ଅପରାଜିତା

Odia Story Aparajita (ଅପରାଜିତା) by Subrat Kumar Senapati

ଝର୍କା ଖୋଲିଦେଲେ ଦେଖାଯାଏ ଧାଡ଼ି କି ଧାଡ଼ି ଘର । ଘର ଉପରେ ଛନ୍ଦାଛନ୍ଦି ହୋଇ ଯାଇଥିବା ଇଲେକ୍ଟ୍ରି ତାର ସବୁ । ଦେଖାଯାଏ ବି ଅନତିଦୂରରେ ଛିଡ଼ା ହୋଇଥିବା ସେ କୃଷ୍ଣଚୂଡ଼ା ଗଛଟି, ଯାହା ଅପ୍ରେଲର ଡହଡ଼ହ ଖରାରେ ବି ଖୁବ ଚମକୁଥାଏ ଯେମିତି ଏବେ ବି ଚମକେ ବୋଉ ମଥାର ସିନ୍ଦୂର ଆଉ ବାପାଙ୍କ ସୁନ୍ଦର ମୁହଁରେ ସେ ପରିତୃପ୍ତିର ହସ ଯାହାକୁ ଦୂରରେ ଥାଇ ଖୁବ୍ ଝୁରେ ସାଗରିକା । ମାଆ ମଥାର ସେ ଆଠଣିକିଆ ସିନ୍ଦୂର ଟୋପାଟା ଏବେ ବି ଚମକୁ ଥିବ ନିଶ୍ଚୟ; କିନ୍ତୁ ବାପାଙ୍କ ମୁହଁର ହସ ଆଉ କ’ଣ ପୂର୍ବ ପରି ଥିବ? ଓହୋଃ ଆଉ ବେଶି ଭାବିପାରେନା ସାଗରିକା ସେ ବିଷୟରେ । ଭାବିବା ମାତ୍ରେ ହିଁ ଏ ଦାରୁଣ ଅପ୍ରେଲର ସେହି ରକ୍ତଭରା ଜାନ୍ତବୀୟ ଦୃଶ୍ୟ ପୁଣି ଥରେ ତା’ଆଖି ସାମ୍ନାରେ ନାଚିଉଠେ । ଲାଗେ ଯେମିତି ତା’ସାରା ଦେହରେ ନିଆଁ ଚରିଯାଇଛି ଅବା କେଉଁ ଏକ ହିଂସ୍ର ଶ୍ୱାପଦ ତା’କୁ ବାରମ୍ବାର ଦଂଶିଚାଲିଛି ଆଉ ସେ ସେହି ଦଂଶନର ଜ୍ୱାଳାକୁ ସହ୍ୟ କରି ନ ପାରି ସେ ବିଳାପ କରୁଛି; କିନ୍ତୁ ଏ ବିଳାପ, ପ୍ରଳାପ ସବୁ ତୁଚ୍ଛ, ଅର୍ଥହୀନ ।

ସେ ବି ଦିନେ ବିଳାପ କରିଥିଲା । ଏମିତି ଏକ ଅପ୍ରେଲର ଦ୍ୱିପ୍ରହର ବେଳାରେ, ଯେତେବେଳେ ଅଚିହ୍ନାପୁରୁଷ ଦୁଇଟି ତା’କୁ ଅପହରଣ କରି ନେଇଯାଇଥିଲେ ଗାଡ଼ିରେ ବସାଇ ସମସ୍ତଙ୍କ ସମ୍ନାରୁ; ପୁଣି ବିଳାପ କରିଥିଲା ସେହି ପଶୁମାନଙ୍କର ପାଶବିକ କ୍ରିୟାର ଶିକାର ହେଲାବେଳେ । ସେ ବିଳାପ ସେତିକିରେ ଅନ୍ତ ହୋଇ ନଥିଲା; ବରଂ ସେ ବିଳାପ କ୍ରମଶଃ ବ୍ୟାପିଥିଲା ଘରୁ ଡାକ୍ତରଖାନାକୁ, ଡାକ୍ତରଖାନାରୁ ପୋଲିସଷ୍ଟେସନକୁ, ପୋଲିସଷ୍ଟେସନରୁ ନ୍ୟାୟାଳୟକୁ । ସେ ବିଳାପ ବେଶ୍ କିଛିଦିନ ଥରାଇ ଦେଇଥିଲା ସାରା ଓଡ଼ିଶାକୁ, ରାଜଧାନୀକୁ । ବେଶ୍ କିଛି ଦିନ ପୁଣି ହଇଚଇ ସୃଷ୍ଟି କରିଥିଲା ବିଧାନସଭାରେ, ଗଣମାଧ୍ୟମରେ ବିଶେଷ କରି ନ୍ୟୁଜ୍ ଚ୍ୟାନେଲମାନଙ୍କରେ । ହେଲେ ଏ ବିଳାପ ଅଦ୍ୟାବଧି ତା’କୁ ଦେଇପାରୁ ନଥିଲା ନ୍ୟାୟ; ବରଂ ଏ ବିଳାପ ଛଡ଼ାଇ ନେଇଥିଲା ତା’ଠୁଁ ମାନସିକ ଶାନ୍ତି, ସମ୍ମାନ, ସ୍ୱପ୍ନାତୁର ଜୀବନବୋଧ, ସାବଲୀଳ ଜୀବନ ଜୀଇଁବାର ସଂଜ୍ଞା; ଏମିତିକି ତା’ପ୍ରିୟର ସହର ଭୁବନେଶ୍ୱର ।

ଭୁବନେଶ୍ୱରରେ ହିଁ ତା’ର ଜନ୍ମ । ସ୍କୁଲ-କଲେଜ ପଢ଼ା ଆଉ ପରିଶେଷରେ ସେହି ଭୁବନେଶ୍ୱରରୁ ହିଁ ସେ ଖୋଜିପାଇଥିଲା ତା’ମନର ମଣିଷ ଆଲୋକକୁ । ଭୁବନେଶ୍ୱରର ଯେତେସବୁ ପାର୍କ, ବଡ଼ବଡ଼ ରେଷ୍ଟୁରାଣ୍ଟ ଓ ଆୟୋନେକ୍ସ ସିନେମାହଲ ସେମାନଙ୍କ ପ୍ରେମର ମୂକସାକ୍ଷୀ ବି କୁହାଯାଇପାରେ । ଏଇ ସହରରେ ସେ ଦୁହେଁ ଦିନେ ଉଡ଼ିବୁଲୁଥିଲେ ପ୍ରେମର ଦୁଇ ରଙ୍ଗିନ ପ୍ରଜାପତି ପରିକା । ଏମିତିକି ଯଦିଓ ବିବାହ ପରେ ସାଗରିକା ଆଲୋକ ସହ ଏକ ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିଲା; କିନ୍ତୁ ସେମାନେ ସେହି ଭୁନେଶ୍ୱରରେ ହିଁ ରହୁଥିଲେ । କାହିଁକି ନା ଆଲୋକର ନିଯୁକ୍ତି ଭୁବନେଶ୍ୱରରେ ହିଁ ହୋଇଥିଲା । ଆଲୋକ ଅଫିସ୍ ଚାଲିଯିବା ପରେ ପ୍ରଚୁର ସମୟ ମିଳୁଥିଲା ସାଗରିକାକୁ । ଆଉ ସେ ସମୟ ସବୁକୁ ଟିକିଏ ବି ବ୍ୟର୍ଥ ହେବାକୁ ଦେଉ ନଥିଲା ସାଗରିକା । ତିଳତିଳ କରି ଉପଭୋଗ କରୁଥିଲା ସେ ଫାଙ୍କା ସମୟସବୁକୁ । ସେ ଫାଙ୍କା ସମୟରେ ଘରକୁ ବେଶ୍ କରି ସଜାଉଥିଲା । ପ୍ରତି ସପ୍ତାହରେ ଝରକାର ପର୍ଦ୍ଦା ବଦଳାଉଥିଲା, ଫୁଲଦାନୀର ପ୍ଳାଷ୍ଟିକଫୁଲ ସବୁକୁ ଧୋଇ-ପୋଛି ସଫା କରୁଥିଲା, ନେଟରେ ସର୍ଚ୍ଚ କରି ଇନଡ଼ୋର୍ ପ୍ଲାଣ୍ଟ ସବୁ ଅର୍ଡର କରୁଥିଲା । ଆଲୋକ ପାଇଁ ନୂଆ ସ୍ୱେଟର ବୁଣୁଥିଲା । କାମ କରୁକରୁ ଥକିପଡ଼ିଲେ କାଗଜକଲମ ଧରି ବସିଯାଉଥିଲା । ତା’ ସଙ୍ଗୁପ୍ତ ମନର ଭାବନା ସବୁ ଉତୁରି ଆସୁଥିଲା କବିତା ହୋଇ ଏ କଲମ ଦେଇ, ଆଉ ନିହାତି ବୋର୍ ହେଲେ ସାଗରିକା ଅଳ୍ପ ସମୟ ପାଇଁ ଚାଲିଯାଉଥିଲା ମାଆ ଓ ବାପାଙ୍କୁ ଟିକେ ଦେଖା କରିବା ପାଇଁ; ଆଉ ସେହି ବାହାନାରେ ବି ମାଆ’ଠୁ ଶିଖି ନେଉଥିଲା ନୂଆ ନୂଆ ଡିସ୍ ଯାହାକୁ କେବେକେବେ ନିଜେ ତିଆରି କରି ଶ୍ରଦ୍ଧାର ସହ ପରଷି ଦେଉଥିଲା ଆଲୋକକୁ ।

ଆଜି କିନ୍ତୁ ବଦଳିଯାଇଛି ସମୟ, ସହର, ପ୍ରିୟତମ ମଣିଷ ଆଉ ଖୋଦ୍ ସେ ନିଜେ ମଧ୍ୟ । ଭୁବନେଶ୍ୱର ଛାଡ଼ି ହାଇଦ୍ରାବାଦ ଆସିବାବେଳେ ସାଗରିକା ଯେମିତି ଛାଡ଼ି ଦେଇଆସିଛି ତା’ର ସବୁଇଚ୍ଛା, ରୁଚି, ଆଗ୍ରହ; ଆଉ ଭୁଲିଯାଇଛି ଜୀବନକୁ ଅଲଗା ଭାବେ ଜୀଇଁବାର କଳାକୁ । ଭୁବନେଶ୍ୱର ଛାଡ଼ି ଆସିବାବେଳେ ଆଲୋକ ତା’କୁ କହିଥିଲା -“ଯେଉଁ ସହରକୁ ତୁମେ ଏତେ ଭଲପାଇଥିଲ ପ୍ରତିବଦଳରେ ସେ ସହର ତୁମକୁ ଦେଲା କ’ଣ? କେବଳ କ୍ଷତ, ଯନ୍ତ୍ରଣା? ମୁଁ ଜାଣେ ଏ କ୍ଷତ, ଯନ୍ତ୍ରଣାର ଉପଶମ ନାହିଁ; କିନ୍ତୁ ଏକଥା ବି ଜାଣେ ଏଠି ରହିଲେ ସେ କ୍ଷତ ତୁମ ମନ ଓ ପ୍ରାଣକୁ ଆହୁରି କ୍ଷତାକ୍ତ କରି ତୋଳୁଥିବ ସାରାଜୀବନ ।” ଯଦିଓ ସେତେବେଳେ ଭୁବନେଶ୍ୱର ଛାଡ଼ିବାର ଦୁଃଖ ସାଗରିକାର ମନକୁ ଆନ୍ଦୋଳିତ କରିଥିଲା; କିନ୍ତୁ ଆଲୋକର ତା’ପ୍ରତି ଥିବା ଯତ୍ନଶୀଳ ମନୋଭାବକୁ ଲକ୍ଷ୍ୟ କରି ବେଶ୍ ଖୁସି ବି ହୋଇଥିଲା । ହେଲେ ସେ ଖୁସିର ଚମକ ବେଶିଦିନ ରହି ନ ଥିଲା । ହାଇଦ୍ରାବାଦ ଆସିବା ପରେ ସାଗରିକା ଅନୁଭବ କରିଥିଲା ଆଲୋକର ଭୁବନେଶ୍ୱର ଛାଡ଼ିବା ପଛରେ ତା’ ଖୁସିର କାରଣ ନୁହଁ; ବରଂ ଆଲୋକର ପଳାୟନପନ୍ଥିତା ମନୋବୃତ୍ତି ହିଁ ନିହିତି ଥିଲା । ସେ ନିଷ୍ଠୁରସତ୍ୟ ଓ ବାସ୍ତବତାକୁ ଆଦୌ ଗ୍ରହଣ କରିପାରୁ ନଥିଲା, ତା’କୁ ଯେମିତି ଲାଗୁଥିଲା ଏ ସହରର ପ୍ରତିଟି ଦପ୍ତରରେ, ହାଟରେ, ଛକରେ, ଗଳିରେ, ଚା’ଦୋକାନରେ କେବଳ ଆଲୋଚିତ ହେଉଛି ସେଇ ଗୋଟିଏ କଥା । ସହରର ପ୍ରତିଟି ମଣିଷଠୁଁ ଆରମ୍ଭ କରି ବୁଲାଷଣ୍ଢ, କୁକୁର ପର୍ଯ୍ୟନ୍ତ ସମସ୍ତେ ଯେମିତି ତାକୁ ପରିହାସ କରି କହୁଛନ୍ତି -ସେ ଏକ ଧର୍ଷିତା ସ୍ତ୍ରୀଲୋକର ସ୍ୱାମୀ ।

ଆଲୋକର ମନୋଭାବକୁ ବେଶ୍ କରି ବୁଝି ସାରିବା ପରେ ସାଗରିକା ଅନୁଭବ କରିଥିଲା କଇଁନାଡ଼ ପରି ଯେମିତି ସିଝିଆସୁଛି ସେମାନଙ୍କ ଦାମ୍ପତ୍ୟ ଜୀବନ । ସେମାନଙ୍କ ସ୍ୱପ୍ନର କିଆରିରେ ଯେମିତି ଲାଗିଯାଇଛି ଅବିଶ୍ୱାସ, ହୀନମନ୍ୟତା, ଘୃଣାର ମାରାତ୍ମକ ପୋକ; ଆଉ ତାଙ୍କ ଛୋଟ ପରିବାରଟା ପାଲଟିଯାଇଛି ଗୋଟେ ଘୁଣଖିଆ ବାଉଁଶ । ସାଗରିକା ଏ କଥା ଭାବି ଆଶ୍ଚର୍ଯ୍ୟ ହେଉଥିଲା ଯେ, ଯେଉଁ ମଣିଷର ଛାତିରେ ତା’ଆଖିରେ ବିନ୍ଦୁଏ ଲୁହ ଦେଖିଲେ ଆପଣାଛାଏଁ ସୃଷ୍ଟି ହେଉଥିଲା ଭୂମିକମ୍ପ ସେହି ମଣିଷଟା କେମିତି ଆଜି ବୁଝିପାରୁନି ତା’କରୁଣ ଆଖିର ଭାଷାକୁ? ଏ କଥା ସତ ଯେ, ସେ କାଳବୈଶାଖୀଟା ସେମାନଙ୍କ ଜୀବନପଥରେ ଅଦିନରେ ବହିଯିବା ପରେ ଅକଥନୀୟ ମାନସିକ ଅଶାନ୍ତି ଭୋଗ କରୁଛନ୍ତି ସେ ଓ ଆଲୋକ କିନ୍ତୁ ଏ ଅଶାନ୍ତିର ଜ୍ୱାଳା ଆଲୋକ ଠୁଁ ତ ଅଧିକ ଭୋଗିଛି ଓ ଭୋଗୁଛି ସେ ।

ସେ କାଳବୈଶାଖୀ ନଷ୍ଚ କରିଦେଇଛି ତା’ ସବୁଜିମାକୁ । ଦେହର କ୍ଷତ ସହ ମନର କ୍ଷତକୁ ଉଖାରିଚାଲିଛି ପ୍ରତିଟି ମୁହୂର୍ତ୍ତରେ । ଏ କ୍ଷତର କେବେ ଭରଣା ନାହିଁ, ବରଂ ଏ କ୍ଷତ ତା ‘ ଭିତରେ ଦିନକୁ ଦିନ ଭରିଦେଉଛି ଗୁଡ଼ାଏ ଗ୍ଳାନି, ଅଜସ୍ର ବିଦ୍ରୋହ, ସେ କ୍ଷତର ଛାୟାପଥ ତା’ ହୃଦୟ ଆକାଶରେ ଧୀରେ ଧୀରେ ଲମ୍ବିଯାଏ ଆଗକୁ ଆଗକୁ ଯେତେବେଳେ ସେ ସାମ୍ନା କରେ ଅବାନ୍ତର ପ୍ରଶ୍ନ ସବୁକୁ, ତା’ ଚରିତ୍ରହାନିର ସନ୍ଦେହ ଢାଙ୍କି ରଖେ ବନ୍ଧୁ, ପରିଜନ ଓ ଆତ୍ମୀୟ ମାନଙ୍କୁ ଆଉ ଯେତେବେଳେ ଆଲୋକ ଏ ଘଟଣାକୁ ନେଇ ନିଜ ସାମାଜିକ ସମ୍ମାନ କ୍ଷୁଣ୍ଣ ହେବା ଭୟରେ ଲଜ୍ଜା ଓ ଅପମାନର ଗ୍ଳାନିରେ ସଢ଼ଥାଏ ବୋଲି ସେ ଅନୁଭବ କରେ । କେବଳ ସେତିକି ନୁହଁ, ସେ ସେ ଯେମିତି ଅନୁଭବ କରୁଛି ଆଲୋକ ଖସିଯାଉଛି ଧୀରେ ଧୀରେ ତା’ ପ୍ରେମର ପରିଧି ଭିତରୁ । ଗୋଟିଏ ଛାତତଳେ ପାଖାପାଖି ରହି ମଧ୍ୟ ଲାଗୁଛି ଯେପରି ସେମାନଙ୍କ ଭିତରେ ଯୋଜନ ଯୋଜନ ଦୂରତା । ୟା ଭିତରେ ବେଶ ବଦଳିଯାଇଛି ଆଲୋକ । ପ୍ରଗଳ୍ଭ ଆଲୋକ ଏବେ ଖୁବ କମ କଥା ହୁଏ ତା’ ସହ । ଜାଣିଶୁଣି କମ ସମୟ ରହେ ଘରେ, ଏମିତିକି ଏବେ ଆଉ ଆଲୋକ ରାତିର ବିଛଣାରେ ବି ଖୋଜେନା ତାକୁ ଅବା ତା’ର ଏ ଦେହଟାକୁ । ସେତେବେଳେ ସାଗରିକାର ମନେହୁଏ ସତେ ଯେମିତି ସେ ପାଲଟି ଯାଇଛି ଅସ୍ପୃଶ୍ୟା, ଆଉ ତା’ର ଏ ଦେହ ଯେମିତି ପାଲଟିଯାଇଛି ଅଭୋଗ୍ୟା, ନରକର ଦ୍ୱାରଟିଏ । ଅବଶ୍ୟ ଯେଉଁଦିନ ନିଶାଗ୍ରସ୍ତ ହୋଇ ଘରକୁ ଫେରେ ଆଲୋକ, ସେଦିନ ରାତିରେ ହିଁ ସେ ଆବଶ୍ୟକ କରେ ସାଗରିକାର ଦେହକୁ । ଆଉ ସେ ରାତିରେ ଆଲୋକ ସହ ଦେହଭୋଗରେ ମାତିଉଠିବା ବେଳେ ସାଗରିକା ଅନୁଭବ କରେ ତା’ କ୍ଷତ ବିକ୍ଷତ ହୃଦୟ ଭିତରୁ ସତେ ଯେମିତି କିଏ ଚିତ୍କାର କରି କହୁଛି -“ଦେ ଦେ ଭଲ କି ଅଜାଡ଼ି ଦେ ତୋ ଅସ୍ତିତ୍ୱକୁ ସେହି ଲୋକଟାର ବୀଭତ୍ସ କାମନା-ବାସନାକୁ ପରିପୂରଣ କରିବା ପାଇଁ; ଯେଉଁ ଲୋକଟା ତୋତେ ନୁହେଁ ତ ଖାଲି ତୋ’ ଦେହକୁ ଲୋଡ଼େ ପୁଣି କେବଳ ଅବଚେତନ ଅବସ୍ଥାରେ ।”

ଆଜିକାଲି ସାଗରିକା ବିଶେଷ ମାତ୍ରାରେ ଅବସାଦଗ୍ରସ୍ତ ହୋଇଉଠେ ଯେତେବେଳେ କେସର ବିଭିନ୍ନ ବିଫଳ ଦିଗକୁ ସେ ସାମ୍ନାକରେ । ଏଇ ତ କିଛିଦିନ ତଳେ କୋର୍ଟ ମଧ୍ୟ ଅଭିଯୁକ୍ତଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ସେମାନଙ୍କ ବେଲ୍ ମଞ୍ଜୁର କରିଦେଇଛି । ୟା’ ପରଠୁ ଖୁବ ଭାଙ୍ଗି ପଡ଼ିଛି ସେ । ବାପା, ମାଆଙ୍କ ବାରମ୍ବାର କଲ ଆସେ । ବାପା କୁହନ୍ତି -“କେସଟାକୁ ଲଢ଼ବା ପାଇଁ ଏ ଓକିଲଟା ଅନୁପଯୁକ୍ତ । ଆଲୋକକୁ କହ ଗୋଟେ ଭଲ ଓକିଲ ସହ କଥାହେବ ।”

କିନ୍ତୁ ଏତକ କହିବା ପାଇଁ ସାଗରିକାକୁ କେଉଁଠି ବା ସୁଯୋଗ ମିଳେ? କେସ୍ ବିଷୟରେ କିଛି କହିବା ମାତ୍ରେ ହିଁ ଆଲୋକ ବିରକ୍ତ ହୋଇଉଠେ । ଘରଟାକୁ ବି କୋର୍ଟ କରିଦେବ ନା କଣ କହି ଏ ବିଷୟରେ ପୂର୍ଣ୍ଣଛେଦ ଟାଣେ । ସାଗରିକା ବୁଝିପାରେନା କେସ୍ ର ବିଫଳ ଦିଗ ପ୍ରତି ଆଲୋକ ଏତେ ଉଦାସୀନ କ’ଣ ପାଇଁ? ସ୍ୱାମୀ ଭାବେ ତା’ର କ’ଣ କୌଣସି କର୍ତ୍ତବ୍ୟ, ଦାୟିତ୍ୱ ନାହିଁ ଏ ଦିଗରେ?

ଅନ୍ୟ କିଛି ଭାବନା ତା’ ମାନସିକ ସନ୍ତୁଳନକୁ ଆହୁରି ବ୍ୟାହତ କରିବା ପୂର୍ବରୁ କଲିଂବେଲ ଶବ୍ଦରେ ଭାବନା ଆକାଶରୁ ଫେରିଆସିଲା ସାଗରିକା । କବାଟ ଖୋଲି ଦେଖେ ତ ବାହାରେ ଛିଡ଼ା ହୋଇଛି ଆଲୋକ । ମଦନିଶାରେ ଚୁର ହୋଇ ଫେରିଥିଲା ସେ । ତା’ ମୁହଁରୁ ବାହାରୁଥିଲା ଆଲକୋହଲର ଉତ୍କଟଗନ୍ଧ । ଆଜି ବୋଧେ ଅଧିକ ପରିମାଣରେ ପିଇ ଦେଇଛି କି କ’ଣ ଠିକ୍ ଭାବେ ପାଦ ପକାଇ ପାରୁନଥିଲା ସେ । ଅଣାୟତ୍ତ ଆଲୋକକୁ ସାଗରିକା ଧରିଧରି ବେଡ଼୍ କୁ ନେଇ ଶୁଆଇଦେଲା । ପଦୁଟିଏ ବି କିଛି ନ କହି ତା’ ଗୋଡ଼ରୁ ବୁଟ୍ ଖୋଲିଲା । ବେକରୁ ଟାଏ ଖୋଲି ତା’ସାର୍ଟର ବୋତାମ ସବୁକୁ ଖୋଲିଛି କି ନା ହଠାତ୍ ଜୋର୍ ରେ ଜାବୁଡ଼ି ଧରିଲା ଆଲୋକ ତାକୁ । ଓହଃ, ପୁଣି ସେଇ ପୁରୁଣା ପାଠର ପୁନରାବୃତ୍ତି । ଡାକ୍ତର ଶବ ବ୍ୟବଛେଦ କଲା ପରି ଏ ନିଶାଶକ୍ତ ଅବସ୍ଥାରେ ପ୍ରେମର ଅର୍ଥ କ’ଣ ବୁଝୁ ନଥିବା ମଣିଷଟା ତା’ଦେହକୁ ବିଦୀଣ୍ଣ କରିବ, ଟୁକୁଡ଼ାଟୁକୁଡ଼ା କରିବ ତା’ ଆତ୍ମାକୁ । ଆଜି କିନ୍ତୁ ହଠାତ୍ ଏମିତି ଏକ ଜାନ୍ତବୀୟ ଲୀଳାକୁ ସାମ୍ନା କରିବାକୁ ଆଦୌ ପ୍ରସ୍ତୁତ ହୋଇପାରୁନଥିଲା ସାଗରିକା । କେଜାଣି କାହିଁକି ଗତରାତିଠୁଁ ଶାରିରୀକ ଦୁର୍ବଳତା ସେ ଅନୁଭବ କରୁଛି । ସକାଳୁ ମଧ୍ୟ ଦୁଇଥର ବାନ୍ତି କରିସାରିଛି ସେ । ଏପରି ଅବସ୍ଥାରେ ଆଲୋକର ଏ ପାଶବିକ ଅତ୍ୟାଚାରକୁ ସହିବା ସମ୍ଭବ ନୁହଁ । ଆଲୋକର ବଳିଷ୍ଠ ବାହୁବେଷ୍ଟନୀ ଭିତରୁ ନିଜକୁ ମୁକୁଳାଇ ଆଣିବାକୁ ଚେଷ୍ଟା କଲା ସାଗରିକା । ଆଜିକ ପାଇଁ ତା’କୁ ଛାଡ଼ିଦେବାକୁ ଆକୁଳ ନିବେଦନ କଲା ଆଲୋକ ପାଖେ; କିନ୍ତୁ କିଛି ବି ଲାଭ ହୋଇନଥିଲା । ବରଂ ତା’ର ସବୁତକ ଆକୁଳ ନିବେଦନ ଆଖିର ଧାରଧାର ଲୁହରେ ବହିଯାଉଥିଲା କେବଳ । ଆଉ ଆଲୋକ ପାଶବିକତାର ଉତ୍ତୀଣ୍ଣ ଶିଖରରେ ଉପନୀତ ହୋଇ ପାଲଟିଯାଇଥିଲା ଏକ ରକ୍ତମୁଖା ହର୍ଯ୍ୟକ୍ଷ ।

ପରଦିନ ସକାଳେ ଆଲୋକ ଉଠି ଯେତେବେଳେ ଦେଖିଲା ଯେ ସାତଟା ବାଜିସାରିବା ସତ୍ତ୍ୱେ ଏଯାଏଁ ତା’ ପାଖରେ ବେଡ୍‌ଟି’ ପହଞ୍ଚିନାହିଁ; ଚିତ୍କାର କଲା ସାଗରିକା ଉପରେ । ବାରମ୍ବାର ଡାକିବା ସତ୍ତ୍ୱେ ସାଗରିକାର ଉତ୍ତର ସେ ପାଇଲା ନାହିଁ । ଘରସାରା ସାଗରିକାକୁ ଖୋଜିଆସିଲା; କିନ୍ତୁ ସାଗରିକା କେଉଁଠି ବି ନଥିଲା । ସାଗରିକାର ଫୋନ ମଧ୍ୟ ସ୍ୱିଚ୍ଅଫ୍ କହୁଥିଲା । ଆଲୋକ ଭାବିଲା ସାଗରିକାର ମା’ଙ୍କୁ ଫୋନ୍ କରିବ କି? କିନ୍ତୁ ପର ମୁହୂର୍ତ୍ତରେ ଭାବିଲା, ସେ କାହିଁକି ଫୋନ କରିବ?? ସାଗରିକା ତ ନିଜ ଇଚ୍ଛାରେ ଯାଇଛି । ଆଉ ଏମିତିରେ ବି ସେ ଏପରି ଏକ ଦିନକୁ ଅପେକ୍ଷା କରିଥିଲା ଯେଉଁଦିନ ସେ ମୁକୁଳିଆସିବ ଏ ସମ୍ପର୍କର କବରଖାନା ଭିତରୁ । ମୁକ୍ତି ପାଇପାରିବ ଗୋଟାଏ ଧର୍ଷିତା ସ୍ତ୍ରୀ ପାଖରୁ । ଯଦି ସାଗରିକା ଅଳ୍ପ କିଛିଦିନ ପାଇଁ ଯାଇଥାଏ, ତା’ହେଲେ ଏ ଦିନ ଗୁଡ଼ିକୁ ବେଶ୍ କରି ଉପଭୋଗ କରିପାରିବ ସେ ଆଉ ଯଦି ଅବସାଦ, ଯାତନାକୁ ସହ୍ୟ କରି ନପାରି ଏ ଜୀବନଯୁଦ୍ଧରେ ସେ ହାରିଯାଏ, ଆଉ ସେ ପରାଜୟକୁ ସ୍ୱୀକାର କରି କିଛି ସେମିତି କରିବସେ, ତାହେଲେ ତ ତାହା ହେବ ତା’ପାଇଁ ସବୁଠାରୁ ସୁଖତର ଖବର ।

ଏମିତି ଅତିବାହିତ ହୋଇଯାଇଥିଲା ଦୁଇ ସପ୍ତାହ । ସାଗରିକାର କୌଣସି ଖବର ଆଉ ଆଲୋକ ରଖିନଥିଲା । ଧୀରେଧୀରେ ସେ ଭୁଲିବାକୁ ଲାଗିଥିଲା ଯେ ତା ଜୀବନରେ କେବେ ସାଗରିକା ନାମ୍ନୀ କେଉଁ ସ୍ତ୍ରୀ ଲୋକ ଆସିଥିଲା ବୋଲି?ତା ପାଇଁ ମରିସାରିଥିଲା ସାଗରିକା ଆଉ ସେ ଏବେ ବ୍ୟସ୍ତ ଥିଲା ତା ଜୀବନକୁ ରଙ୍ଗିନ କରି ତୋଳିବା ପାଇଁ । ସାଗରିକା ଯିବାର ପନ୍ଦର ଦିନ ନପୁରୁଣୁ ତାର ସମ୍ପର୍କ ଗଢ଼ ଉଠିଥିଲା ତା କମ୍ପାନୀରେ ନୂଆ ରିସେପସନିଷ୍ଟ ଭାବେ ଯୋଗ ଦେଇଥିବା ରୁଚିକା ନାମ୍ନୀ ସୁନ୍ଦରୀ ତରୁଣୀ ସହ । ଆଜି ରବିବାର । ଟିଭିରେ ଚାଲିଛି ଇଣ୍ଡିଆ-ପାକିସ୍ତାନ ମ୍ୟାଚ । ଖେଳର ମାହୋଲ ମଧ୍ୟ ସରଗରମ । ଇଣ୍ଡିଆକୁ ଜିତିବା ପାଇଁ ଦୁଇଟି ବଲକୁ ଚାରି ରନ ଲୋଡ଼ା । ଭାରି ଉତ୍ସାହପ୍ରଦ ଏ ମୁହୂର୍ତ୍ତ । ଏତିକିବେଳକୁ ଘନଘନ ଫୋନ ଆସୁଛି । ନିଶ୍ଚୟ ରୁଚିକାର ଫୋନ ହୋଇଥିବ । ରବିବାର କମ୍ପାନୀ ତରଫରୁ ଛୁଟି ସିନା କିନ୍ତୁ ରୁଚିକା ପାଖରୁ ଛୁଟି ନଥାଏ । ଆଲୋକ ଜାଣେ ଏଇନେ ରୁଚିକା ତାକୁ ଡାକିବ ପାରାଡାଇଜ ରେଷ୍ଟୁରାଣ୍ଟକୁ, ସେ ବିଲ ଗଣିବ ହାଇଦ୍ରାବାଦୀ ବିରିୟାନି ପାର୍ସଲର । ଆଉ ତା ପରେ ଭିନ୍ନ ଏକ ଖେଳ ଖେଳିବା ପାଇଁ ଆମନ୍ତ୍ରଣ କରିବ ରୁଚିକା ତାକୁ ତା ରୁମକୁ । କିନ୍ତୁ ଏ ଖେଳରେ ଯେ ଯେତେ ଅପେକ୍ଷା, ସେତେ ଅଧିକ ଉଦ୍ଦୀପନା । ତେଣୁ ତାକୁ ଅପେକ୍ଷା କରିବାକୁ ଦିଆଯାଉ କିଛି ସମୟ ।

ହଠାତ କଲିଂବେଲର ଶବ୍ଦରେ ଚମକି ଉଠିଲା ଆଲୋକ । ରୁଚିକା ଆଉ ଅପେକ୍ଷା ନକରିପାରି ସିଧା ଚାଲି ଆସିଲା ନାହିଁ ତ ତା ପାଖକୁ?ଭିନ୍ନ ଏକ ଆବେଗରେ, ଗଭୀର ଉତ୍ତେଜନାରେ ସେ ଯାଇ ଫିଟାଇ ଦେଲା ଦୁଆର । ତା ସାମ୍ନାରେ ନଥିଲା ପ୍ରେମିକା ରୁଚିକା ବରଂ ଛିଡ଼ା ହୋଇଥିଲେ କେଇଜଣ ପୋଲିସ ।

– ଆର ୟୁ ଆଲୋକ ଚୌଧୁରୀ, ହଜବ୍ୟାଣ୍ଡ ଅଫ ସାଗରିକା ଚୌଧୁରୀ ।
– ୟେସ, ହ୍ଵାଟ ହେପେଣ୍ଡ?
– ୟୁ ଆର ଅଣ୍ଡର ଆରେଷ୍ଟ । ୟୋର ୱାଇଫ ହ୍ୟାଜ ଫାଇଲଡ଼ ମ୍ୟାରିଟାଲ ରେପ କ୍ୟାସ ଏଗନେଷ୍ଟ ୟୁ ।

ଯେତେବେଳେ ଆଲୋକକୁ ପୋଲିସ ଟାଣିଟାଣି ନେଇ ଗାଡ଼ିରେ ବସାଇଥିଲା ସେ ବୁଝିପାରୁଥିଲା -ସାଗରିକା ପରି ଝିଅମାନେ ସହଜରେ କେବେ ହାର୍ ମାନନ୍ତି ନାହିଁ । ଏମାନେ ହିଁ ଚିର ସଂଘର୍ଷରତା, ଅପରାଜିତା ।

– ସୁବ୍ରତ କୁମାର ସେନାପତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...