ମୋ ବିଶ୍ୱାସର ବିଶ୍ୱକୁ ମୁହୂର୍ତ୍ତକରେ,
ଭାଙ୍ଗି ଦେଲା ପରେ,
ମୋ ବର୍ଣ୍ଣବିଭା ପୃଥିବୀ
ଦିଶୁଥିଲା ଫିକା ଫିକା,
ହୃଦୟରେ ଜମି ଯାଉଥିଲା,
ପରସ୍ତ ପରସ୍ତ ଧୂଳି ।
ଆମ ସମ୍ପର୍କର ଡୋରି ସବୁ ଛିଡ଼ିଥିଲା
ବୁଢ଼ିଆଣି ଜାଲ ହେଇ ।
ମୁଁ ବି ଛିଣ୍ଡି ଯାଉଥିଲି,
ପୂର୍ଣ୍ଣମୀରୁ ଅମାବାସ୍ୟାର ଚାନ୍ଦ ପରି ।
ସାଉଁଟୁଥିଲି ଭାଙ୍ଗି ରୁଜି ଯାଇଥିବା,
ଆମ ପ୍ରେମ ଆଉ ପ୍ରଣୟର
ଭଙ୍ଗା ଆଇନାକୁ ।
କିନ୍ତୁ ପାରୁନଥିଲି,
ଛିଣ୍ଡା ସୂତାରେ ଗଣ୍ଠି ଦେଇ,
ଭଙ୍ଗା କାଚକୁ ଯୋଡ଼ି,
କ’ଣ ମଜବୁତ କରିହେବ ସମ୍ପର୍କକୁ,
କ’ଣ ଅକ୍ଷୁର୍ଣ୍ଣ ରଖିହେବ,
ଭୁଶୁଡ଼ି ପଡିଥିବା ତୁମ ମୋ ଭିତରର ବିଶ୍ୱାସକୁ ।
ନା ବରଂ ଭଲ ହେବ,
ଆମେ ବାଛିନେବା ଭିନ୍ନ ଭିନ୍ନ ପଥ,
ହେଇଯିବା ଦୁଇଟି ଅଚିହ୍ନା ବାଟର,
ଅପରିଚିତ ବାଟୋଇ ।
ନୀଳ ସ୍ୱପ୍ନର ଦରିଆରୁ,
ତୁମେ ଖୋଜିବ ଆଶାର ଲାଲ୍ କଇଁ,
ମନଭରି ଉପଭୋଗ କରିବ ଜୀବନକୁ ।
ମୁଁ ନଥିବି ତୁମ ସୁଖର ରାସ୍ତାରେ,
କଣ୍ଟାଟିଏ ହେଇ ଫୁଟିବାକୁ,
ତୁମ ଚଲାବାଟରେ,
ବିଛେଇଦେବି ଫୁଲର ଗାଲିଚା ।
ତୁମର ସବୁ ଛଳନାର ବିଷକୁ,
ପିଇଯାଉଥିବି ଅମୃତ ଭାବି,
ତିଳ ତିଳ କରି ଜଳୁଥିବି ମୁଁ,
ଆଉ ଦଗ୍ଧ ହେଉଥିବ ମୋର ଆତ୍ମା ।
ତଥାପି ମୋ ପ୍ରାଣର ସ୍ପନ୍ଦନ ଖୋଜୁଥିବ,
ତୁମର ଆଞ୍ଜୁଳାଏ ନିଷ୍କପଟ ସ୍ନେହ,
ମୁଠାଏ ଭଲପାଇବା,
ଆଉ ଚେନାଏ ବିଶ୍ୱାସ ।
– ସଂସ୍କୃତି ମହାନ୍ତି
Comments
ସଂସ୍କୃତି ମହାନ୍ତି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।