କେମିତି ଏକ ଆଶ୍ଵସ୍ତି

Odia Poem Kemiti Eka Aswasti (କେମିତି ଏକ ଆଶ୍ୱସ୍ତି) by Sabita Satapathy

କିଏ କହିଲା
କ୍ରୀତଦାସର ବେଡ଼ି ଖୋଲି ଯାଇଛି
ପାଦର ଶୃଙ୍ଖଳ ଛିଡ଼ି ଯାଇଛି,
ତା’ର ନିର୍ଯ୍ୟାତନା, ଯନ୍ତ୍ରଣା, ଯାତନା
ସରିଯାଇଛି?
ପେଟ କାକୁର୍ତ୍ତିରେ
ଭିଟାମାଟିକୁ ଛାଡ଼ି
ଦାଦନ ଖଟିବାକୁ ଯାଇ,
ପ୍ରାଣ ନେଇ ଫେରିଥିବା
ସେଇ କଙ୍କାଳସାର ମଣିଷକୁ ଦେଖ !
ସେଇ ନିର୍ଯ୍ୟାତନା,
ସେଇ ଯନ୍ତ୍ରଣା ଯାତନାର ଛାପ
ଦିକ୍ ଦିକ୍ ହୋଇ ଦିଶୁଛି ।
ଲୋମହର୍ଷଣକାରୀ କରୁଣ
ଅନୁଭୂତିର ଚିହ୍ନ
ସ୍ପଷ୍ଟ ବାରି ହୋଇ ପଡ଼ୁଛି
ତା’ର ପେଟ ଆଉ ପିଠିରୁ ।

ଦେଖ ! ତା’ର ସାଙ୍କୁଡ଼ି ଯାଇଥିବା ମୁହଁକୁ
କୋରଡ଼ରେ ବନ୍ଦୀ ନିସ୍ତେଜ ଆଖିକୁ ।
ମୁଠାଏ ଖୁସି ହାତେଇବ କ’ଣ,
ବରଂ ହଜେଇ ଆସିଛି ତା’ର ଉଦ୍ଦାମ ଯୌବନ
ହଜେଇ ଆସିଛି
ଲାଉତୁମ୍ବାରେ ତୁମ୍ବେ
ମାଣ୍ଡିଆ ଜାଉର ସ୍ଵପ୍ନ ।

ସେ କ’ଣ କେବେ
ସ୍ଵପ୍ନରେ ବି ଭାବିଥିଲା
ଏ ସମୟ ତାକୁ ସଜେଇ ଦେବ ପଳାତକ ?
ପଳାୟନରୁ….. ପ୍ରତ୍ୟାବର୍ତ୍ତନ
ପ୍ରତ୍ୟାବର୍ତ୍ତନରୁ ଥଇଥାନ
ଏ ସବୁ ପ୍ରଶାସନର
ପ୍ରହସନ ନୁହଁ ତ ଆଉ କ’ଣ?
ପୁଣି ସେହି
ହାହାକାରମୟ ଜୀବନର ପୁନରାବୃତ୍ତି
ମୁଠେ ଦାନା ଖଣ୍ଡେ କନା ପାଇଁ
ମୁଣ୍ଡ ଗୁଞ୍ଜିବା ପାଇଁ
ଯେଉଁ କାକୁର୍ତ୍ତିକୁ ସେହି କାକୁର୍ତ୍ତି ।

ତଥାପି ଆଶ୍ଵସ୍ତି !
ଏଇଥିପାଇଁ ଯେ
ମାଫିଆଙ୍କ ହାତରେ କଟି ଯାଇନି
ହାତ କି ପାପୁଲି !
ବରଂ ଅଳ୍ପକେ ସେ ଯାଇଛି ବର୍ତ୍ତି ।

– ସବିତା ଶତପଥୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...