ନିର୍ବାସିତା

Odia Poem Nirbasita (ନିର୍ବାସିତା) by Sonali Sucharita

ମା !
ତୁମ ଜରାୟୁର ଅନ୍ଧାରି ମୂଲକ;
ଉଦ୍ଭାସିତ ହୋଇଛି ଆଜି ଏକ ନୂତନ ସୃଷ୍ଟିର ଝଲକ ।
କୈଶିକ ଝିଲ୍ଲୀର ଆସ୍ତରଣ
ଗର୍ଭ-ନାଡ଼ର ସଂଯୋଗରେ ନିଶ୍ଚିତ ହୋଇ ଏଇତ ଆରମ୍ଭ ମାତ୍ର ମୋ ସନ୍ତରଣ ।
ତୁମରି ରକ୍ତ-ମାଂସରେ ଗଢ଼ା ଆରମ୍ଭ ହେଲା ମୋର ଗୋଟିଏ ପରେ ଗୋଟିଏ ଜୀବକୋଷ…
ମୁଦ୍ରିତ ମୋ ଆଖିର ପତଳା ପରଦାରେ ନେଇ ଆଖିଏ ସ୍ୱପ୍ନ,
ମୋ ଜୀବନ ଯେ କେବଳ ତୁମ ସ୍ନେହର ବଶ ।

ଆଜି ଦ୍ଵିତୀୟ ମାସରେ ତୁମର ପ୍ରଥମ ଅନୁଭବ,
ମୋ ସତ୍ତାର ଉପଲବ୍ଧିରେ ଆରମ୍ଭ ହେଲା ମାତୃତ୍ୱର ଶିହରଣ,
ଏଇ ତ ମୋର କୋମଳ କ୍ଷୀଣ ପ୍ରଭାବ !!
ତୁମେ ଆଜି ପୁଲକିତ ତୁମ ପ୍ରତିଟି ମୁହୂର୍ତ୍ତରେ ମା’
ତୁମ ପାହାନ୍ତିଆ ସ୍ୱପ୍ନର ଦୁନ୍ଦୁଭି,
ମୋ ଆଗମନ ପାଇଁ ଆହ୍ଲାଦିତ… ନିନାଦିତ ।
ମୁଁ ନିଦ୍ରିତ ବୋଲି ସଭିଏଁ କୁହନ୍ତି,
କିନ୍ତୁ ମୁଁ ତ ଚିର-ଜାଗୃତି, ତୁମ ମସ୍ତିଷ୍କର କୋଣରେ, ହୃଦୟର ଅନୁକୋଣରେ,
ମୁଁ ଆଉ ମୋ ସମ୍ଭାବନାର ଅଖଣ୍ଡ ରାଜୁତି ।
ତୁମ ପ୍ରତିଟି ପ୍ରଶ୍ୱାସ ସହ ମୋ ସ୍ଵଚ୍ଛ ଦେହ, ଫୁସଫୁସ ପ୍ରକମ୍ପିତ…
ଆଜି, ତୃତୀୟ ମାସର ପ୍ରାୟ ମଧ୍ୟ ଭାଗରେ,
ମୋ ହୃଦୟ ଗଢ଼ା ସରିବା ପରେ, ତୁମ ସ୍ପନ୍ଦନ ସହ ମୁଁ ବି ହେବି ସ୍ପନ୍ଦିତ…
ମୋର ଅବୟବ ଏ ଯାଏ ପୂର୍ଣ୍ଣ ହେଇନି ମା’ !
କିନ୍ତୁ ଏ କ’ଣ ! ତୁମେ କହିଚାଲିଚ, “ପୁଅ କି ଝିଅ ନ ଜାଣି ମୋ ମନ ମାନୁନି !!!”
ବୁଝୁଛି ମା’ ! ତୁମ ଅମୂଲ୍ୟ ସ୍ମୃତିରୁ ମୁଁ ସୃଷ୍ଟି ।
ଏତେ ସହଜ କେମିତି ହୁଅନ୍ତା ଏ ପ୍ରତୀକ୍ଷା !!!
ଜାଣିଲେ ମୋତେ ଆହୁରି ଗାଢ଼ ସ୍ନେହ କରିବ…
ସେ ପାଇଁ ବୋଧେ ଏ ତୁମ ଅନାବିଳ ତିତୀକ୍ଷା ।
ଶେଷରେ ସେ କଳା କାଗଜରେ ଖବର ପହଞ୍ଚିଲା
ମୁଁ ତୁମ ଗର୍ଭରେ ସାଇତା ତୁମରି କନ୍ୟା…
କିନ୍ତୁ କ’ଣ ପାଇଁ ମା’ ତୁମ ଆଖିରେ ଏ ଅଜସ୍ର ଲୁହର ବନ୍ୟା??
କିଛି ଗମ୍ଭୀର ଅସ୍ପଷ୍ଟ କଥା ଶୁଭୁଛି ମତେ,
ବାପା ଆଉ ଜେଜେ ମା’ଙ୍କ ପରାମର୍ଶ
ଯୋଜନା ମତେ ହତ୍ୟା କରିବାକୁ,
କେତେ ଉତ୍ସୁକ ବିଚାର ବିମର୍ଷ ।
ନୀରବି ଗଲା ତୁମ କଇଁ କଇଁ କାନ୍ଦ ସହ ମନର କୋହ,
ବାପାଙ୍କ ଗାଳି ମାଡ଼ରେ, ସମ୍ପର୍କୀୟଙ୍କ ଖୁଣ୍ଟାରେ ‘ପୁଅଟିଏ ଦେଇପାରୁନୁ’
ନିଥର ହୋଇଗଲା ବୋଧେ ତୁମ ଅଜନ୍ମା ଏ ଝିଅ ପାଇଁ ମୋହ !!!
ମା’ ! ମୁଁ ତ ଆଖି ଖୋଲିନି ଏ ଯାଏଁ,
ସ୍ୱପ୍ନ ଆରମ୍ଭ ହେଇନି ଏ ଯାଏଁ,
ମୁଁ କଣ ଏତେ ଅଦରକାରୀ !!
ଘୋର ବିରୋଧ ମୋ ଆଗମନର,
ସମସ୍ତଙ୍କ ନିଷ୍ଠୁର ନିଷ୍ପତ୍ତି, ସାଜିବାକୁ ମୋ ହତ୍ୟାକାରୀ !!!!
ମା’ ମୁଁ ଯେ ତୁମରି ଅଂଶ,
ତୁମ ଶରୀରରେ ଆଶ୍ରିତା,
କି ବିଡ଼ମ୍ବନା ନା ପରିସ୍ଥିତିର ତାଡ଼ନା
ମତେ ଜନ୍ମ ଦେବାରେ ଆଜି ତୁମେ କୁଣ୍ଠିତା…
ଆଜି ବୋଧେ ମୋର ଶେଷ ଦିନ ।
ତୁମେ କ’ଣ ସତରେ ଶୁଣୁନ ମାଆ,
ମତେ ଖୁବ ଭୟ ଲାଗୁଛି, ମୋ ଅଧା ଗଢ଼ା ହୃଦୟ ଖୁବ କମ୍ପୁଛି ।
ତୁମେ ମତେ ନିଜଠୁ ଅଲଗା କରିଦେବ, କାଟି ଫୋପାଡ଼ି ଦେବ…
ମୁଁ ପ୍ରତିବାଦ କରିପାରୁନି ମୋ ଜିହ୍ଵା ଅଶକ୍ତ,
ଏତେ ଅଲୋଡ଼ା କି ମୁଁ, ମୋ ପାଇଁ ସଭିଏଁ ଏତେ ଅନାସକ୍ତ ।
ମା’ !!! ଆଉ ଅଳ୍ପ ସମୟ ପରେ ସବୁକିଛି ନୀରବିଯିବ,
ମୋ ମୁଦା ଆଖି ସ୍ୱଚ୍ଛ ଶରୀର ତୁମ ଗର୍ଭୁ ଅପସରି ଯିବ,
ମୁଁ ପାଲଟିଯିବି ଏକ ଆଖୋଜା ମାଂସ ପିଣ୍ଡୁଳା,
ଆଉ ମେଞ୍ଚେ ରକ୍ତର ଫେଣ୍ଟାଫେଣ୍ଟି ବର୍ଜ୍ୟବସ୍ତୁ କେଉଁ ଏକ ଅଜଣା ଦୂର ଡଷ୍ଟବିନରେ,
ଆଉ ବାସ କିଛି ସମୟରେ, ତୃତୀୟ ମାସର ପରିସମାପ୍ତିରେ…

– ସୋନାଲି ସୁଚରିତା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...