“ଗପ ନୁହେଁ ନିଚ୍ଛକ ସତ” ର ଅଂଶ
୧୯୯୯ ମସିହା ବାତ୍ୟା ପୁର୍ବବର୍ତ୍ତୀ ସମୟ, ମୁଁ ଖନ୍ତାପଡ଼ା ଖଳାବଜାରରେ (ଷ୍ଟେସନ ବଜାର) ରହୁଥାଏ । ସେଠିକା ବଜାର ଉପରେ ଆଖପାଖ ଗାଁ ଲୋକେ ନିର୍ଭର କରନ୍ତି । ସକାଳୁ ସକାଳୁ ବାଘାରେ ଯିବାପାଇଁ ଯେତେ ଗହଳି ହୁଏ ଯଦି ସେତିକି ଟିକଟ ଷ୍ଟେସନରେ ବିକ୍ରି ହୁଅନ୍ତା ବୋଧେ ଆୟ ଦୃଷ୍ଟିରୁ ଏକ ପ୍ରମୁଖ ଷ୍ଟେସନ ହୁଅନ୍ତା ଖନ୍ତାପଡ଼ା । ଲୋକାଲ ୨-୪ଟା ଛାଡ଼ିଲେ ସେପରି ପ୍ରମୁଖ ଟ୍ରେନ ଠିଆ ହୁଅନ୍ତିନି ତଥାପି ଗହଳିର କାରଣ ସେଇଟା ବିରଲା ଫ୍ୟାକ୍ଟ୍ରିର କୋଇଲା ଅନଲୋଡିଙ୍ଗ ସେଣ୍ଟର ହୋଇଥିବାରୁ ସବୁ ସମୟରେ ଶ୍ରମିକ କାମକରୁଥିବାର ଦେଖିବାକୁ ମିଳେ । ସେ ପାଖରେ ଲୋକଙ୍କ ଚାହିଦା ମେଣ୍ଟାଇବା ପାଇଁ ଅଳ୍ପ ଦୋକାନ ବଜାର ବି ଥାଏ । ଯଥା; କଟର ବଦନାମ ଢାବା, ଘୁଣ୍ଟ ଜଳଖିଆ ଦୋକାନ, ନାସିର ଟେଲର, ଅକାଲୁ ଔଷଧ ଦୋକାନ, ତେଲିର ତେଜରାତି, ପଣ୍ଡା ପାନ ଦୋକାନ ଆଉ ସର୍ବୋପରି ଅପେରା ଜଗତର ବିଖ୍ୟାତ ସଞ୍ଜୟ ଭୋଳଙ୍କ ଘର ସେଠାକାର ଫେମସ ଲ୍ୟାଣ୍ଡମାର୍କ । ତାଙ୍କ ସମ୍ପର୍କୀୟ ଭାଇ ବାବୁ ମୋ ସାଙ୍ଗ । ଟିକେ ଆଗକୁ ଗଲେ ଚନ୍ଦନିପୁର ଓ ବେଠିପୁର ଗାଁ, ଉଭୟ ଗ୍ରାମର ସୀମା କହିଲେ ଗୋଟିଏ ଛୋଟ କେନାଲ । ଏପଟେ ଚନ୍ଦନିପୁର ସେପଟେ ବେଠିପୁର । ସାଙ୍ଗମାନେ ମିଶି ଖଟି କରିବାର କୌଣସି ସୁଯୋଗ ଆମେ ଛାଡ଼ୁନା । କମଳ, ବନା, ବାବୁ, ଅକାଲୁ, ଅଶୁକ ଭାଇନା (ଅଶୋକ), ପାଗାନା, ଏଣ୍ଡ, ହରିଆକା, ସୁରେଶ, ମନା ମାହାନ୍ତି ଏମିତି ଅନେକ । ସେସମୟରେ ଅକାଲୁର ଖଳାବଜାରରେ “ରାଧାକୃଷ୍ଣ ମେଡିସିନ ଷ୍ଟୋର” ଥାଏ, ତା’ ଦୋକାନର ବିଶେଷତ୍ୱ ତମେ କିଛି ବି ପ୍ରେସକ୍ରିପସନ ନେଇ କି ଯାଅ ସବୁବେଳେ ତା’ର ଗୋଟିଏ ଉତ୍ତର, ଏଟା ନାହିଁ ପ୍ରତିବଦଳରେ ଦେମି? ସେ ତୁମକୁ ପ୍ରତିବଦଳ ଔଷଧ ହିଁ ଦେବ। ଲେଖା ଔଷଧ କସ୍ସିନ କାଳେ ମିଳିବନାହିଁ । ଆଜିକାଲି ସେ ନୀଳଗିରିରେ ଦୋକାନ କରିଛି ବୋଲି ଶୁଣୁଛି ।
ଦିନେ ଆମେ ବାବୁ, ଅକାଲୁ ଆଉ ମୁଁ ବାଲେଶ୍ୱର ବଜାରରେ ବୁଲାବୁଲି କରୁଥାଉ ଅସଲରେ ଅକାଲୁ କିଛି କାମରେ ଯାଇଥିଲା । ଫିଲିମ ହଲ୍ (ନାଁ ମନେପଡୁନି) ପାଖରୁ ଆମେ ଚାଲି ଚାଲି ଫକିର ମୋହନ ଗୋଲେଇ ଆଡ଼କୁ ଚାଲିଥାଉ ବାଟରେ ଅନ୍ୟ ଦୋକାନ ସହ କିଛି ଛୋଟ ଛୋଟ ହୋଟେଲ ବି ଥାଏ । ହୋଟେଲବାଲାର ଦୁର୍ଭାଗ୍ୟ କୁହ କି ଆମର ସୌଭାଗ୍ୟ କୁହ;
ଗୋଟିଏ ହୋଟେଲ ରଙ୍ଗ ଫଙ୍ଗ ଦିଆଯାଇ ନୂଆ ନୂଆ ଲାଗୁଥାଏ, ପିଲାଟିଏ ଆଜ୍ଞା ଆସନ୍ତୁ ଆଜ୍ଞା ଆସନ୍ତୁ କହି ଗ୍ରାହକ ମାନଙ୍କୁ ଡାକିବାରେ ତୃଟି କରୁନଥାଏ । ଆମକୁ ବି ଡାକିଲା, ଅକାଲୁ ପରିସ୍ଥିତିରୁ କ’ଣ ବୁଝିଲା କେଜାଣି କହିଲା ଚାଲବେ ଭିତରକୁ ଯିବା । ଆମେ ତିନିଜଣ ଯାଇ ଗୋଟେ ଟେବୁଲ ଅକ୍ତିଆର କଲୁ, ଆଉ ଜଣେ ଆସି ପଚାରିଲା ଆଜ୍ଞା ଧୁଷା (ଦୋଷା) ଦେମି? ଆମ ଉତ୍ତରକୁ ଅପେକ୍ଷା ନ କରି ସେ ତିନିଟା ମସଲା ଦୋଷା ଅର୍ଡର ଦେଇଦେଲା । ଦୋଷାକୁ ଆମେ ଉଦରସାତ୍ କରିସାରିବା ପରେ ମିଠା ଦେମି କି କହି ଛେନାପୋଡ଼ ୩ ପ୍ଲେଟ୍ର ବି ଅର୍ଡର ଦେଲା, ବୋଧେ ଜଣକା ୫୦ ଗ୍ରାମ ଭଳି ହେବ । ଏହି ସମୟରେ ଅକାଲୁ କହିଲା ତୁମେ ଦିଜଣ ବାହାରକୁ ଯା, ଆମେ ଭାବିଲୁ ସେ ପଇସା ଦେବ ତେଣୁ ଆମେ ବାହାରକୁ ଚାଲିଗଲୁ । ଅକାଲୁ ଖାଇସାରି ହାତ ପୋଛି ପୋଛି କାଉଣ୍ଟର ପାଖକୁ ଯାଇ ଖାଦ୍ୟ ଖୁବ୍ ସ୍ୱାଦିଷ୍ଟ କହି ଅନେକ ପ୍ରଶଂସା କଲା । ବିଲ୍ କଥା ଉଠିବାରୁ କହିଲା, ବେ କିସ ପଇସା? ଆମେ ରୁଡ୍ର ଯାଉଥିନେ ତୁମ ଛୁଆ ଆମକେ ଡାକିଲା । ବସିଲା ପରେ ଧୁଷା ଦିଅରେ, ପାଣି ଦିଅରେ, ମିଠା ଦିଅରେ ଡାକିଲା । ଆମେ ଭାବିଲେ ନୂଆ ଦୁକାନ ପୁଜା ପୁଜି ହଉଚି ଭୁଗ ଖାଇତେ ଡାକିଚେ ନା, ପରିସ୍ଥିତି କ୍ରମଶଃ ଖରାପ ଆଡ଼କୁ ଗଲା । ଅକାଲୁର ଉତ୍ତର ଥିଲା ମତେ ଗଣ୍ଡଗୁଳ କରିତେ ଭାରି ଭଲ ଲାଗେ, ତା’ ପରେ ଲୁକାଲ୍ ଛୁଆର ଧମକ ଦେଇ ବାବୁ ସଦର୍ପରେ ବାହାରିଲେ ।
ଆଗକୁ “ମହାବାତ୍ୟା ପରେ ରିଲିଫ ସେବା”
Comments
ସ୍ୱର୍ଗତ ଅଖିଳ ନାରାୟଣ ଦାସ ନିଶାରେ ଜଣେ ଭ୍ରମଣକାରୀ ଥିଲେ । ସେ ଭ୍ରମଣ କାହାଣୀ ରଚନା କରିବା ସହିତ ଅନେକ ମଜାଳିଆ ଗପ କବିତା ଆଦି ରଚନା କରିଥିଲେ । ଯେତେବେଳେ ଇଣ୍ଟରନେଟରେ ଓଡ଼ିଆ ଭାଷାର ସ୍ଥାନ ନଗଣ୍ୟ ଥିଲା, ସେତେବେଳେ ସେ ଓଡ଼ିଆରେ ଗପ ଓ କବିତା ଆଦି ତାଙ୍କ ବ୍ଲଗ୍ରେ ସେୟାର୍ କରୁଥିଲେ ଏବଂ ଟୁଇଟର୍ରେ ଖିଲିଖିଲିଆ ତଥା ନାକଟା ଚିତ୍ରକର ଭାବରେ ସେ ବେଶ୍ ଜଣାଶୁଣା ଥିଲେ ।