ମାଆ
ଏକ ଉପମା ବିହୀନ ଶବ୍ଦ,
ବଖାଣି ପାରିବିନି ମାଆର ମହତ୍ତ୍ୱ
ଛନ୍ଦ ଅଳଙ୍କାର ଶବ୍ଦ ଚାତୁରତାରେ ॥
ଦେଇ ପାରିବିନି କାବ୍ୟିକ ରୂପ
ମାଆର ତ୍ୟାଗ ବାତ୍ସଲ୍ୟ
ମମତାକୁ ଲେଖନୀ ମୁନରେ ॥
ମାଆକୁ ନେଇ କବିତା !
ନା ମୋ ପକ୍ଷରେ ସମ୍ଭବ ନୁହଁ ।
ମାଆର ସର୍ତ୍ତବିହୀନ ପ୍ରେମ
ଆଗରେ ମୂଲ୍ୟହୀନ ମୋ ଲେଖନୀ ॥
କାଲି ଯିଏ ମାଆ ଶବ୍ଦ ସହ
ଦି ଅକ୍ଷରୀର ଯୋଗ କରି
ମହନତାର ପରିଚୟ ଦେଉଥିଲା ।
ଆଜି ଭୋର ସକାଳୁ
ମାତୃ ଦିବସର ଶୁଭେଚ୍ଛା ବାର୍ତ୍ତା ଦେଉଛି ॥
ଘରର କେଉଁ କୋଣରେ ମାଆକୁ
ଜାଗା ଦେଇଥିବା ଲୋକ,
ଆଜି ପଲଙ୍କରେ ବସେଇ
ମାଆ ସହ ସେଲ୍ଫି ନେଇଛି ॥
ଧିକ ତୁମ ଆଚରଣ ଉଚ୍ଚାରଣକୁ ॥
ଆରେ ଯେଉଁ ମାଆକୁ
ବୋଝ ବୋଲି ଫୋପାଡ଼ି ଦେଇଛ ।
ଥରେ ଆଖି ପକାଅ ବୃଦ୍ଧାଶ୍ରମରେ
ଆଜି ବି ସେ ବୁଢ଼ୀ ମାଆ
ପ୍ରତି ସକାଳୁ ପୁଅ ଜିଉତିଆ କରୁଛି ॥
– ଅଶ୍ୱିନି କୁମାର
Comments
ଅଶ୍ୱିନି କୁମାର ବାଗ ନବରଙ୍ଗପୁର ଜିଲ୍ଲାର ଚକଳାପଦର ଝରିଗାଁ ସ୍କୁଲରେ ଜଣେ ସରକାରୀ ଶିକ୍ଷକ ଭାବରେ କାର୍ଯ୍ୟରତ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି ।