛି ଫଳ ଲାଗି ମହାବାହୁ ପାଶେ
ଆସିବୁ ଆସିବୁ କହି ତୁ ଚାଲିଲୁ ସାଆଁନ୍ତାଣି ତେଣେ କଳା ହାଟେ
ଅଭିମାନ ଭାଙ୍ଗି ପ୍ରେମର ରସରେ ରସିନେବୁ ରସ ପାତ୍ରେ ॥

ଯାଉଛି ଓଡ଼ିଆ ଆବେଗ ନାଆରେ
ଛାଡ଼ିଦେବୁ ଆମ ରାଇଜ କୂଳରେ
ରାଣ ତୋତେ ଦେଇଅଛି କି ସତେ
ଆସିବୁ ଆସୁଥିବୁ ଏ ଜାତି ପଛେ ଗଲେ ॥

ଫେରି କି ଯିବ ସତେ ରାଜା ରଜାର ଦାଣ୍ଡରେ
କୋହ ଭରା କଣ୍ଠେ ଡାକ ଜଗନ୍ନାଥ ଟେକି ଭୁଜ ଆକାଶେ ॥

ଦେଖିବ ଆଜି କଳହର ରୂପ ମିଠା ରସ ପାତ୍ରେ
ଭୁଞ୍ଜି ଦେବେ କଳା କଳାର ପାତ୍ରରେ ଭାଙ୍ଗି ଅଭିମାନ ରଙ୍ଗେ ॥

ଅଟକିବ ସେହି ତାହାରି ଇଚ୍ଛାରେ ଆୟତ୍ତ କାହାରି ନୁହେଁ
ପାଦେ ପାଦେ ଆଗେ ଆଗକୁ ବଢିବ ପୁଣି ପାଦେ ପାଦେ ପଚ୍ଛେ ॥

ରୋକି କି ପାରିବ ତା’ର ଯାତ କିଏ ଓଡ଼ିଶା ରାଇଜେ
ଏମିତି ଆସିବ ଆସୁଥିବ ସେହି ବିପତ୍ତି କାଳରେ ll

ଜାତି ଜଗନ୍ନାଥ ଇତି ଜଗନ୍ନାଥ ସବୁ ଜଗନ୍ନାଥ ଏଠି
ବିନା ଜଗନ୍ନାଥେ କିଛି ତ ନ ହୁଅଇ ଏଠି ll

ପାତିବୁ ହାତ ଆମ୍ଭେ କାଳିଆ ଦାଣ୍ଡରେ
ଝରେଇବୁ ଆମ୍ଭେ ଅଶ୍ରୁର କଳସୀ ଏକା କାଳିଆ ଦାଣ୍ଡେ ॥

– ତାରେଶ ମଣ୍ଡଳ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...