ଆଜି ମୁଁ ବୁଝୁଚି ତୁ କିଆଁ ମିଛ କହୁଥିଲୁ,
ଅଳି କଲେ ଜିଦ୍ଦି କରି
ଆଜି ଦେବି କାଲି ଦେବି,
ହସି ହସି କହି ଦେଇ,
ନିରୋଳରେ କାନ୍ଦୁଥିଲୁ, ମୁଁହକୁ ତୁ ଲୁଚେଇ ।
ତୋ’ ଭୁଲା କଥାରେ, ମନ ମୋର ଭୁଲିଯାଏ,
ଖୋଜୁଥିବା ଜିନିଷକୁ,
ସହଜରେ ଦେଉଥିଲୁ ତୁ ଭୁଲେଇ ।
ମନାକଲେ ମନ ଭାଙ୍ଗେ, ବୁଝିଥିଲୁ ବୋଲି,
ମନା ତୁ ନକରି, ସବୁଦିନେ ଦେଉଥିଲୁ ଭଣ୍ଡେଇ ।
ସନ୍ତାନ ଆଖିରେ ଲୁହ, ଦେଖିବୁନି ବୋଲି,
ହେଉ ପଛେ ମିଛରେ ଆମକୁ ତୁ ଦେଉଥିଲୁ ହସେଇ ।
ଏବେ ମୁଁ ବୁଝୁଚି, ତୁ ଖାଲି ଏକା ନୁହେଁ
ଦୁନିଆର ସବୁ ବୋଉ ତୋ ପରି ମିଛେଇ ।।
– ଅନ୍ନପୂର୍ଣ୍ଣା ଧଳ