କଟକ ପାରାଦ୍ୱୀପ ରାସ୍ତାର, କନ୍ଦରପୁର ଛକ; ସମୟ ସନ୍ଧ୍ୟା ସାଢ଼େ ଛଅଟା ପାଖାପାଖି ହେବ । ଟୋଲ୍ ଗେଟ୍ ପାରି ହୋଇ ଯାଉ ଯାଉ ହଠାତ୍ ରାସ୍ତା ପାର୍ଶ୍ୱରେ କରୋନା ଭାଇରସ ଲେଖା । ଆଉ ଭିଡ଼ ଦେଖି ମୁଁ ବି ଠିଆ ହୋଇଗଲି । ଟିକେ ଦୂରରେ ବାଇକ୍କୁ ରଖି ଚାଲିଲି ଦେଖିବାକୁ କଥା କ’ଣ? ପାଖରେ ପହଞ୍ଚି ଦେଖିଲା ବେଳକୁ ଗୋଟିଏ ମାଆ କୁକୁର, ଆଉ ତିନୋଟି ଛୋଟ କୁକୁର ଛୁଆଙ୍କ ଗୋଡ଼ ବାନ୍ଧି ଦେଇ, ତାଙ୍କ ପିଠିରେ ବଜ୍ରକାପ୍ତାର ଷ୍ଟିକର ମରା ହୋଇଛି । ଛୁଆ ତିନୋଟି ମା’ଠାରୁ କ୍ଷୀର ପିଉଛନ୍ତି, ଆଉ ମାଆ କୁକୁରଟି ଶୋଇକି ନିଜ ଛୁଆଙ୍କୁ ଚାଟୁଚି । କିଛି ଯୁବକ କହୁଛନ୍ତି, ହେ ଦେଖନ୍ତୁ, ଏ ବ୍ରଜକାପ୍ତା କରୋନା ଭାଇରସର ମୁଖ୍ୟ କାରଣ । ଏମିତି କହି ମଝିରେ ମଝିରେ ମା’ କୁକୁରକୁ ଖେଞ୍ଚି ଦେଉଛନ୍ତି । ଲୋକମାନେ ମଧ୍ୟ ବେଶ୍ ମଜାରେ ଏହାକୁ ଉପଭୋଗ କରୁଛନ୍ତି । ଏସବୁ ଦେଖି ଏଭଳି ଆଚରଣ କରୁଥିବା ଯୁବକମାନଙ୍କୁ “ଭାଇ କାହିଁକି ଏମିତି କରୁଛ, ଛୋଟ କୁକୁର ଆଖି ଫିଟି ନାହିଁ, ଛାଡ଼ି ଦିଅନ୍ତୁ ନା” କହିବା ପରେ, ଯୁବକମାନେ କହିଲେ, “ହଁ ଭାଇ ଟିକେ ମଜା କରିବା କଥା, ଛାଡ଼ି ଦେବୁ ।” ଆଉ ମୁଁ ମୋ ବାଇକ୍ ଆଡ଼କୁ ଫେରିଲି ।
ଆଉ ମୁଁ ମୋ ବାଇକ୍ ଉପରେ ବସୁ ବସୁ ହଠାତ୍ ଆଗ ଆଡ଼ି ଗୋଟିଏ ଦାମୀ ଚାରିଚକିଆ ଯାନ ଆଉ ଗୋଟିଏ ଗାଡ଼ିକୁ ଅତିକ୍ରମ କରିବାକୁ ଯାଇ ମାଡ଼ି ଆସିଲା, ଯୁବକମାନେ ହଟି ଗଲେ, ହେଲେ ରାସ୍ତା କଡ଼ରେ ଗୋଡ଼ ବନ୍ଧା ହୋଇଥିବା କୁକୁର ଆଉ ଛୁଆ ହଟି ପାରିଲେ ନାହିଁ ଏବଂ ତାଙ୍କ ଉପରେ ଆଖିପିଛୁଳାକେ ଚଢ଼ି ଗଲା । ନିମିଷକ ମଧ୍ୟରେ ଚାରୋଟି ନିଷ୍ପାପ ଜୀବନ ସେହି ଯୁବକମାନଙ୍କ ଟିକିଏ ଖୁସି ପାଇଁ ବଳି ପଡ଼ିଗଲା। ଏଭଳି କରୁଣ ଚିତ୍ର ଦେଖି ଆଖି ବନ୍ଦ ହୋଇଗଲା । ଆଉ ଆଖି ଖୋଲିଲା ପରେ କୁକୁରମାନଙ୍କ ଖଣ୍ଡ ବିଖଣ୍ଡିତ ମାଂସ ଆଉ ରକ୍ତ ରାସ୍ତା ସାରା ପଡ଼ିଥିଲା । ମୁଁ ହତବାକ୍ ନିଶବ୍ଦ ଥିଲି । ଏତିକି ବେଳେ ସେ ଯୁବକମାନେ ଯୋରରେ ଦୌଡ଼ି ପଳେଇଲେ । କିଛି ସମୟ ପାଇଁ ମୁଁ ଭାବିଲି ମୁଁ କ’ଣ ସେ ରକ୍ତ ମାଂସକୁ ଡେଇଁ ଆଗକୁ ଯାଇପାରିବି? ମୁଁ ବି ଏଥିପାଇଁ ଦାୟୀ । ଦଶ ମିନିଟ ପାଇଁ ଠିଆ ହେବା ପରେ ନିର୍ଲଜ ଭାବରେ ମୁଁ ବି ସେଇ ରକ୍ତ ମାଂସକୁ ଡେଇଁ କଟକ ଅଭିମୁଖେ ଆସିଲି ।
ତେବେ ମନରେ ଅନେକ ପ୍ରଶ୍ନ ଏବେ ବି ଉଙ୍କି ମାରୁଛି, କରୋନା ଭାଇରସ କ’ଣ? ପ୍ରକୃତି ପ୍ରତି ଏହି ନିର୍ଦୟତା ତ? ପୁରା ବିଶ୍ଵ ଆଜି ଯେଉଁ କଠିନ ସମୟ ଦେଇ ଗତି କରୁଛି, ସେଥିପାଇଁ ମଣିଷ ହିଁ କେବଳ ଦାୟୀ । ନିଜର ସୁଖ ଆଉ ସୌଖିନ ଜୀବନ ପାଇଁ ପ୍ରତିଟି ମୁହୂର୍ତ୍ତରେ ସ୍ରଷ୍ଟାର ସୃଷ୍ଟିକୁ ନଷ୍ଟ କରିଚାଲିଛି ମଣିଷ । ଭାରତୀୟ ସଂସ୍କୃତି ଏହାର ପରିପନ୍ଥୀ ନୁହେଁ । ମାତ୍ର ଆମମାନଙ୍କ ଜୀବ ଆଉ ଜନନୀ ପାଇଁ ବଢ଼ୁଥିବା ଏହି ହିଂସ୍ର ଆଚରଣ ଆମକୁ ମଧ୍ୟ ଖୁବଶୀଘ୍ର ବିନାଶ ଆଡ଼କୁ ନେଇଯିବ ଏଥିରେ କୈାଣସି ସନ୍ଦେହ ରହିବା ଅନୁଚିତ୍ ।
ଶେଷରେ ଏତିକି କହିବି “କରୋନା” ଭଳି ଭାଇରସ୍ ସୃଷ୍ଟି କରିବାରୁ ନିବୃତ ରୁହନ୍ତୁ, ଜୀବମାନଙ୍କ ପ୍ରତି ମନରେ ଦୟା ଆଣନ୍ତୁ ।
– ସତ୍ୟବ୍ରତ ପରିଡ଼ା