ରେ ଓଡ଼ିଆ ! ତୋର ମନେ ଅଛି ସେ ବେଳ?
ଗାଁ ଦାଣ୍ଡେ ଧୂଳି ଉଡ଼େଇ ପକେଇ କାନ୍ଧେ ବସ୍ତାନି
ଯେବେ ଅଗଣାରେ ଚିଲଉଥିଲୁ ବୋଉ ! ବାଢ଼େ ପଖାଳ !
ଗେହ୍ଲା ସନ୍ତାନର ଡାକ ଶୁଣି ବୋଉର ପୂରୁଥିଲା ମନ,
ବେଗେ ଯାଇ ସଜାଉଥିଲା ପଖାଳ କଂସା ସାଥେ
ତିଅଣ, ବଡ଼ିଚୂରା ଖାଇବବୋଲି ତା’ ପ୍ରାଣଧନ ।
ଅଗଣାରେ ପକେଇଦେଇ ଆସନ ଡାକି ବଡ଼ ସରାଗେ,
କୋଳରେ ବସେଇ ମୁଣ୍ଡକୁ ଦେଇ ନୁଆଇଁ
ପାଟିରେ ଭରି ଦେଉଥିଲା ପଖାଳର ଗୁଣ୍ଡା ବେଗେ ।
ପଖାଳ ଗୁଣ୍ଡା ନୁହେଁ ସତେ ସେ ସରଗର ଅମୃତ କଳସୀ,
ବୋଉ ହାତ ବାଜି ପାଲଟିଛି ସତେ ମୃତ୍ୟୁ ସଞ୍ଜିବନୀ
ଦୁଃଖ କି କଷ୍ଟ ପାରିବନି ଛୁଇଁ କେବେ ଆସି !
ସକାଳ, ସଞ୍ଜ ସତେ ଅଧିକାର କରିଥିଲା ପଖାଳ କଂସା,
ମନେ ଅଛି ତୋ’ର ଓଡ଼ିଆ ବାପା ଆସି ଗୋଡ଼ ହାତ ଧୋଇ
କୁହନ୍ତି ବେଗେ ବାଢ଼ ପଖାଳ ମୁଠେ ବୁଡ଼ିଲାଣି ହଂସା ।
ବୋଉ ପୁଣି ଦଉଡ଼ିଯାଏ ସରାଗେ ବାଢ଼ିବାକୁ ଅମୃତ,
ଓଡ଼ିଆର ସେ ଥକା ପ୍ରାଣରେ ଭରି ଟିକେ ତୃପ୍ତି
କରିବାକୁ ଦିନଭରା ଖଟଣିରୁ ଟିକେ ବିରାମ ଆଉ ମୁକ୍ତ ।
ବୋଉ ଆଉ ପଖାଳର ସମ୍ପର୍କ ସତେ ଯେମିତି ଜଡ଼ିତ,
ପରସ୍ପର ସହ ସ୍ନେହ ଓ ମମତାର ପ୍ରତିମା ହେଇ
ନିଜ ନାମରେ କରିଛନ୍ତି ଓଡ଼ିଆ ଜାତିକୁ ପରିଚିତ ।
ସଂସାରରେ ଯେ ରଚେ ମାୟା ବଡ଼ ଦେଉଳେ ବସି,
ସେ ନିଜେ ବନ୍ଧା ପଖାଳ କଂସା ମୋହମାୟାରେ
ଭାଇ, ଭଉଣୀ ସାଥେ କାଳିଆ ସୁନା ଆନନ୍ଦେ ମିଶି ।
ରେ ଓଡ଼ିଆ ! ପଖାଳ ନୁହେଁ ଖାଲି ତୃପ୍ତି ପେଟ ଭୋକର,
ଇଏ ଏଇ ଜାତିର ଗୌରବ ଆଉ ପ୍ରତୀକ
ରଖିବୁ ଏହାକୁ ବଞ୍ଚେଇ କଟିଗଲେ ସୁଦ୍ଧା ଶିର
ତେବେ ସିନା କହିବୁ ଛାତି ଫୁଲେଇ ମୁଁ ଓଡ଼ିଆ ମାଟିର !
– ସୁଶ୍ରୀ ସଙ୍ଗୀତା ସେଠୀ
Comments
ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।