ଶୀତ ଆସେ ଦୀପାବଳୀ
ଝିଲି ମିଲି ରୋଷଣୀରେ
ଗୋଲାପ କଢ଼ିକୁ ଛୁଇଁ
ରଜନୀ ଗନ୍ଧାର ବାସ୍ନା
ଦେହରେ ପକାଇ,
ବିନ୍ଦୁ ବିନ୍ଦୁ ତୁଷାରରେ
ସତେ ଅବା ଦୁବ ଘାସ
ଯାଆନ୍ତି ଲାଜେଇ ।
ଶୀତ ଆସେ ଲୁଚି ଲୁଚି
ଶେଫାଳୀର ଓଠ ଛୁଇଁ,
କୁଆଁରୀ ଜହ୍ନର ସାଥେ
ଦୂର ଗାଆଁ ଖଳା ମେଢ଼ି
ପାହାଡ଼ି ଝରଣା ଡେଇଁ ।
ହସି ହସି ଶୀତ ଆସେ
ସୋରିଷ ଫୁଲର ସାଥେ
ପାଖ ଚାଷ କ୍ଷେତ ଡେଇଁ,
ଗର୍ଭଣୀ ଧାନର ଦେହେ
ମହ ମହ ସୁଗନ୍ଧ ଫୁଟାଇ ।
ଫୁଲେ ଫୁଲେ ରସ ଭରେ,
ସପନର ସିନ୍ଦୂକରେ
ସାଇତିବା ପାଇଁ
ମହୁମାଛି ଗୁଣୁ ଗୁଣୁ,
ପ୍ରଜାପତି ଫୁଲ ରେଣୁ
ରେଣୁ ସାଥେ ମିଶାଇବା ପାଇଁ ।
ଶୀତ ଆସେ କୃଷକର
ବେସୁରା ରାଗିଣୀ ଦେଇ,
ପୋଖରୀ ତୁଠର ସେଇ
କଅଁଳ ସୂରୁଜ ଛୁଇଁ;
ମାନିନୀ ତୁଳସୀ ମନ
ନେବାକୁ ଚୋରାଇ ।
ଶୀତ ଆସେ ନଈ କୂଳ, କିଆ ଫୁଲ,
ଆଖୁ ବାଡ଼ି ବାସ ଚହଟାଇ,
ଘଣ୍ଟ, ମାର୍ଦ୍ଦଳର ତାଳେ,
ହାତେ ଧରି ଚମ୍ପା ଫୁଲ,
ଅଦିନିଆ ବର୍ଷା ସାଥେ
ନଦୀ ନାଳ ପାଣି ଉଛୁଳାଇ ।
– ପଦ୍ମିନୀ ବାରିକ
Comments
ପଦ୍ମିନୀ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।