ଏତେ ସବୁ କୁହୁକ କେମିତି ହୁଏ,
ତୁମେ ସାଥିରେ ଥିଲେ
ସତରେ ସାରା ସଂସାର,
ଅଲଗା ଅଲଗା ଲାଗେ
ଥୁଣ୍ଟା ଗଛରେ ବି,
ଜମୁନାର କଦମ୍ବ ମହକ ଆସେ ।
ତୁମ ମିଠା ମିଠା ସୁଗନ୍ଧରେ
ପବନ, ଚହକି ମହକି ଯାଏ,
ଅମା ଅନ୍ଧାର ରାତିରେ ବି,
ଚାନ୍ଦିନୀର ମିଠା ପ୍ରହେଳିକା,
ଜୋଛନାର ଚାଦରରେ ଢାଙ୍କିଦିଏ
ବନ ଉପବନେ ମୂରଲୀର ଝଙ୍କାର ଶୁଭିଯାଏ,
ମିଳନର କେଉଁ ଏକ ରାଗ,
ସତେ ଅବା କିଏ ଗାଇଯାଏ ।
ଘୋର ବୈଶାଖରେ,
ମଳୟ ପବନ ବହେ,
ସତେ ଅବା, ଅଭିଆଡ଼ି ଝିଅଟିଏ,
ଲାଜେଇ ଲାଜେଇ,
ଛୁଇଁଯାଏ ଦେହକୁ ମୋର,
ପୁଣି ଫିକ୍ କିନା ହସିଦେଇ
ଧାଇଁଯାଏ ହରିଣୀ ଚାଲିରେ ।
ମଳୟର ବାଆରେ,
ଚାନ୍ଦିନୀଧୁଆ ଏଇ ମଧୁକୁଞ୍ଜେ,
ଛମ୍ ଛମ୍ ପାଉଁଜୀର ଛନକ ଦେଇ,
ହଜିଯାଏ କାନନ କନ୍ଦରେ ।
ସତରେ ଏତେ ସବୁ କୁହୁକ ହୁଏ,
ନା’ ଏ ସବୁ ତୁମ ସଙ୍ଗତର
ମଦହୋସ ଅସର?
ତୁମ ସାନ୍ନିଧ୍ୟରେ, ତୁମରି ସମ୍ମୋହନ
ଘେରିଯାଏ ଚଉଦିଗେ ।
ସତେ ଅବା କୁହୁକିନୀ ମାୟାଜାଲ,
ଅଥବା କାହା ମାୟାବିନୀ ଚକ୍ଷୁ ବନ୍ଧନୀରେ
ଅନ୍ଧ ଦୁଇ ଆଖି ମୋର,
କେବଳ ସେହି ସବୁ ଦେଖେ,
ଆନମନା ହୋଇଯାଏ,
ପ୍ରେମମୟୀ ତୁମ,
ରାଧୀକା ପ୍ରଣୟ ସ୍ପର୍ଶରେ ।
ଯେତେ ସବୁ ଅନୁଭବ,
ସତ, ଅବା ସ୍ୱପ୍ନ,
କିମ୍ବା ତୁମ ସମ୍ମୋହନ ଯାଦୁରେ,
କେବଳ ତାହା ଦେଖେ, ତାହା ଶୁଣେ,
ତାହା ଅନୁଭବ କରେ,
ଯାହା, ତୁମେ ମୋତେ
ଦେଖାଇବାକୁ ଚାହଁ
ଏବଂ ଅନୁଭବ ଦେବାକୁ ଚାହଁ?
– ବିନୟ ମହାପାତ୍ର
Comments
ବିନୟ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ତାଙ୍କ ନିଜ ବ୍ଲଗ୍ରେ ଆପଣମାନେ ପ୍ରତ୍ୟେକଦିନ ମଧ୍ୟ ପଢ଼ିପାରିବେ ।