You are currently viewing ପୁସ୍ତକ ସମୀକ୍ଷା: ଲିପ୍‌ଷ୍ଟିକ୍
ଲିପ୍‌ଷ୍ଟିକ୍ - ସଂଗ୍ରାମ କେଶରୀ ସେନାପତିଙ୍କ ପୁସ୍ତକ ସମୀକ୍ଷା (Lipstick Book Review)

ପୁସ୍ତକ ସମୀକ୍ଷା: ଲିପ୍‌ଷ୍ଟିକ୍

“ଲିପ୍‌ଷ୍ଟିକ୍” ଆଜିକା ଦୁନିଆର ଏମିତି ଏକ ଜିନିଷ ଯାହା ବିନା ବୋଧେ ସାଧାରଣରୁ ସାଧାରଣ ମେକଅପ୍ ବିଷୟରେ ଭାବିବା ଅସମ୍ଭବ । ସେଇଥିପାଇଁ ବୋଧେ ଲିପ୍‌ଷ୍ଟିକ୍ ସବୁବେଳେ ଥାଏ ଚର୍ଚ୍ଚରେ ଆଉ ଦର ବି ତା’ର ଆକାଶରେ । ଥରେ ମୁଁ ମୋର ଜଣେ ମହିଳା ବନ୍ଧୁଙ୍କୁ ଏମିତି ପଚାରିଦେଇଥିଲି, “ଆରେ ଲିପ୍‌ଷ୍ଟିକ୍ କିଣିଲାବେଳେ ତମେ କ’ଣ ଦେଖିକି କିଣ?” ସେ ଉତ୍ତର ଦେଇଥିଲେ, “ଖାଲି ରଙ୍ଗ, ଆଉ ଗାଢ଼ ଗୋଲାପୀ ମୋର ପସନ୍ଦ । ତେଣିକି ସେ ଯେତେ ବି ହେଉ, ମୁଁ କିଣେ ।”

ସେମିତି ଏକ ଗଳ୍ପ ସଂକଳନ ଆସିଛି ଆମର ଆଦରର ଲେଖିକା ବିସ୍ମିତାରାଣୀ ସାହୁ ମହୋଦୟାଙ୍କର, ଯାହାର ଶୀର୍ଷକ ହେଉଛି “ଲିପ୍‌ଷ୍ଟିକ୍” । ଭଦ୍ରକର ଜିଲ୍ଲାସ୍ତରୀୟ ମହୋସ୍ତବ ଭଦ୍ରାୟନୀ ସାଙ୍ଗକୁ ପୁସ୍ତକ ମେଳା ବି ପଡ଼ିଥାଏ ଆଉ ସେ ମେଳାରେ ଏମିତି ବୁଲୁବୁଲୁ ମୋ ନଜର ପଡ଼ିଥିଲା ବିସ୍ମିତା ମାଡାମଙ୍କର ଫଟୋ ଉପରେ ଆଉ ମୁଁ ପାଖକୁ ଯାଇ ଦେଖେତ ତାଙ୍କ ରଚିତ ପ୍ରଥମ ଗଳ୍ପ ସଂକଳନ ସଜା ହୋଇ ଥୁଆହୋଇଛି ଥାକ ଉପରେ । ଆଉ ଏହି ବହିତ ଶୀର୍ଷକ ଦେଖି କୌତୁହଳ ସୃଷ୍ଟି ହେଲା ଏବଂ ସେ ରଙ୍ଗ ଦେଖିଲା ଭଳିଆ ମୁଁ ବି ଖାଲି ମଲାଟ ଦେଖି ସେଦିନ ଏହାକୁ କିଣିଦେଇଥିଲି । ଏହି ପୁସ୍ତକଟି ଆପଣମାନେ ଆମାଜନ୍‌ରୁ ମଧ୍ୟ କିଣିପାରିବେ ।

୮୦ ପୃଷ୍ଟା ବିଶିଷ୍ଟ ଏହି ଗଳ୍ପ ସଂକଳନରେ ପ୍ରକାଶ ପାଇଛି ୧୫ଟି ଛୋଟବଡ଼ ଗଳ୍ପ, ଯେଉଁଥିରୁ ଆପଣଙ୍କର ନିଜର ରୁଚି ଅନୁସାରେ ଗପ ଭଲ ଲାଗିପାରେ, ହେଲେ ମୋତେ ସବୁଠୁ ଅଧିକ ଭଲ ଲାଗିଥିବା ଗପଟି ହେଉଛି ଏହି ପୁସ୍ତକର କାହାଣୀର ଶୀର୍ଷକ ଗଳ୍ପ, “ଲିପ୍‌ଷ୍ଟିକ୍” । ବୋଧହୁଏ ପ୍ରକାଶକ ମହୋଦୟଙ୍କୁ ମଧ୍ୟ ଏହା ବେଶୀ ଭଲ ଲାଗିଥିଲା, ସେଇଥିପାଇଁ ସେ ଏହି ପୁସ୍ତକର ନାମକରଣ ମଧ୍ୟ ତା’ରି ନାଁ ଅନୁସାରେ କରିଥିଲେ । ପ୍ରତ୍ୟେକ ଗପର ବିଷୟ ଛୁଇଁଯିବ ଆପଣମାନଙ୍କର ମନକୁ, ଯେଉଁଥିରେ ଆପଣ ହସିବେ, କାନ୍ଦିବେ, ମନେ ପକେଇବେ, ଅଙ୍ଗେ ନିଭେଇଥିବା କାହାଣୀକୁ ଭାବିବେ ଆଉ ପୁଣି ପରବର୍ତ୍ତୀ ଗପ ପାଇଁ ପୃଷ୍ଠା ଓଲଟାଇବେ ।

ଗଳ୍ପର ବିଷୟବସ୍ତୁକୁ ବାଦ୍ ଦେଲେ କେତେକ ସ୍ଥାନରେ ଅଣଦେଖା କରିବା ଭଳି ଭୁଲ ମଧ୍ୟ ଟିକିଏ ରହିଯାଇଛି, କିନ୍ତୁ ସେ ସବୁକୁ ନିଜର ସୁଧାରିନେବାକୁ ଅନୁରୋଧ ରହିଲା ଆଉ ହଁ ଆମର ଲେଖିକା ମହୋଦୟାଙ୍କୁ ଅନୁରୋଧ ଆଗକୁ ଏମିତି ସୁନ୍ଦର ସୁନ୍ଦର କାହାଣୀମାଳା ରଚନା କରନ୍ତୁ ଆଉ ଆମକୁ ପଢ଼ିବାର ସୁଯୋଗ ଦିଅନ୍ତୁ ।

ସଂଗ୍ରାମ କେଶରୀ ସେନାପତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।